ନରସିଂହପୁର: କଟକ ଜିଲ୍ଲା ନରସିଂହପୁର ବ୍ଲକ୍ର ଘଞ୍ଚ ଅରଣ୍ୟ ପରିବେଷ୍ଟିତ ମନୋରମ ପରିବେଶରେ ରହିଛି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ମା’ ପ୍ରଗଳାଙ୍କ ପୀଠ। ବ୍ଲକ୍ ସଦର ମହକୁମାରୁ ୨୦ କିଲୋମିଟର ଦୂର ବଡ଼ଭୂଇଁ ପଞ୍ଚାୟତର ଜୟପୁର ଗ୍ରାମର ଅନତି ଦୂରରେ ରହିଛି ପ୍ରତ୍ୟକ୍ଷ ଠାକୁରାଣୀ ମା’ ପ୍ରଗଳାଙ୍କ ମନ୍ଦିର। ମା’ଙ୍କ ନିକଟରେ ମାନସିକ କଲେ ନିଶ୍ଚୟ ପୂରଣ ହୁଏ ବୋଲି ବିଶ୍ବାସ ରହିଛି। ଏହି ପୀଠରେ ଦୁଇଟି ଖଣ୍ଡା ରୂପରେ ପୂଜା ପାଆନ୍ତି ମା’। ସେଥିମଧ୍ୟରୁ ଗୋଟିଏ ଖଣ୍ଡା ୨ ଦିନ, ୭ ଦିନ, ୧୫ ଦିନ ଧରି ଅନ୍ତର୍ଦ୍ଧାନ ହୋଇଯାଏ। ଏପରିକି ମାସେ ଦୁଇମାସ ପର୍ଯ୍ୟନ୍ତ ଏହି ଖଣ୍ଡା ଅନ୍ତର୍ଦ୍ଧାନ ହେବାର ଦେଖାଯାଇଛି ବୋଲି ପୂଜକ କୁହନ୍ତି। ଶାରଦୀୟ ଦୁର୍ଗାପୂଜାର ଆଦ୍ୟ ପର୍ବ ସମୟରେ ନରସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା’ ପ୍ରଗଳା ରାଜବାଟୀକୁ ଆଗମନ କରନ୍ତି। ମୂଳାଷ୍ଟମୀ ମଧ୍ୟରାତ୍ରିରେ ମା’ ପ୍ରଥମେ ନରସିଂହପୁର ରାଜବାଟୀ ନିକଟ ବରଡାଳିଆ ପୋଖରୀକୁ ଆସିଥା’ନ୍ତି। ଏହାପରେ ପ୍ରତିବର୍ଷ ରାଜବାଟୀରେ ସପ୍ତମୀ ପର୍ଯ୍ୟନ୍ତ ମା’ଙ୍କୁ ଷୋଡ଼ଶ ଉପଚାରରେ ପୂଜା କରାଯାଏ। ଅଷ୍ଟମୀ ତିଥି ନିଶାର୍ଦ୍ଧରେ ସମସ୍ତଙ୍କ ଅଗୋଚରରେ ରାଜବାଟୀରୁ ଜୟପୁରସ୍ଥିତ ମନ୍ଦିରରେ ଆବିର୍ଭାବ ହୁଅନ୍ତି ମା’। ଏହି ଅଲୌକିକ ଘଟଣା ଦେଖିବା ପାଇଁ ଭକ୍ତଙ୍କର ପ୍ରବଳ ସମାଗମ ହୋଇଥାଏ। ମା’ଙ୍କର ଅଷ୍ଟମୀ, ନବମୀ ଓ ଦଶମୀ ପୂଜା ଜୟପୁରସ୍ଥିତ ମନ୍ଦିରରେ ଅନୁଷ୍ଠିତ ହୋଇଥାଏ ବୋଲି ପୂଜକ ତ୍ରିଲୋଚନ ଦେହୁରୀ କୁହନ୍ତି।
କିମ୍ବଦନ୍ତି ଅନୁସାରେ, ପ୍ରାୟ ୨୦୦ ବର୍ଷ ତଳେ ନରସିଂହପୁରର ତତ୍କାଳୀନ ରାଜା ଧର୍ମଜୟ ସିଂହ ପ୍ରତିବର୍ଷ ହାତୀ ପିଠିରେ ବସି ଦୁର୍ଗମ ଅଞ୍ଚଳ ଜୟପୁରରେ ମା’ ପ୍ରଗଳାଙ୍କ ଷୋଡ଼ଶ ଉପଚାର ପୂଜା କରୁଥିଲେ। କାଳକ୍ରମେ ବୟସାଧିକ କାରଣରୁ ରାଜା ମା’ଙ୍କ ନିକଟକୁ ଯାଇ ପୂଜା କରିବା ସମ୍ଭବ ହୋଇ ନ ଥିଲା। ଫଳରେ ନରସିଂହପୁରସ୍ଥିତ ରାଜବାଟୀକୁ ଆଣି ପୂଜା କରିବା ପାଇଁ ରାଜା ମା’ଙ୍କୁ ଆମନ୍ତ୍ରଣ କରିଥିଲେ। ରାଜାଙ୍କୁ ମା’ ସ୍ୱପ୍ନାଦେଶ ଦେଇ କହିଥିଲେ ଯେ ‘ମୋର ରୁଣୁଝୁଣୁ ଶବ୍ଦ ଶୁଣି ପ୍ରତି ପାଦରେ ଛାଗ ବଳି ଦେବା ସହ ଘଣ୍ଟଘଣ୍ଟା, ତୂରୀମହୁରୀ, ଢୋଲ ବଜାଇ ରାଜବାଟୀ ପର୍ଯ୍ୟନ୍ତ ପାଛୋଟି ନିଆଯାଉ। ସ୍ବପ୍ନାଦେଶ ଅନୁସାରେ ରାଜା ମୂଳାଷ୍ଟମୀ ଦିନ ଛାଗବଳି ଦେଇ ମା’ଙ୍କୁ ରାଜବାଟୀକୁ ଆମନ୍ତ୍ରଣ କରିଥିଲେ। କିନ୍ତୁ ମା’ଙ୍କୁ ଆଣିବା ବାଟରେ ରାଜବାଟୀ ନିକଟ ବରଡାଳିଆ ପୋଖରୀ ନିକଟରେ ବଳି ଦେବା ପାଇଁ ଆଉ ଛାଗ ନ ଥିଲା। ସେହିଦିନଠାରୁ ପ୍ରତିବର୍ଷ ମୂଳାଷ୍ଟମୀ ତିଥିରେ ବରଡାଳିଆ ପୋଖରୀରୁ ସ୍ବତନ୍ତ୍ର ନୂଆ ହାଣ୍ଡିରେ ରାଜବାଟୀକୁ ଶୋଭାଯାତ୍ରାରେ ପାଛୋଟି ନେବା ପାଇଁ ପୁନର୍ବାର ରାଜାଙ୍କୁ ସ୍ୱପ୍ନାଦେଶ ହୋଇଥିଲା। ଏହାପରେ ପ୍ରତିବର୍ଷ ମୂଳାଷ୍ଟମୀ ଦ୍ୱିତୀୟା ଓଷାରୁ ମାଟିର କଳସରେ ମା’ଙ୍କୁ ଆବାହନ କରାଯାଇଥାଏ। ସେଠାରୁ ମା’ଙ୍କୁ ବାଉଁଶ ବାଡ଼ିରେ ରଙ୍ଗିନ ବସ୍ତ୍ର ପରିଧାନ କରାଯାଇ ୧୦୮ ପଦ୍ମଫୁଲରେ ସୁସଜ୍ଜିତ କରାଯାଇ ରାଜବାଟୀକୁ ପାଛୋଟି ନିଆଯାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/mtnKDlSgJH6JBWjKXBqA.jpg)