‘ଶ୍ରୀମଦ୍ଭଗବଦ୍ଗୀତା’ କଥା ସମସ୍ତଙ୍କୁ ଜଣା। ମହାଭାରତ ଯୁଦ୍ଧରେ ଏହା ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି। ସଂସ୍କୃତ ‘ମହାଭାରତ’ରେ ‘ଭୀଷ୍ମପର୍ବ’ର ୨୫ ଅଧ୍ୟାୟରୁ ୪୨ ଅଧ୍ୟାୟ ପର୍ଯ୍ୟନ୍ତ ୧୮ଟି ଅଧ୍ୟାୟରେ ଏହା କୁହାଯାଇଛି। ଏହା ଏକ ସ୍ୱତନ୍ତ୍ର ପୁସ୍ତକର ମାନ୍ୟତା ପାଇଥାଏ। ‘ଈଶ୍ୱରଗୀତା’ ନାମରେ ଆଉ ଗୋଟିଏ ଗୀତା ମଧ୍ୟ ଅଛି। ଏହା କହିଛନ୍ତି ମହେଶ୍ୱର ଶିବ। ଏହାର ଶ୍ରୋତା ହେଉଛନ୍ତି ବିଷ୍ଣୁ ଓ ସନତ୍ କୁମାର ଆଦି ଋଷିଗଣ। ଏ ଗୀତା ‘ଈଶ୍ୱରକଥିତ ଗୀତା’ ବା ‘ଈଶ୍ୱରଗୀତା’ ଭାବରେ ଖ୍ୟାତ ଏବଂ ‘କୂର୍ମପୁରାଣ’ର ଅନ୍ତର୍ଗତ। ‘କୂର୍ମପୁରାଣ’ ଅଷ୍ଟାଦଶ ପୁରାଣର ଅନ୍ତର୍ଗତ ଏବଂ ଏହାର ରଚୟିତା ମଧ୍ୟ ବ୍ୟାସଦେବ। ସଂପ୍ରତି ସୂର୍ଯ୍ୟମଣି ଖୁଣ୍ଟିଆଙ୍କ ଦ୍ୱାରା ଏହା ସଂପାଦିତ ଓ ଅନୂଦିତ ହୋଇ ୨୦୨୧ ମସିହା ମହାଶିବରାତ୍ରି ଅବସରରେ ପୁସ୍ତକ ଆକାରରେ ପ୍ରକାଶ ପାଇଛି।
‘ଈଶ୍ୱରଗୀତା’ର ବିଷୟବସ୍ତୁ ତାତ୍ତ୍ୱିକ। ସେଥିରେ କୁହାଯାଇଛି- ଆତ୍ମା ଶୁଦ୍ଧ, ସନାତନ ଓ ସଚ୍ଚିଦାନନ୍ଦ ସ୍ୱରୂପ। ଏହାଦ୍ୱାରା ବିଶ୍ୱର ଉତ୍ପତ୍ତି, ସ୍ଥିତି ଓ ବିନାଶ ସମ୍ଭବ। ଏହା ପୃଥିବୀ ଆଦି ପଞ୍ଚଭୂତର ଅତୀତ। ଯେପରି ଆଲୋକ ଓ ଅନ୍ଧକାରର ସଂପର୍କ ସମ୍ଭବ ନୁହେଁ, ସେପରି ପ୍ରପଞ୍ଚ (ସାଂସାରିକ ଆୟୋଜନ) ଓ ପରମାତ୍ମାଙ୍କ ସମ୍ବନ୍ଧ ସମ୍ଭବ ନୁହେଁ। ‘ଈଶ୍ୱର ଗୀତା’ରେ କୂର୍ମରୂପୀ ବିଷ୍ଣୁଙ୍କର କଥାକୁ ଭଗବାନ ଶଙ୍କର ନିଜ ମୁଖରେ କହିଛନ୍ତି। ତାହା ହେଉଛି- “ମୁଁ ଆତ୍ମା, ମୁଁ ଅବ୍ୟକ୍ତ, ମୁଁ ମାୟାବୀ ପରମେଶ୍ୱର। ମୁଁ ସର୍ବତୋମୁଖ, ସର୍ବରୂପ, ସର୍ବରସ, ସର୍ବଗନ୍ଧ, ଏବଂ ଅଜର ଓ ଅମର। ମୁଁ ସର୍ବତଃ ପାଣିପାଦ, ସନାତନ ଅନ୍ତର୍ଯ୍ୟାମୀ। ମୁଁ ବିନା ହାତରେ ଗ୍ରହଣ କରେ, ବିନା ପାଦରେ ଚାଲିପାରେ, ବିନା ଚକ୍ଷୁରେ ଦେଖିପାରେ ଓ ବିନା କର୍ଣ୍ଣରେ ଶୁଣିପାରେ। ମୁଁ ସବୁର ଜ୍ଞାତା, କିନ୍ତୁ ମୋତେ କେହି ଜାଣନ୍ତି ନାହିଁ। ତତ୍ତ୍ୱଦର୍ଶୀମାନେ ମୋତେ ମହତ୍ ପୁରୁଷ କହନ୍ତି।” ଏହି ଗୀତାରେ ଅହିଂସା ଓ ସତ୍ୟର ଜୟଗାନ କରାଯାଇଛି ଏବଂ ଅହିଂସା ଓ ସତ୍ୟକୁ ପରମ ଧର୍ମ କୁହାଯାଇଛି। ପୁଣି କୁହାଯାଇଛି- ସତ୍ୟଦ୍ୱାରା ସବୁ କିଛି ପ୍ରାପ୍ତ ହୁଏ ଏବଂ ସବୁକିଛି ସତ୍ୟରେ ହିଁ ପ୍ରତିଷ୍ଠିତ।