କାନାଡା ଯିବ କଦଳୀ, ବେବି କର୍ଣ୍ଣ: ଦୁବାଇରେ ପହଞ୍ଚିଲା ପଣସ, କଞ୍ଚା ଲଙ୍କା

ଭାରତୀୟ କଦଳୀ ଓ ବେବି କର୍ଣ୍ଣ ଖୁବ୍‌ଶୀଘ୍ର କାନାଡା ବଜାରରେ ଉପଲବ୍ଧ ହେବ। ଏହି ଦୁଇ ପ୍ରକାର ସାମଗ୍ରୀ ରପ୍ତାନି କରିବା ଲାଗି କାନାଡା ସରକାର ଭାରତକୁ ଅନୁମତି ଦେଇଛନ୍ତି। ଏହା ଦ୍ବାରା କଦଳୀ ଚାଷୀମାନେ ଉପକୃତ ହେବେ ଓ ସେମାନଙ୍କ ଆୟ ବୃଦ୍ଧି ପାଇବ ବୋଲି ସରକାର କହିଛନ୍ତି। ରପ୍ତାନିକାରୀମାନେ କାନାଡାକୁ କଦଳୀ ତୁରନ୍ତ ପଠାଇପାରିବେ। କିନ୍ତୁ, ବେବି କର୍ଣ୍ଣ ରପ୍ତାନି ଆରମ୍ଭ କରିବା ଲାଗି ଏକ ମାସ ସମୟ ଲାଗିବ। କେତେକ ବୈଷୟିକ କାରଣ ଯୋଗୁଁ ଏହାକୁ ତୁରନ୍ତ କାନାଡା ପଠାଇ ହେବନାହିଁ। ଭାରତର କୃଷି ସଚିବ ମନୋଜ ଆହୁଜା ଓ କାନାଡା ରାଷ୍ଟ୍ରଦୂତ କାମେରୁନ୍ ମ୍ୟାକେ ପରସ୍ପର ସହ ଆଲୋଚନା କରିବା ପରେ କଳଦୀ ରପ୍ତାନିକୁ ଅନୁମତି ‌ଦେବା ନିଷ୍ପତ୍ତି ହୋଇଥିଲା। ଇତି ମଧ୍ୟରେ ଦୁବାଇକୁ ପଣସ ଓ କଞ୍ଚା ଲଙ୍କା ରପ୍ତାନି ଆରମ୍ଭ ହୋଇଛି। ଆସାମର ଡୁବ୍ରି ଜିଲ୍ଲା‌ରୁ ଏହି ଦୁଇ ସାମଗ୍ରୀ ‌ରପ୍ତାନି କରାଯାଉଛି। ଆସାମରୁ ୧.୫ ଟନ୍ ପଣସ ଓ ୦.୫ ଟନ୍ କଞ୍ଚା ଲଙ୍କା ଦୁବାଇ ପଠାଯାଇଛି। ଲୁଲୁ ଗ୍ରୁପ୍ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ସେଗୁଡ଼ିକୁ ଦୁବାଇରେ ବିକ୍ରି କରାଯିବ। ଆସାମର ଚାଷୀମାନେ ଏଥିପାଇଁ ଛଅ ମାସ ହେଲାଣି ପ୍ରସ୍ତୁତି ଚଲାଇଥିଲେ।

କୃଷି ସାମଗ୍ରୀ ରପ୍ତାନି ବଜାରରେ ଭାରତର ଆଧିପତ୍ୟ ବୃଦ୍ଧି ପାଇବାରେ ଲାଗିଛି। ୨୦୨୧-୨୨ରେ ରପ୍ତାନି ୨୦% ବୃଦ୍ଧି ପାଇ ୫୦୨୧ କୋଟି ଡଲାରରେ ପହଞ୍ଚିଛି। ସର୍ବାଧିକ ୯୬୫ କୋଟି ଡଲାର ମୂଲ୍ୟର ଚାଉଳ ରପ୍ତାନି କରାଯାଇଛି। ଗହମ ରପ୍ତାନି ୨୨୦ କୋଟି ଡଲାରକୁ ବୃଦ୍ଧି ପାଇ ଦୁଗ୍ଧଜାତ ସାମଗ୍ରୀ ୬୩୪ ନିୟୁତ ଡଲାରକୁ ବୃଦ୍ଧି ପାଇଥିବା ବେଳେ କୁକୁଡ଼ା ଉତ୍ପାଦ ରପ୍ତାନି ୭୧ ନିୟୁତ ଡଲାରରେ ପହଞ୍ଚିଛି। ମେଣ୍ଢା ଓ ଛେଳି ମାଂସ ରପ୍ତାନି ୩୪% ବୃଦ୍ଧି ପାଇଛି। ଭାରତ ମୁଖ୍ୟତଃ ଏହାର କୃଷିଜାତ ସାମଗ୍ରୀଗୁଡ଼ିକୁ ବାଲାଂଦେଶ, ୟୁଏଇ, ଭିଏତନାମ, ଆମେରିକା, ନେପାଳ, ମାଲେସିଆ, ସାଉଦି ଆରବ, ଇଣ୍ଡୋନେସିଆ, ଇରାନ ଓ ଇଜିପ୍ଟକୁ ପଠାଉଛି।

ସମ୍ବନ୍ଧିତ ଖବର