ଦେବ ଦେବୀଙ୍କ ପରି ବାହା ହେଲେ ବାବାଙ୍କ ଝିଅ

ଆନ୍ଧ୍ରପ୍ରଦେଶ: ଜଣେ ବାବାଜି ନିଜ ଝିଅ ବାହାଘର ଦେବ ଦେବୀଙ୍କ ବାହାଘର ପରି କରାଇ ଆଲୋଚ୍ୟ ହୋଇଛନ୍ତି। ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ପଶ୍ଚିମ ଗୋଦାବରୀ ଜିଲ୍ଲାର ଏକ ଛୋଟ ସହର ତାନୁକୁ ଏହି ଦେବ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହ ଅନୁଷ୍ଠାନରେ ବର କନ୍ୟା ଏବଂ ଅଭ୍ୟାଗତମାନେ ଦେବ ଦେବୀଙ୍କ ପରି ବେଶପୋଷାକ ପରିଧାନ କରିଥିଲେ।

ଏମିତି ଦେବ ଦେବୀଙ୍କ ପରି ବାହାଘର ପରି ବାହାଘର ସ୍ଥାନୀୟ ବାବାଜି ଶ୍ରୀଧର ସ୍ୱାମୀଙ୍କ ଝିଅ ବାହାଘର ନିମନ୍ତେ ଆୟୋଜିତ ହୋଇଥିଲା। ତାନୁକୁ ନିକଟସ୍ଥ ମୁକ୍କାମାଲା ଠାରେ ଶ୍ରୀଧର ସ୍ୱାମୀଙ୍କର ଆଶ୍ରମଟିଏ ମଧ୍ୟ ରହିଛି। କନ୍ୟା ହର୍ଷିତା ହେଉଛନ୍ତି ବାବାଜିଙ୍କ ଝିଅ। ବାବାଜି ଶ୍ରୀଧର ସ୍ୱାମୀ ଦୁଇ ତେଲୁଗୁ ରାଜ୍ୟ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ଖୁବ୍‌ ଜନପ୍ରିୟ।

ଅଳଙ୍କାରରେ ଛାଇ ହୋଇଥିବା କନ୍ୟାକୁ ଏକ କୃତ୍ରିମ ପଦ୍ମଫୁଲରେ ବସାଇ ବେଦୀ ଉପରକୁ ଅଣା ଯାଇଥିଲା। କନ୍ୟାକୁ ଧନଧାନ୍ୟର ଦେବୀ ଲକ୍ଷ୍ମୀ ଠାକୁରାଣୀଙ୍କ ବେଶରେ ସଜା ଯାଇଥିଲା। ଭଗବାନ ବିଷ୍ଣୁଙ୍କ ବେଶରେ ବେଦୀରେ ଅପେକ୍ଷା କରି ବସିଥିଲା ବର। ଉଭୟ ବର ଏବଂ କନ୍ୟାଙ୍କ ପିତାମାତା ରାଜା ଓ ରାଣୀ ବେଶ ଧାରଣ କରିଥିଲେ। ପିଲାଙ୍କ ସମେତ ଅନ୍ୟାନ୍ୟ ଅତିଥି ଅଭ୍ୟାଗତମାନେ ମଧ୍ୟ ପାରମ୍ପରିକ ବସ୍ତ୍ର ଏବଂ ଗହଣା ପରିଧାନ କରିବା ସହ ମୁଣ୍ଡରେ ସୁନାଲି ମୁକୁଟ ପିନ୍ଧି ଥିଲେ।

ଆଦିମ କାଳରେ ବିବାହ କେବଳ ଏମିତି ଅନୁଷ୍ଠିତ ହେଉଥିଲା। ଆମେ ଯାହା ସନାତନ ପରମ୍ପରା ପାଳନ କରୁଛୁ। ବିବାହ ପବିତ୍ର ପ୍ରଣାଳୀରେ ଅନୁଷ୍ଠିତ ହେଉଥିଲା। ତାହାକୁ ପ୍ରତିଫଳିତ କରିବା ଏବଂ ସେହି ପବିତ୍ର ଭାବକୁ ଅନୁଭବ କରିବା ନିମନ୍ତେ ଆମେ ଏମିତି ବାହାଘର କରାଇଛୁ ବୋଲି ଶ୍ରୀଧର ସ୍ୱାମୀ କହନ୍ତି।

ପ୍ରତ୍ୟେକ ବାହାଘରରେ କନ୍ୟାଦାନ ସମୟରେ କନ୍ୟାକୁ ଲକ୍ଷ୍ମୀ ଠାକୁରାଣୀଙ୍କ ଅବତାର ବୋଲି ବିବେଚନା କରାଯାଏ। ମାନସ ପଟରେ ସମସ୍ତେ କନ୍ୟାକୁ ଲକ୍ଷ୍ମୀ ଦେବୀଙ୍କ ରୂପରେ ଦେଖନ୍ତି। କିନ୍ତୁ ମୁଁ ଗହଣା ଓ ବେଶ ପୋଷାକ ଯୋଗେ ଉଭୟ ମାନସ ପଟ ଏବଂ ସ୍ଥଳ ଦୃଶ୍ୟପଟରେ ତାହାକୁ ସାକାର କରାଇଛି।

କେବଳ ଆମେ ଖୁସି ହେଲୁ ନାହିଁ, ଏ ବାହାଘର ଯିଏ ଦେଖିଲା ସିଏ ଖୁସି ହେଲା। ଆମକୁ ଆଶିଷ ମିଳିଲା ପରି ଲାଗିଲା। ପୂର୍ବ ଜନ୍ମରେ ସେମାନେ ସୁକର୍ମ କରିଥିବାରୁ ମୋ ଝିଅ ଜ୍ୱାଇଁ ଖୁବ୍‌ ସୌଭାଗ୍ୟର ଅଧିକାରୀ। ମୁଁ ଚାହେଁ ସମସ୍ତେ ମୋ ପିଲାଙ୍କୁ ଆଶୀର୍ବାଦ ଦିଅନ୍ତୁ। ଆମକୁ ଆଶୀର୍ବାଦ କରୁଥିବା ସମସ୍ତଙ୍କୁ ମୁଁ ସ୍ମରଣ କରିବା ସହ ସେମାନଙ୍କ ମଙ୍ଗଳ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିବି।

ଅକ୍ଟୋବର ୬ ତାରିଖ ଦିନ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିଭାଘରର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇଲାଲ୍‌ ହୋଇଛି।

ପାଖାପାଖି ଗୋଟିଏ ଦଶନ୍ଧି ହେବ ଶ୍ରୀଧର ସ୍ୱାମୀ ନିୟମିତ ଟିଭି ଚାନେଲ୍‌ର ଦୃଶ୍ୟମାନ ହେଉଛନ୍ତି। ୨୦୧୦ରୁ ଆରମ୍ଭ ହୋଇଥିବା ତାଙ୍କ ନିଜ ୟୁ ଟ୍ୟୁବ୍‌ ଚାନେଲ୍‌ରେ ମଧ୍ୟ ତାଙ୍କ ଧର୍ମାଲୋଚନା ଅପ୍‌ଲୋଡ୍‌ ହୋଇ ଆସୁଛି।

ତେଲୁଗୁ ନିଉଜ୍‌ ଚାନେଲ୍‌ରେ ବହୁ ଘଣ୍ଟିକିଆ ଟିଭି ସୋ’ ନିମନ୍ତେ ତାଙ୍କୁ ସର୍ବଦା ଆମନ୍ତ୍ରଣ କରାଯାଇଥାଏ।

 

ସମ୍ବନ୍ଧିତ ଖବର