ହନୁମାନ ସିଂହିକାକୁ ବଧ କରି ଯାଇ ଲଙ୍କାର ସୁବଳଗିରିରେ ପହଞ୍ଚିଲେ। ସୁବଳଗିରି ଉପରୁ ସେ ଲଙ୍କାର ସୌନ୍ଦର୍ଯ୍ୟ ଦେଖି ମୁଗ୍ଧ ହୋଇ ଚତୁର୍ଦ୍ଦିଗକୁ ଅବଲୋକନ କଲେ। କିଛି ସମୟ ସୁବଳଗିରିରେ ବିଶ୍ରାମ ନେଲେ। ଦେବୀ ସୁରସାଙ୍କର ଉପଦେଶ ଅନୁଯାୟୀ ସେଠାରେ ସେ ସଂଧ୍ୟାକାଳକୁ ଅପେକ୍ଷା କରି ରହିଲେ। ରାତ୍ରି ଉପଗତ ହେଲା ପରେ ସେ ଲଙ୍କାନଗରୀ ମଧ୍ୟରେ ପ୍ରବେଶ କଲେ। ଲଙ୍କାର ଦ୍ବାରଦେଶରେ ପହଞ୍ଚିଲା ବେଳେ ଏକ ବିଶାଳକାୟ ନାରୀ ମୂର୍ତ୍ତି ତାଙ୍କର ପଥରୁଦ୍ଧ କରି ଦଣ୍ଡାୟମାନ ହୋଇଗଲା। ଦ୍ବାରଦେଶରେ ପଥରୋଧ କରି ଠିଆ ହୋଇଥିବା ଏହି ମୂର୍ତ୍ତି ଅଧା ଦେବୀ ଓ ଅଧା ରାକ୍ଷସୀ ଭଳି ଦେଖାଯାଉଥିଲା। ସେହି ନାରୀମୂତ୍ତି ବହୁ ଅଳଙ୍କାର ଓ ରକ୍ତବସ୍ତ୍ରରେ ସୁସଜ୍ଜିତ ଥିଲା। ତାର ପିଙ୍ଗଳ ଚକ୍ଷୁ ଓ ତୀକ୍ଷ୍ଣ ଦନ୍ତ ଅତ୍ୟନ୍ତ ଭୟଙ୍କର ଥିଲା। ବିଭିନ୍ନ ଅସ୍ତ୍ରଶସ୍ତ୍ର ମଧ୍ୟ ସେ ଧାରଣ କରିଥିଲା। ହନୁମାନଙ୍କୁ ଦେଖି ଭୀଷଣ ଗର୍ଜନ କରି ସେ ହନୁମାନଙ୍କୁ ପଚାରିଲେ, ତୁ କିଏ? ରାତିରେ ପୁଣି କ’ଣ କରୁଛୁ? ବାନର ହୋଇ ତୁ କାହିଁକି ଲଙ୍କାରେ ପ୍ରବେଶ କରିଛୁ?
ହନୁମାନ ନିଜର ପରିଚୟ ଲୁଚାଇ ଅତି ବିନୀତ ଭାବରେ କହିଲେ, ‘‘ଲଙ୍କା ଅତି ସୁନ୍ଦର ନଗରୀ। ଏହାର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ମୁଁ ଲଙ୍କା ଦେଖିବାକୁ ଆସିଛି। ମୋର ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ। ମୋତେ ବାଟ ଛାଡ଼ନ୍ତୁ। ଲଙ୍କିନୀ ଗର୍ଜନ କରି କହିଲା, ମୋର ବିନା ଅନୁମତିରେ କେହି ଲଙ୍କା ମଧ୍ୟରେ ପ୍ରବେଶ କରିପାରିବେ ନାହିଁ। ଏହା କହିବା ସହିତ ଘୋର ଗର୍ଜନ କରି ସେ ହନୁମାନଙ୍କୁ ଆକ୍ରମଣ କଲା। ଏଥିରେ କ୍ରୋଧିତ ହୋଇ ହନୁମାନ ତାଙ୍କୁ ଏକ ଚାପୁଡ଼ା ମାରିଲେ। ଚାପୁଡ଼ା ଆଘାତ ସହି ନ ପାରି ଲଙ୍କାଦେବୀ ମୂର୍ଚ୍ଛିତ ହୋଇ ଭୂମିରେ ଲୋଟିପଡ଼ିଲେ। କିଛି ସମୟ ପରେ ଚେତାପାଇ ଲଙ୍କିନୀ ହନୁମାନଙ୍କୁ ଚିହ୍ନିପାରି ଆନନ୍ଦିତ ହୋଇ କହିଲେ, ‘‘ତୁହି ତ ମାରୁତିରେ କପିକୁଳମଣି। ଶ୍ରୀରାମଙ୍କର କାର୍ଯ୍ୟ ସିଦ୍ଧି କରିବାକୁ ଆସିଛୁ।’’ ଲଙ୍କିନୀର କଥା ଶୁଣି ହନୁମାନ ଆଶ୍ଚର୍ଯ୍ୟ ପ୍ରକଟ କରିବାରୁ ଲଙ୍କିନୀ ନିଜର ସଂପୂର୍ଣ୍ଣ ପରିଚୟ ହନୁମାନଙ୍କୁ ଦେଇ କହିଥିଲେ- ଏକଦା ଦେବୀ ବ୍ରହ୍ମଲୋକର ମୁଖ୍ୟ ସୁରକ୍ଷାକାରିଣୀ ଥିଲେ। ତାଙ୍କର ବିନା ଅନୁମତିରେ କେହି ବ୍ରହ୍ମଲୋକରେ ପ୍ରବେଶ କରିପାରୁ ନ ଥିଲେ। ଏହି ଅଖଣ୍ଡ କ୍ଷମତା ଫଳରେ ତାଙ୍କ ମନରେ ପ୍ରବଳ ଅହଂକାର ଓ ଗର୍ବ ଥିଲା। ଆସ୍ତେ ଆସ୍ତେ ତାଙ୍କର ଅହଂକାର ଶିଖର ଛୁଇଁଲା। କ୍ରମଶଃ ସେ ବ୍ରହ୍ମଲୋକର ଅଧିବାସୀମାନଙ୍କୁ ଦୁର୍ବ୍ୟବହାର କରିବାକୁ ଆରମ୍ଭ କଲେ। ବ୍ରହ୍ମଲୋକ ସାତ୍ତ୍ବିକ ଜଗତ। ସେଠାରେ ଆସୁରିଶକ୍ତିର ପ୍ରବେଶ ନିଷେଧ। ଅଥଚ ବ୍ରହ୍ମଲୋକର ରକ୍ଷିକା ଅହଂକାର, ହିଂସା ଆଦି ଆସୁରି ପ୍ରବୃତ୍ତିର ବଶବର୍ତ୍ତୀ ହେବାରୁ ବ୍ରହ୍ମା ତାଙ୍କୁ ଅଭିଶାପ ଦେଲେ, ସେ ମର୍ତ୍ତ୍ୟଲୋକ ଯାଇ ଅସୁରମାନଙ୍କ ସହିତ ଜୀବନ ବିତାଇବେ। ବିଚଳିତ ହୋଇ ଲଙ୍କିନୀ ବ୍ରହ୍ମାଙ୍କୁ କ୍ଷମା ମାଗିବାରୁ ବ୍ରହ୍ମା ତାଙ୍କୁ କହିଲେ- ଏଠାରୁ ଯାଇ ରାକ୍ଷସ ରାବଣର ସେବାରେ ନିଯୁକ୍ତ ହୋଇ ତୁ ତା’ର ଗଡ଼ ଜଗି ରହିବୁ। ଯେତେବେଳେ ଶ୍ରୀରାମଙ୍କର କାର୍ଯ୍ୟସିଦ୍ଧି ନିମିତ୍ତ ଜଣେ ବାନର ଆସିବ ଏବଂ ତୋତେ ସେ ପରାଜିତ କରିବ, ସେତେବେଳେ ତୁ ମୁକ୍ତି ପାଇବୁ।’’ ଏହା କହି ଲଙ୍କିନୀ ତା’ର ଆସୁରି ଶରୀର ତ୍ୟାଗ କରି ବ୍ରହ୍ମଲୋକ ଗମନ କଲା। ହନୁମାନଙ୍କ ହାତରେ ଲଙ୍କିନୀ ମୁକ୍ତି ପ୍ରାପ୍ତ ହେଲେ।
ପ୍ରାଚୀନ କାଳରେ ପଶ୍ଚିମ ଲଙ୍କା ନାମରେ ନାମିତ ଓଡ଼ିଶାର ସୁବର୍ଣ୍ଣପୁର ଜିଲାର ସୋନପୁର ସହର ନିକଟରେ ପ୍ରବାହିତ ମହାନଦୀ ମଧ୍ୟରେ ଲଙ୍କେଶ୍ବରୀଙ୍କର ଏକ ମନ୍ଦିର ଅଛି। ପଶ୍ଚିମ ଲଙ୍କାର ସେ ଥିଲେ ଅଧିଷ୍ଠାତ୍ରୀ ଦେବୀ। ଶଙ୍ଖ, ଚକ୍ର, ତ୍ରିଶୂଳ ଓ ଶୂଳଧାରିଣୀ, ରକ୍ତବସ୍ତ୍ର ପରିହିତା ଦେବୀଙ୍କର ପ୍ରସ୍ତରମୂର୍ତ୍ତି ଏହି ମନ୍ଦିର ମଧ୍ୟରେ ବିଦ୍ୟମାନ। ସଂପ୍ରତି କୈବର୍ତ୍ତ ସଂପ୍ରଦାୟର ପୂଜକମାନଙ୍କ ଦ୍ବାରା ଏହି ଦେବୀ ପୂଜିତା ହେଉଛନ୍ତି। ଆସାମରେ ମଧ୍ୟ ଏକ ଲଙ୍କେଶ୍ବରୀ ମନ୍ଦିର ଥିବାର ଜଣାଯାଏ। ଏହା ଆସାମର ଏକ ପ୍ରଧାନ ଶକ୍ତିପୀଠ। ଏହି ମନ୍ଦିରର ମୁଖ୍ୟ ଦେବତା ଲଙ୍କେଶ୍ବରୀ ଶ।
-ଡକ୍ଟର ତୁଳସୀ ଓଝା