ସମ୍ପ୍ରତି ବିଶ୍ବତାପନ ସମଗ୍ର ପୃଥିବୀ ପାଇଁ ଏକ ଭୟଙ୍କର ସଂକଟ ଭାବେ ଉଭା ହୋଇଛି। ମେରୁ ଅଞ୍ଚଳର ତାପମାତ୍ରା ବୃଦ୍ଧି ବିଶାଳ ବରଫ ଗଦାକୁ ତରଳାଇବା ଆରମ୍ଭ କଲାଣି। ଫଳରେ ଆଉ କିଛି ବର୍ଷ ପରେ ମହାସାଗର ସମୂହରେ ଜଳପତ୍ତନ ବୃଦ୍ଧି ପାଇବ ଓ ଭୂଭାଗର ବହୁ ଅଂଶ ଜଳାର୍ଣ୍ଣବ ହୋଇଯିବ ବୋଲି ପରିବେଶବିତ୍ମାନେ ସତର୍କ କରାଇଲେଣି। ଅଥଚ ମଣିଷ ସତର୍କ ହେବା ଭଳି ପ୍ରତୀୟମାନ ହେଉନାହିଁ। ଦ୍ରୁତ ଶିଳ୍ପାୟନ ଓ ସହରୀକରଣ ପଛରେ ଧାଉଁଥିବା ଆଧୁନିକ ମଣିଷ ଅହରହ ବିଶ୍ବର ସୁନ୍ଦର ପରିବେଶକୁ ନଷ୍ଟ କରିବାରେ ଲାଗିଛି। ପ୍ରକୃତିଦତ୍ତ ଜଙ୍ଗଲ, ବଣ, ପାହାଡ଼ ଓ ଜଳାଶୟକୁ ଧ୍ବଂସ କରିବାରେ ଲାଗିଛି। ଫଳରେ ବାୟୁମଣ୍ଡଳ ସହ ମାଟି, ପାଣି ବି ଭୟଙ୍କର ଭାବେ ପ୍ରଦୂଷିତ ହୋଇଗଲାଣି। ଜଙ୍ଗଲ ନଷ୍ଟ ହେବା ଦ୍ବାରା ବାୟୁମଣ୍ଡଳରେ ଥିବା ବିଭିନ୍ନ ଉପାଦାନ ମଧ୍ୟରେ ସନ୍ତୁଳନ ବିଗିଡ଼ି ଯାଇଛି। ଅମ୍ଳଜାନ ପରିମାଣ ହ୍ରାସ ପାଇ ଚାଲିଥିବା ବେଳେ ଅଙ୍ଗାରକାମ୍ଳ ଗ୍ୟାସ୍ ଓ ତା’ର ଅନ୍ୟାନ୍ୟ ଯୌଗିକ ପରିମାଣ ବଢ଼ିବାରେ ଲାଗିଛି। ବାୟୁମଣ୍ଡଳର ତାପମାତ୍ରା ସ୍ବତଃ ବଢ଼ିଚାଲିଛି।
ପୃଥିବୀ ପାଇଁ ଜଙ୍ଗଲ ନଷ୍ଟ ଯେତିକି କ୍ଷତିକାରକ, ମଣିଷ ବ୍ୟବହାର କରୁଥିବା ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରପାତି ବି ସେତିକି ବିପଜ୍ଜନକ ହୋଇପଡ଼ିଛି। ଶିଳ୍ପାୟନ ସହ ଅଧିକରୁ ଅଧିକ ମଟର ଗାଡ଼ି ବ୍ୟବହାର, ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଓ ରେଫ୍ରିଜରେଟର୍ ଆଦିର ବହୁଳ ବ୍ୟବହାର ବାୟୁମଣ୍ଡଳକୁ କ୍ଷତବିକ୍ଷତ କରିବାରେ ଲାଗିଛି। କଳ କାରଖାନା ଓ ଯାନବାହାନରୁ ନିର୍ଗତ ଅଙ୍ଗାରକାମ୍ଳ ଗ୍ୟାସ୍, କାର୍ବନ ମନୋକ୍ସାଇଡ୍, ନାଇଟ୍ରୋଜେନ୍ ଯୌଗିକ ଗ୍ୟାସ୍ ଓ ମିଥେନ୍ ଭଳି ବିଷାକ୍ତ ଗ୍ୟାସ୍ ବାୟୁମଣ୍ଡଳରେ ସବୁଜ ଘର ପ୍ରଭାବ ସୃଷ୍ଟି କରୁଛି। ରେଫ୍ରିଜରେଟର୍ ଓ ଏସି ଭଳି ଯନ୍ତ୍ରପାତିର ବହୁଳ ବ୍ୟବହାର ବାୟୁମଣ୍ଡଳର ଓଜୋନ୍ ଗ୍ୟାସ ସ୍ତରକୁ କ୍ଷତି ପହଞ୍ଚାଇଛି। ସେଭଳି ଯନ୍ତ୍ରରୁ ନିର୍ଗତ କ୍ଲୋରୋଫ୍ଲୋରୋ କାର୍ବନ ବାୟୁମଣ୍ଡଳର ଓଜୋନ୍ ସ୍ତରକୁ ହ୍ରାସ କରୁଛି। ଫଳରେ ସୂର୍ଯ୍ୟରୁ ଆସୁଥିବା ଅତିବାଇଗଣୀ ରଶ୍ମି ବିନା ବାଧାରେ ସିଧାସଳଖ ଭୂପୃଷ୍ଠକୁ ଆସୁଛି ଓ ଏହା ହିଁ ବେଶି ତାପମାତ୍ରା ବୃଦ୍ଧିର କାରଣ ପାଲଟିଛି। ତେଣୁ ବୈଜ୍ଞାନିକମାନେ ତଥା ପରିବେଶବିତ୍ମାନେ ଗତ କିଛି ଦଶନ୍ଧି ଧରି ମାନବ ସମାଜକୁ ସତର୍କ କରାଇବାରେ ଲାଗିଛନ୍ତି। ବେଳ ହୁଁ ସାବଧାନ ନ ହେଲେ, ସମଗ୍ର ମାନବଜାତି ଧ୍ବଂସମୁଖକୁ ଟାଣି ହୋଇଯିବ। ତେଣୁ ଅଣପାରମ୍ପରିକ ଶକ୍ତିର ବହୁଳ ବ୍ୟବହାର ସହିତ ବ୍ୟାପକ ବୃକ୍ଷରୋପଣ ବା ବନୀକରଣ ପ୍ରତି ଗୁରୁତ୍ୱ ଦେବା ଜରୁରୀ ହୋଇପଡ଼ିଛି।
ପ୍ରାକୃତିକ ପରିବେଶ ସଂରକ୍ଷଣ ଜରୁରି
ଯେତେ ଚେଷ୍ଟା କଲେ ବି ପ୍ରାକୃତିକ ଜଙ୍ଗଲ ସୃଷ୍ଟି କରାଯାଇ ପାରିବନାହିଁ। ଯେତେ ବନୀକରଣ କଲେ ବି ପୁରୁଣା ଜଙ୍ଗଲ ଫେରିପାଇବା ସମ୍ଭବ ନୁହେଁ। କିନ୍ତୁ ଯେଉଁ ପ୍ରାକୃତିକ ପରିବେଶ ଏବେ ବି ବଞ୍ଚି ରହିଛି, ତାକୁ ସଂରକ୍ଷଣ କରିବାକୁ ହେବ। ତେଣୁ ବ୍ୟାପକ ବନୀକରଣ ସହ ତିଷ୍ଠି ରହିଥିବା ପ୍ରାକୃତିକ ପରିବେଶର ସୁରକ୍ଷା କରିବା ଜରୁରୀ।
ବିଶ୍ୱଜିତ୍ ମହାନ୍ତି, ପରିବେଶବିତ୍
ଉଜୁଡ଼ି ଯାଉଥିବା ସବୁଜିମାକୁ ଫେରାଇବା
ଦ୍ରୁତ ଶିଳ୍ପାୟନ, ସହରୀକରଣ, ଖଣି ଖନନ, ସଡ଼କ ପଥ ପାଇଁ ଯୋଗୁଁ ପ୍ରତିଦିନ ଲକ୍ଷ ଲକ୍ଷ ବୃକ୍ଷ ବଳି ପଡ଼ୁଛନ୍ତି। କିନ୍ତୁ ଏବେ ନୂତନ ଜ୍ଞାନକୌଶଳ ଜରିଆରେ ବିକଶିତ ଦେଶମାନେ ଗଛକୁ ନ କାଟି ସ୍ଥାନାନ୍ତର କରିପାରୁଛନ୍ତି। ଏହି କୌଶଳର ବ୍ୟବହାର ସର୍ବତ୍ର କରାଯିବା ଜରୁରୀ। ଫଳରେ ଶହ ଶହ ବର୍ଷର ଗଛ ବଞ୍ଚି ରହନ୍ତା। ସେହିପରି ଶବ ସଂସ୍କାର ବେଳେ ଅଧିକ ମାତ୍ରାରେ ବୈଦ୍ୟୁତିକ ଚୁଲାର ବ୍ୟବହାର କରାଯିବା ଉଚିତ।
ସୁଶାନ୍ତ କୁମାର ସାହୁ, ପରିବେଶବିତ୍
ହେନ୍ତାଳବଣ ଉପରେ ଗୁରୁତ୍ବ ଦିଆଯାଉ
ସରକାର, ବେସରକାରୀ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ସମସ୍ତଙ୍କ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ହେଉଛି। କିନ୍ତୁ ରୋପିତ ଚାରାର ସୁରକ୍ଷା ଓ ରକ୍ଷଣାବେକ୍ଷଣର ଅଭାବ ଏବଂ ବଞ୍ଚିବାର ହାର ସମ୍ପର୍କରେ ସଠିକ୍ ତଥ୍ୟ ନାହିଁ। ପ୍ରତ୍ୟେକ ବର୍ଷ ଯେତେ ସଂଖ୍ୟାରେ ଚାରାରୋପଣ ହେଉଛି, ଯଦି ବଞ୍ଚିବାର ହାରରେ ୨୫ଶତାଂଶ ସଫଳତା ମିଳନ୍ତା, ତେବେ ଦେଶ ସବୁଜିମାରେ ପରିପୂର୍ଣ୍ଣ ହୋଇସାରନ୍ତାଣି। ଅପରପକ୍ଷେ ବିପର୍ଯ୍ୟୟର ତୀବ୍ରତା ହ୍ରାସ ନିମନ୍ତେ ଉପକୂଳରେ ଅଧିକ ହେନ୍ତାଳବଣର ସୃଷ୍ଟି କରାଯିବାର ଆବଶ୍ୟକତା ଅଛି। ଏହା ଜଙ୍ଗଲ ବିଭାଗର ଯୋଜନାରେ ଅନ୍ତର୍ଭୁକ୍ତ ହେବା ଉଚିତ।
ଜୟକୃଷ୍ଣ ପାଣିଗ୍ରାହୀ