ଭଗବାନ ଶ୍ରୀକୃଷ୍ଣଙ୍କ ମୁଖନିସୃତ ଗୀତା ବାଣୀରେ ରହିଛି ଜୀବନର ସବୁ ତକ ସତ୍ୟ। ଯିଏ ପରମ ପବିତ୍ର ହିନ୍ଦୁଗ୍ରନ୍ଥ ଗୀତାକୁ ବୁଝିଯାଏ ତା’ ପାଇଁ ଜୀବନ ଖୁବ୍ ସରଳ। ଗୀତାକୁ ବୁଝିନଥିବା ବ୍ୟକ୍ତିଙ୍କ ପାଇଁ ଘାଣ୍ଟିଚକଟି ହେବା ଥୟ। ତେବେ, ଆସନ୍ତୁ ସେହି ଗୀତାର ଗୋଟାଏ ଗୋଟାଏ ଶ୍ଳୋକକୁ ବୁଝିବା ଓ ଜୀବନକୁ ସରଳ ବନାଇବା। ଏଥର ଆମେ ଯେଉଁ ମୂଲ୍ୟବାନ ଶ୍ଳୋକ ସଂପର୍କରେ ଆଲୋଚନା କରିବୁ ତାହାକୁ ବୁଝିଗଲେ ଆପଣ ବନ୍ଧୁ ଓ ଶତ୍ରୁଙ୍କୁ ଚିହ୍ନିପାରିବେ। ବାସ୍ତବରେ କିଏ ବନ୍ଧୁ ଆଉ କିଏ ଶତ୍ରୁ ତାହାଙ୍କୁ ଚିହ୍ନଟ କରିବା ପ୍ରତ୍ୟେକ ମଣିଷର ମୌଳିକ କାର୍ଯ୍ୟ ହେବା ଉଚିତ। ବନ୍ଧୁ ଓ ଶତ୍ରୁ ଭିତରର ପାର୍ଥକ୍ୟ ବୁଝିଗଲେ ଅସୁବିଧା ଦୂରେଇ ଯାଏ। ଆସନ୍ତୁ ନଜର ପକାଇବା ସେହି ବହୁମୂଲ୍ୟ ଗୀତା ଶ୍ଳୋକ ଉପରେ।
ଉଦ୍ଧରେଦାତ୍ମାନାତ୍ମାନଂ ନାତ୍ମାନମବସାଦୟେତ୍।
ଆତ୍ମେବ ହାତ୍ମନୋ ବନ୍ଧୁରାତ୍ମେବ ରିପୁରାତ୍ମନ।।
ଅର୍ଥାତ, ‘ଜଣେ ବ୍ୟକ୍ତିଙ୍କୁ ତାଙ୍କ ନିଜର ଦକ୍ଷତା ହିସାବରେ ବଢ଼ିବାକୁ ଦିଅ। କେବେ ବି ନିରୁତ୍ସାହିତ କରନାହିଁ। କାହିଁକି ନା, ଜଣେ ବ୍ୟକ୍ତିଙ୍କର ପରମ ବନ୍ଧୁ ବି ଏବଂ ପରମ ଶତ୍ରୁ ବି ସେ ବ୍ୟକ୍ତି ନିଜେ ହିଁ ହୋଇଥାନ୍ତି।’
/sambad/media/post_attachments/wp-content/uploads/2018/01/gita-131-261x300.jpg)
ବେଳେ ବେଳେ ଆମେ ବନ୍ଧୁ ଏବଂ ଶତ୍ରୁଙ୍କୁ ଚିହ୍ନିବାରେ ବହୁ ବିଳମ୍ବ କରିଦେଉ ଆଉ ସମୟ ଆମ ହାତରୁ ଚାଲିଯାଏ। ମାତ୍ର ଜାଣିରଖନ୍ତୁ ଯେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଏକଥା କହିଛନ୍ତି କି ଜଣେ ବ୍ୟକ୍ତିର ବନ୍ଧୁ ସେହି ବ୍ୟକ୍ତି ନିଜେ ହୋଇଥାଏ ଏବଂ ଶ୍ରତୁ ବି ସିଏ ନିଜେ। କାହିଁକି ନା, ଆମେ ଯାହା କରନ୍ତି ତା’ର ପରିଣାମ ହିଁ ଆମକୁ ମିଳେ। ଆଉ କାହାର କର୍ମଫଳ ଆମକୁ ମିଳେ କି? ଆମେ ଯେଉଁ କର୍ମ କରନ୍ତି ତାହା ଉପରେ ନିର୍ଭର କରେ ଫଳ ସୁଫଳ ହେବ କି କୁଫଳ। ତାହା କେବଳ ଆମ ନିଜ ଉପରେ ହିଁ ନିର୍ଭର କରେ। ବେଳେ ବେଳେ ଏମିତି ଲାଗେ ଯେମିତି କେହି ଜଣେ ଆମର କ୍ଷତି କରିପକାଉଛି। ମାତ୍ର ମନେ ରଖନ୍ତୁ ଯଦି ସେମିତି ହେଉଥାଏ ତାହେଲେ ବି ସେଥିପାଇଁ ଆମେ ନିଜେ ଦାୟୀ। କାହିଁକି ନା, ଚେତନରେ ହେଉ ବା ଅବଚେତନରେ ହେଉ ତାଙ୍କୁ ଆମର କ୍ଷତି କରିବାର ସୁଯୋଗ ବି ଆମେ ଦେଇଥାଉ। ନିଜକୁ ସୁରକ୍ଷିତ ରଖିବା ଦାୟିତ୍ୱ ଆପଣଙ୍କର। କିପରି ନିଜେ ନିଜକୁ ସୁରକ୍ଷା ଦେବେ ସେ କୌଶଳ ବି ଆପଣଙ୍କର ହେବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/675cfb254c125b37ebcb0fd57c59b4b9.jpg)