ଜାପାନର ଗନ୍ମା ପ୍ରଦେଶ ଅନ୍ତର୍ଗତ ଇତାକୁରା ସହର ସ୍ଥିତ ଏକ ସ୍ଥାନୀୟ ଗୋଷ୍ଠୀ କେନ୍ଦ୍ରରେ ଏକ ଅଦ୍ଭୁତ ଭାସ୍କର୍ଯ୍ୟ ଶୋଭାପାଉଛି। ‘କୋଞ୍ଚୁ ସେଞ୍ଜୁ-କାନ୍ନନ’ ନାମକ ମୂର୍ତ୍ତିଟି ଅସଂଖ୍ୟ ମଲା ଗୋବର ପୋକମାନଙ୍କୁ ନେଇ ନିର୍ମିତ। ମୂର୍ତ୍ତିଟିର ମଥାରେ ଗୁଞ୍ଜର ପୋକମାନଙ୍କ ଖୋଳର ଏକ ଜାଜ୍ଜ୍ବଲ୍ୟମାନ ପଟି ରହିଛି ଏବଂ କପାଳରେ କାଠପୋକ ଖୋଳର ଏକ ମୁକୁଟ ଲାଗିଛି। ପୁଣି ଉକ୍ତ ଦେବୀ ପ୍ରତିମା ବୁଢ଼ିଆଣୀ, ମାଙ୍କଡ଼ସାମାନଙ୍କ ଏକ ସିଂହାସନ ଉପରେ ବସିଛନ୍ତି, ଯେଉଁଥିରୁ ସବୁ ଦିଗକୁ ଭଅଁର ପୋକର ଶୁଣ୍ଢ ବାହାରିଛି। ତାଙ୍କ ପାଦ ତଳେ ମାଟି ଗୁଞ୍ଜରମାନଙ୍କର ଏକ ଆସ୍ଥାନ ରହିଛି। ଏପରି ବିଭିନ୍ନ ଜାତିର ଗୋବର ପୋକ ସଂଗ୍ରହ କରିବାରେ ରୁଚି ରଖିଥିବା ଇନାମୁରା ନାମକ ଜଣେ ଇତାକୁରା ବାସିନ୍ଦା ପ୍ରାୟ ୨୦ ହଜାରରୁ ଅଧିକ ମଲା ପୋକଙ୍କ ଖୋଳରେ ଏହି ପ୍ରତିମାଙ୍କୁ ଗଢ଼ିବା ଲାଗି ୬ ବର୍ଷ ସମୟ ନେଇଥିଲେ।

Advertisment

ଉଲ୍ଲେଖଯୋଗ୍ୟ, ଜାପାନର ଗ୍ରାମାଞ୍ଚଳମାନଙ୍କରେ ଦେଖାଦେଉଥିବା ବିଭିନ୍ନ ପ୍ରଜାତିର ଗୋବର ପୋକକୁ ଲୋକେ ସଂଗ୍ରହ କରିବାର ଏକ ପରମ୍ପରା ରହିଛି। ତେବେ ସେମାନଙ୍କ ଭିତରୁ ନିଜର ସ୍ବଚ୍ଛ ସବୁଜ ଖୋଳ ଉପରେ ଇନ୍ଦ୍ରଧନୁର ବର୍ଣ୍ଣାଳି ସୃଷ୍ଟି କରିପାରୁଥିବା ଗୁଞ୍ଜର ପୋକମାନଙ୍କର ଚାହିଦା ବେଶୀ। ଏହି ବିରଳ ପୋକ ଜାପାନରେ ଅଷ୍ଟାଦଶ ଶତାବ୍ଦୀରେ ନିର୍ମିତ ହୋରୟୁଜି ବୌଦ୍ଧମନ୍ଦିରର କ୍ଷୁଦ୍ର ପ୍ରତିକୃତି ତାମାମୁସି ପୀଠ ନିର୍ମାଣରେ ବ୍ୟବହୃତ ହୋଇଛି। ଏଥିରେ ଉତ୍ସାହିତ ହୋଇ ଇନାମୁରା ଉକ୍ତ ପ୍ରତିମା ଗଢ଼ିଥିବା ଅନୁମାନ କରାଯାଉଛି। ତେବେ ଏହି ମୂର୍ତ୍ତି ମନୁଷ୍ୟ ହାତରେ ଜୀବନ ହାରିଥିବା ସମସ୍ତ ପୋକମାନଙ୍କ ପାଇଁ ଉତ୍ସର୍ଗୀକୃତ।

ସୂଚନାଯୋଗ୍ୟ, ଜାପାନୀ ବୌଦ୍ଧଧର୍ମରେ କୀଟପତଙ୍ଗମାନଙ୍କୁ ସ୍ମରଣ କରିବା ଅତି ସାଧାରଣ କଥା। କିଛି ଲୋକଙ୍କ ଦୃଷ୍ଟିରେ ଏହି ଦେବୀ ପ୍ରତିମା ଚମତ୍କାର ହୋଇଥିବା ବେଳେ ଆଉ କିଛି ଲୋକ ଏହାକୁ ଭୟଙ୍କର ମନେ ହୋଇଥାନ୍ତି। ତେବେ ଏହି ଦେବୀ ମୂର୍ତ୍ତି ଶାନ୍ତ ଭାବରେ ଛାଇରେ ବସି ରହି କୀଟପତଙ୍ଗମାନଙ୍କ ପ୍ରତି ଦୟା ଝରାଇଚାଲିଛନ୍ତି।