ଘରୁ ରାଗି ପଳାଇ ଆସିଥିବା ଯୁବତୀଙ୍କ ଲକ୍ଷ୍ୟ, ୨୪୦୦୦ ହଜାର କିମି କରିବେ ସାଇକେଲ ଯାତ୍ରା

ନୂଆଦିଲ୍ଲୀ: ଜୀବନରେ ସମୟ ସମୟରେ ଏମିତି କିଛି ମୁହୂର୍ତ୍ତ ଆସେ ଯାହା ସମ୍ପର୍କରେ ଆମେ ଅବଗତ ନ ଥାଉ। ସେପରି ଘଟିଛି ପାଟନାରେ ରହୁଥିବା ଏଇ ଯୁବତୀଙ୍କ ସହିତ। ନିଜ ପିତା-ମାତାଙ୍କ ସହିତ ଝଗଡ଼ା କରିବା ପରେ ସେ ଘର ଛାଡ଼ି ଚାଲି ଆସିଥିଲେ । ଏବେ ସେ ଏକ ନୂଆ ଇତିହାସ ରଚିବାରେ ଲାଗିପଡ଼ିଛନ୍ତି।

ଦୁଇବର୍ଷ ପୂର୍ବରୁ ମାତ୍ର ୧୫ବର୍ଷ ବୟସରେ ହର୍ଷା ମିଶ୍ରା ନିଜର ପିତା-ମାତାଙ୍କ ସହିତ ଝଗଡ଼ା କରି ପାଟନାରୁ ଦିଲ୍ଲୀ ଚାଲି ଆସିଥିଲେ। କିଛିଦିନ ଦିଲ୍ଲୀରେ ରହିବା ପରେ ତାଙ୍କୁ ଆନନ୍ଦ ବିହାର ଷ୍ଟେସନ୍‌ରେ କାନ୍ଦୁଥିବାର ଲୋକମାନେ ଦେଖିବାକୁ ପାଇଥିଲେ। ଏହାପରେ ତାଙ୍କୁ ଘରକୁ ପଠାଇବା ପାଇଁ ରିଟର୍ଣ୍ଣ ଟିକେଟ ବି କରି ଦେଇଥିଲେ। ମିଶ୍ରା ପୁଣି ଥରେ ନିଜ ସହର ପାଟନାକୁ ଚାଲି ଆସିଥିଲେ। ଏହାପରେ ସେ ସାଇକେଲରେ ସମ୍ପୂର୍ଣ୍ଣ ଭାରତ ବୁଲିବେ ବୋଲି ନିଷ୍ପତ୍ତି ନେଇଥିଲେ। ଭାରତ ବୁଲି ଲୋକମାନଙ୍କୁ ନାରୀ ସଶକ୍ତିକରଣର ବାର୍ତ୍ତା ଦେବା ଥିଲା ତାଙ୍କର ଲକ୍ଷ୍ୟ। କିନ୍ତୁ ମିଶ୍ରାଙ୍କ ଏଭଳି ନିଷ୍ପତ୍ତିରେ ସନ୍ତୁଷ୍ଟ ନ ଥିଲେ ତାଙ୍କ ପରିବାର ଲୋକ।

ତେବେ ମିଶ୍ରା ୧୭ବର୍ଷ ବୟସରେ ଝାଡଖଣ୍ଡର ୨୧ବର୍ଷୀୟ ସାବିତ୍ରୀଙ୍କ ମୁର୍ମୁଙ୍କ ସହିତ ମିଶି ଦୁହେଁ ସାଇକେଲରେ ନାରୀ ସଶକ୍ତିକରଣ ଅଭିଯାନ ଆରମ୍ଭ କରିଥିଲେ। ଭାରତରେ ୨୪,୦୦୦ କିଲୋମିଟର ପର୍ଯ୍ୟନ୍ତ ସାଇକେଲରେ ବୁଲିବା ତାଙ୍କର ଲକ୍ଷ୍ୟ।

ନଭେମ୍ବରରେ ଜମ୍ମୁ-କଶ୍ମୀର, ପଞ୍ଜାବ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ୪,୦୦୦ କିଲୋମିଟର ବୁଲିବା ପରେ ହର୍ଷା ଓ ସାବିତ୍ରୀ ଦିଲ୍ଲୀରେ ପହଞ୍ଚିଥିଲେ। ଗୁରୁବାର ପୁଣି ଥରେ ଦୁହେଁ ଅଭିଯାନ ଆରମ୍ଭ କରିଛନ୍ତି।

ମିଶ୍ରାଙ୍କ କହିବାନୁସାରେ, ଜୁନ୍‌ରେ ମୁଁ ଜଣେ ସାଇକେଲ ଆରୋହୀଙ୍କୁ ଭେଟିଥିଲି ସେ ୧୨,୦୦୦କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରି ସାରିଥିଲେ। ମୁଁ ଭାବୁଛି ଦେଶର ସବୁସ୍ଥାନକୁ ମୁଁ ସାଇକେଲରେ ହିଁ ପରିକ୍ରମା କରିବି।

ମିଶ୍ରା କହନ୍ତି, ମୁଁ ଏହି ଯାତ୍ରା ଆରମ୍ଭ କରିବା ପୂର୍ବରୁ ବିହାର-ଝାଡଖଣ୍ଡର ଏନ୍‌ସିସିର ଅତିରିକ୍ତ ନିର୍ଦ୍ଦେଶକ ଜନେରାଲ ମୋତେ ଏକାକୀ ଯାତ୍ରା ନ କରି ଜଣେ ସାଥୀଙ୍କ ସହିତ ଯାତ୍ରା କରିବାକୁ କହିଥିଲେ। ଏଥିପାଇଁ ମୁଁ ସାବିତ୍ରୀଙ୍କ ସହିତ ଯୋଗଯୋଗ କରିଥିଲି, ଯାହାଙ୍କ ସହିତ ମୋର ଏନ୍‌ସିସି କ୍ୟାମ୍ପରେ ଅନେକ ଥର ଦେଖା ହୋଇଛି। ମୁର୍ମୁ ପାଟନାରେ ପହଞ୍ଚିବା ପରେ ଆମେ ଅଭିଯାନ ଆରମ୍ଭ କରିବା ପୂର୍ବରୁ କିଛି ସର୍ତ୍ତ ଥିଲା। ଯେପରି କି ଆମର ଯଦି ବାଟରେ କିଛି ହୋଇଯାଏ ତେବେ ଏଥିପାଇଁ କେହି ଦାୟୀ ନୁହନ୍ତି । ଏହି ସର୍ତ୍ତ ପୂରଣ କରିବା ପରେ ଆମେ ଅଭିଯାନ ଆରମ୍ଭ କରିଥିଲୁ।

ସମ୍ବନ୍ଧିତ ଖବର