ବାନ୍ଦା: ଉତ୍ତରପ୍ରଦେଶର ବାନ୍ଦାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପ୍ରେମିକା ହାତ କାଟି ଦେବାରୁ ନଦୀକୁ ଡେଇଁ ଜୀବନ ହାରିଛନ୍ତି ପ୍ରେମିକ। ଜାଣିବାକୁ ମିଳିଛି ଯେ ଯୁବକଙ୍କର ନିଜ ପ୍ରେମିକାଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଯେଉଁ କାରଣରୁ ଉଭୟ ପ୍ରେମିକ ଓ ପ୍ରେମିକା ବିଶାଦରେ ଥିଲେ। ଝଗଡ଼ା କାରଣରୁ ପ୍ରେମିକା ନିଜ ହାତ ବି କାଟି ଦେଇଥିଲେ। ବୁଧବାର ପ୍ରେମିକ ମୋହସିନ ଖାନ୍ (୨୦) ନଦୀକୁ ଡେଇଁ ନିଜ ଜୀବନ ହାରିଛନ୍ତି।
ସେ ନିଜ ବନ୍ଧୁମାନଙ୍କ ସହ ନଦୀକୂଳକୁ ଯାଇଥିଲେ। ସେଠାରେ ସେ ସେଲ୍ଫି ନେବା ବାହାନାରେ ନଦୀ ଭିତରକୁ ଡେଇଁ ପଡ଼ିଥିଲେ। ତାପରେ ତାଙ୍କ ସହ ଆସିଥିବା ତାଙ୍କର ବନ୍ଧୁମାନେ ତୁରନ୍ତ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବହୁ ଖୋଜାଖୋଜି ପରେ ମୋହସିନଙ୍କୁ ପାଇଥିଲା ପୁଲିସ୍। ହେଲେ ନଦୀରୁ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରା ଯାଇଥିବା ସୂଚନା ରହିଛି।
ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏବେ ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣା ଘଟିବା ପରେ ମୋହସିନଙ୍କ ଘର ଉପରେ ଯେପରି ଦୁଃଖର ପାହାଡ଼ ଖସି ପଡ଼ିଛି।
ମୃତକଙ୍କ ବାପା ଜଳ ସେଚନ ବିଭାଗର କର୍ମଚାରୀ ଥିବା ବେଳେ ସେ ନିଜେ ବାନ୍ଦାରେ କେସିଏନ୍ଆଇଟିରେ ଆଇଆଇଟି କରୁଥିଲେ। ତାଙ୍କ ତଳେ ୨ ସାନ ଭାଇ ଥିବା ବେଳେ ମୃତକଙ୍କ ବଡ଼ ଭାଇ ଇଞ୍ଜିନିୟରିଂ ପାଠ ପଢୁଛନ୍ତି।