ଲସ୍‌ ଆଞ୍ଜେଲ୍‌ସରେ ଉଜ୍ଜ୍ବଳ ନୀଳ ଆକାଶ ତଳେ ପଲ ପଲ ଛେଳି ମୁକ୍ତ ଭାବରେ ପାହାଡ଼ ତୀଖରେ ଚରୁଥିବା ଦେଖାଯାଏ। ହେଲେ ସେମାନେ ସାଧାରଣ ଛେଳି ନୁହନ୍ତି, ବରଂ ସେମାନେ ହେଉଛନ୍ତି ବନାଗ୍ନି ମୁକାବିଲା କରୁଥିବାର କାଲିଫର୍ଣ୍ଣିଆର ଗୋପନ ଅସ୍ତ୍ର। ସେଠାକାର ଛେଳି ଚାଷୀମାନେ ଶହ ଶହ ସଂଖ୍ୟାରେ ଛେଳି ରଖି ସେମାନଙ୍କୁ ନିଆଁଲିଭା କାମରେ ଖଟେଇ ବେଶ ଲାଭବାନ ହେଉଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ୧୯୮୦ ପରଠାରୁ କାଲିଫର୍ଣ୍ଣିଆରେ ବନାଗ୍ନି ଅଧିକ ବିଧ୍ବଂସକାରୀ ହୋଇ ପଡ଼ିଥିବା ବେଳେ ଏହାର ମୁକାବିଲା କରିବା ଚିନ୍ତାର କାରଣ ପାଲଟିଛି। ସେଠାରେ ୨୦୨୧ରେ ୯,୬୦,୦୦୦ ଏକର ଜଙ୍ଗଲ ପୋଡ଼ି ପାଉଁଶ ହୋଇଯାଇଥିଲା। ଗତବର୍ଷ ମଧ୍ୟ ୩,୦୦,୦୦୦ ଏକର ଜଙ୍ଗଲ ସଂପୂର୍ଣ୍ଣ ପୋଡ଼ିଯାଇଥିଲା। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଅଢ଼େଇ ଲକ୍ଷ ଏକର ଜଳିସାରିଲାଣି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗରମ ଓ ଶୁଷ୍କ ପରିସ୍ଥିତି ଅଗ୍ନିକାଣ୍ଡର ବିପଦ ଓ ତୀବ୍ରତା ବଢ଼ାଇ ଚାଲିଛି।

ମଲା ଗଛ ଓ ଶୁଖିଲା ଗୁଳ୍ମ ବନାଗ୍ନି ଲାଗି ବିପଜ୍ଜନକ ଇନ୍ଧନ ସୃଷ୍ଟି କରିଥାଏ। ତେଣୁ ସେଗୁଡ଼ିକୁ ମଣିଷ ଦ୍ବାରା ସଫା କରିବା ଅସମ୍ଭବ। ହେଲେ ପଛଗୋଡ଼ରେ ଦୁଇ ମିଟର ଯାଏ ଛିଡ଼ା ହୋଇ ଗଛର ଡାଳପତ୍ର ଓ ଗୁଳ୍ମ ଖାଇ ପଦା କରିବାରେ ଛେଳି ପାରଙ୍ଗମ। ତାହାର ଅତୃପ୍ତ ଭୋକ ସାଙ୍ଗକୁ ଯୌଗିକକୁ ବିଶୋଧନ କରିବାର କ୍ଷମତା ରହିଥିବାରୁ ଅନେକ ବିଷାକ୍ତ ଗଛକୁ ମଧ୍ୟ ସେମାନେ ଖାଇଯାଆନ୍ତି। ସେହିପରି ମନୁଷ୍ୟ ଯାଇପାରୁନଥିବା ତୀଖ ପାହାଡ଼ ଚଢ଼ିବାରେ ମଧ୍ୟ ସେମାନେ ଧୁରନ୍ଧର। ତେଣୁ ଗୁଳ୍ମ ହଟାଇବା ଲାଗି ଛେଳିକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି। ଏଥିପାଇଁ ଛେଳି ଚାଷୀଙ୍କୁ ମଧ୍ୟ ଉପଯୁକ୍ତ ପାଉଣା ଦିଆଯାଉଛି। ଏବେ କେତେକ ସରକାରୀ ଅଗ୍ନିଶମ ବିଭାଗ ମଧ୍ୟ ବନାଗ୍ନିର ଭୟାବହତା ସୃଷ୍ଟିକାରୀ ଗୁଳ୍ମ ହଟାଇବା ଲାଗି ଛେଳି ପାଳନ କରୁଛନ୍ତି। ପୂର୍ବରୁ ଏହିସବୁ ଗୁଳ୍ମ ହଟାଇବା ପାଇଁ ବିଷାକ୍ତ ରସାୟନ ବା ଲୋକବଳ ବ୍ୟବହାର କରି ଆସୁଥିଲେ। ଏବେ ଛେଳିମାନେ ଏହି କାମ ଖୁବ୍ କମ୍ ସମୟରେ ସମ୍ପାଦନ କରିପାରୁଛନ୍ତି।