ସମ୍ପ୍ରତି ବିଶ୍ବବ୍ୟାପୀ ଅନୁଭୂତ ହେଉଥିବା ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ମାନବୀୟ କାର୍ଯ୍ୟକଳାପ ଦ୍ୱାରା ସୃଷ୍ଟି ହୋଇଥିବା ଏହି ପରିବର୍ତ୍ତନ ସମସ୍ତଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଛି। ଏହା ଦିନକୁ ଦିନ ତୀବ୍ରତର ହେବା ସହ ବିଶ୍ୱ ଅର୍ଥନୀତିକୁ ବ୍ୟାପକ କ୍ଷତି ପହଞ୍ଚାଇଛି। ଏପରିକି ଏଥିଯୋଗୁଁ ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ବିଶ୍ୱର ମୁଣ୍ଡପିଛା ଆୟ ୨୪% ପର୍ଯ୍ୟନ୍ତ ହ୍ରାସ ହେବାର ଆଶଙ୍କା ରହିଛି ବୋଲି କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଏକ ଗବେଷକ ଦଳ ପୂର୍ବାନୁମାନ କରିଛନ୍ତି।
‘ପ୍ଲସ୍ କ୍ଲାଇମେଟ୍’ରେ ପ୍ରକାଶିତ ଉକ୍ତ ଅଧ୍ୟୟନରେ ଆହୁରି ଉଲ୍ଲେଖ ରହିଛି କି, ଆସନ୍ନ ସଙ୍କଟ ଓ ଏହାର ପରିଣାମରୁ କୌଣସି ଦେଶ ମୁକୁଳି ପାରିବ ନାହିଁ। ବିଭିନ୍ନ ଜଳବାୟୁ ଘଟଣା ଦ୍ବାରା ବିଶ୍ୱ ଅର୍ଥନୀତି କିପରି ପ୍ରଭାବିତ ହେବ, ଗବେଷକମାନେ ତାହାକୁ ବିଶ୍ଳେଷଣ କରିଥିଲେ। ଦୁଇଟି ମଡେଲ୍ ଭିତରେ ଏହି ତୁଳନା କରାଯାଇଥିଲା। ସେଥି ମଧ୍ୟରୁ ଗୋଟିଏ ହେଉଛି ଯେଉଁଠି ବିଶ୍ୱ ତାପମାତ୍ରା ୧୯୬୦-୨୦୧୪ର ହାରରେ ବୃଦ୍ଧି ପାଇବା ଜାରି ରଖିଥିଲା ଏବଂ ଅନ୍ୟଟିରେ ୨୦୧୫ ପରେ ଉତ୍ତପ୍ତୀକରଣ ବନ୍ଦ ହୋଇଯାଇଥିଲା। ନିଷ୍କର୍ଷରୁ ସ୍ପଷ୍ଟ ହୋଇଛି ଯେ ଯଦି ବିଶ୍ୱ ତାପମାତ୍ରା ପ୍ରତି ବର୍ଷ ୦.୦୪ ସେଲ୍ସିଅସ୍ ହାରରେ ବୃଦ୍ଧି ପାଉଥାଏ, ତେବେ ୨୧୦୦ ସୁଦ୍ଧା ବିଶ୍ୱ ମୁଣ୍ଡପିଛା ଜିଡିପି ପୂର୍ବ ଧାରା ତୁଳନାରେ ୧୦ରୁ ୧୧% ହ୍ରାସ ପାଇବ। ଜଳବାୟୁ ପରିବର୍ତ୍ତନଶୀଳତାକୁ ହିସାବକୁ ନେଲେ ୧୨%ରୁ ୧୪% କ୍ଷତି ହେବ।
ଉଭୟ ଧନୀ ଓ ଗରିବ ଅର୍ଥନୀତି ଜଳବାୟୁ ପରିବର୍ତ୍ତନର ପରିଣାମ ଭୋଗିବା ସହ କୃଷିରୁ ଆରମ୍ଭ କରି ଉତ୍ପାଦନ, ପରିବହନ ଓ ଖୁଚୁରା ବ୍ୟବସାୟ ପର୍ଯ୍ୟନ୍ତ ସବୁ କ୍ଷେତ୍ର କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି।
ସେହିପରି ୨୦୧୫ରେ ଉତ୍ତପ୍ତୀକରଣ ବନ୍ଦ ହୋଇଥିବା ପରିସ୍ଥିତି ତୁଳନାରେ, ଆନୁମାନିକ କ୍ଷତି ୨୦ରୁ ୪୦% ବୃଦ୍ଧି ପାଇବ। ଅଧ୍ୟୟନରେ ଏକଥା ମଧ୍ୟ କୁହାଯାଇଛି କି, ନିମ୍ନ-ଆୟ ସଂପନ୍ନ ରାଷ୍ଟ୍ରଗୁଡ଼ିକ, ପୂର୍ବରୁ ସୀମିତ ଭିତ୍ତିଭୂମି ସହିତ ଚରମ ପାଣିପାଗ ଘଟଣା ବିରୋଧରେ ସଂଘର୍ଷ କରୁଥିବା ବେଳେ ସେମାନେ ବିଶ୍ୱ ହାରାହାରି ତୁଳନାରେ ୩୦ରୁ ୬୦% ଅଧିକ କ୍ଷତି ସହିପାରନ୍ତି। ସେହିପରି ବିଶ୍ୱର ସର୍ବାଧିକ ଜନସଂଖ୍ୟା ଥିବା ଏବଂ ପୂର୍ବରୁ ବାରମ୍ବାର ଚରମ ପାଣିପାଗ ଘଟଣାଗୁଡ଼ିକର ମୁକାବିଲା କରିଥିବା ଭାରତ ଜଳବାୟୁ ସ୍ଥିରତା ଦିଗରେ ତୁରନ୍ତ ପଦକ୍ଷେପ ନ ନେଲେ ଏହାର ଆର୍ଥିକ ଅଭିବୃଦ୍ଧି ଠପ୍ ହୋଇଯାଇପାରେ। ଜଳବାୟୁ ପରିବର୍ତ୍ତନ ମୁଖ୍ୟତଃ ଗରିବ ଦେଶଗୁଡ଼ିକୁ ପ୍ରଭାବିତ କରିବ ବୋଲି ଦୀର୍ଘ ଦିନ ଧରି ରହିଥିବା ଧାରଣା ବଦଳିଯାଇଛି।
ଉଭୟ ଧନୀ ଓ ଗରିବ ଅର୍ଥନୀତି ଏହି ପରିଣାମର ସମ୍ମୁଖୀନ ହେବା ସହ କୃଷିଠାରୁ ଆରମ୍ଭ କରି ଉତ୍ପାଦନ, ପରିବହନ ଓ ଖୁଚୁରା ବ୍ୟବସାୟ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ର କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି। ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ଏବଂ ଅଧିକ ଆୟ କ୍ଷତିରୁ ଅର୍ଥନୀତିକୁ ରକ୍ଷା କରିବା ପାଇଁ ସବୁଜଗୃହ ବାଷ୍ପ ନିର୍ଗମନ ହ୍ରାସ ପରି ପଦକ୍ଷେପ ତୁରନ୍ତ ନେବାକୁ ଗବେଷକମାନେ ପରାମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/29/fshfshfshfshfs-2025-09-29-23-45-32.jpg)