ମା’ଲକ୍ଷ୍ମୀ ନୀଳାଚଳବାସିନୀ। ‘ଶ୍ରୀଗୋପାଳସହସ୍ରନାମ’, ‘ଶ୍ରୀଶ୍ରୀବ୍ରହ୍ମସଂହିତା’, ‘ଶ୍ରୀଯୁଗଳସହସ୍ରନାମ’ ଆଦିରେ ‘ଶ୍ରୀକୃଷ୍ଣ-ଶ୍ରୀରାଧା’ ତଥା ‘ଶ୍ରୀବିଷ୍ଣୁ-ଶ୍ରୀଲକ୍ଷ୍ମୀଙ୍କର ସୁନ୍ଦର ବର୍ଣ୍ଣନା କରାଯାଇଛି। ‘ଶ୍ରୀଗୋପାଳସହସ୍ରନାମ’ରେ ଗୋପାଳଙ୍କର ନାମ ବର୍ଣ୍ଣନାକ୍ରମରେ ‘ଶ୍ରୀପତିଃ’ ଓ ‘ମାପତିଃ’ର ଉଲ୍ଲେଖ ଅଛି। ଶ୍ରୀନାରାୟଣ ଯେ ଶ୍ରୀ ଅର୍ଥାତ୍ ଲକ୍ଷ୍ମୀଙ୍କର ପତି ଏବଂ ମା’ ଅର୍ଥାତ୍ ଲୋକମାତା ଲକ୍ଷ୍ମୀଙ୍କର ପତି, ସେଥିରୁ ଏହା ସୂଚିତ ହୁଏ। ‘ଶ୍ରୀଶ୍ରୀ ବ୍ରହ୍ମସଂହିତା’ରେ ମଧ୍ୟ ଆଦିପୁରୁଷ ଶ୍ରୀଗୋବିନ୍ଦ ଶତସହସ୍ର ଲକ୍ଷ୍ମୀଙ୍କଦ୍ବାରା ସାଦର ପରିସେବିତ ହୁଅନ୍ତି ବୋଲି ବର୍ଣ୍ଣନା ଅଛି। ସେଥିରେ କୁହାଯାଇଛି- ଲକ୍ଷ ଲକ୍ଷ କଳ୍ପବୃକ୍ଷରେ ଆବୃତ ଚିନ୍ତାମଣି ସ୍ବଗଠିତ ଗୃହସମୂହରେ ସୁରଭି ଅର୍ଥାତ୍ କାମଧେନୁମାନଙ୍କୁ ପାଳନ କରନ୍ତି ଏବଂ ସହସ୍ରଶତ ଲକ୍ଷ୍ମୀମାନଙ୍କ ଦ୍ବାରା ଆଦରରେ ସେବିତ ହୁଅନ୍ତି। ଏହି ଆଦିପୁରୁଷ ଗୋବିନ୍ଦଙ୍କୁ ମୁଁ ଭଜନ କରୁଛି। ଏଠାରେ ‘ଲକ୍ଷ ଲକ୍ଷ’ ଓ ‘ସହସ୍ରଶତ’ ଅନନ୍ତ ସଂଖ୍ୟାବାଚକ।
‘ଶ୍ରୀଯୁଗଳସହସ୍ରନାମ’ରେ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କର ଏକସହସ୍ରନାମର ଅବତାରଣା କରାଯାଇଛି। ସେଥିରେ ରହିଛି ଶ୍ରୀରାଧାଙ୍କର ପଞ୍ଚଶତ ନାମ। ତେବେ ସେହି ନାମସମୂହ ମଧ୍ୟରୁ ଯେଉଁ ଚାରିଟି ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ, ତାହା ହେଉଛି- ‘ଶ୍ରୀକୃଷ୍ଣହୃଦୟବସା’, ‘ମୁକ୍ତା-କନକନାସିକା’, ‘ସହସ୍ରକଙ୍କଣଯୁତା’ ଓ ‘ଶ୍ରୀମନ୍ନିଳଗିରିସ୍ଥିତା’। ଏହି ଚାରି ନାମର ତାତ୍ପର୍ଯ୍ୟ ହେଉଛି- ଶ୍ରୀକୃଷ୍ଣଙ୍କ ହୃଦମନ୍ଦିରରେ ଯେ ବାସ କରିଥାନ୍ତି, ଯେ ନାସିକାରେ ମୁକ୍ତାଯୁକ୍ତ ସ୍ବର୍ଣ୍ଣାଳଙ୍କାର ଧାରଣ କରନ୍ତି, ଯେ ହସ୍ତରେ ଉତ୍କୃଷ୍ଟ ରତ୍ନଜଡ଼ିତ କଙ୍କଣ ପରିଧାନ କରନ୍ତି, ଶୋଭାସଂପନ୍ନା ନୀଳାଚଳ ତାଙ୍କର ନିବାସ। ଏହା ସୂଚାଏ, ଯେ ମା’ ଲକ୍ଷ୍ମୀ ନୀଳାଚଳବାସିନୀ ଏବଂ ନୀଳାଚଳରେ ଲକ୍ଷ୍ମୀ-ନାରାୟଣଙ୍କର ରହିଛି ଏକାତ୍ମସ୍ଥିତି। ଶ୍ରୀମନ୍ଦିରର ମୁଖ୍ୟ ପ୍ରବେଶପଥର ତୋରଣରେ ତୋରଣ ଲକ୍ଷ୍ମୀ ଭାବରେ, ଶ୍ରୀମନ୍ଦିରର ରତ୍ନବେଦୀରେ ସ୍ବର୍ଣ୍ଣପ୍ରତିମା ଶ୍ରୀଦେବୀ ରୂପରେ ଏବଂ ଶ୍ରୀମନ୍ଦିର ପରିସରର ସ୍ବତନ୍ତ୍ର ମନ୍ଦିରରେ ଏହି ଦେବୀ ଲକ୍ଷ୍ମୀ ବିରାଜିତା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/29/whkcH3Kl2sRyNjYLaQ8A.jpg)