ନୂଆଦିଲ୍ଲୀ: ଦେଶରେ ଏମିତି ଅନେକ ଗ୍ରାମ ଅଛି ଯେଉଁଠାରେ ସ୍ବଚ୍ଛତା ସହିତ କିଛି ଉତ୍କୃଷ୍ଟ କାର୍ଯ୍ୟ କରିବା ପାଇଁ ଗ୍ରାମବାସୀ ଲାଗିପଡ଼ିଛନ୍ତି। ଏହି କ୍ରମରେ ଦେଖିବାକୁ ଗଲେ ଜମ୍ମୁକାଶ୍ମୀରର ଅନନ୍ତନାଗ ଜିଲ୍ଲାର ଏକ ଗ୍ରାମ ଚର୍ଚ୍ଚାକୁ ଆସିଛି।

Advertisment

ଏଠାରେ ବସବାସ କରୁଥିବା ଲୋକମାନେ ପ୍ଲାଷ୍ଟିକମୁକ୍ତ ପୃଥିବୀର ସ୍ୱପ୍ନ ଦେଖୁଛନ୍ତି। ଏଥିପାଇଁ  ଗ୍ରାମରେ ସରପଞ୍ଚ ଏକ ଯୋଜନା ଲାଗୁ କରିଥିଲେ। ଅର୍ଥାତ ୨୦ କ୍ୱିଣ୍ଟାଲ ପ୍ଲାଷ୍ଟିକର ବର୍ଜ୍ୟବସ୍ତୁ ଦେଲେ ଗୋଟିଏ ସୁନା ମୁଦ୍ରା ମିଳିବ। ଏହି ଗାଁ ବର୍ତ୍ତମାନ ପ୍ଲାଷ୍ଟିକ୍ ମୁକ୍ତ ରହିଥିବା କୁହାଯାଉଛି।

ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲା ସାଦିଭାରା ଗ୍ରାମର ଲୋକେ ଏବେ ଚର୍ଚ୍ଚାରେ ଅଛନ୍ତି। କାରଣ ସେମାନଙ୍କ ଉଦ୍ୟମ ହେତୁ ଗାଁ ଆଜି ପ୍ଲାଷ୍ଟିକ୍ ମୁକ୍ତ ହୋଇପାରିଛି। ତେବେ ଏହି ଅନନ୍ୟ କାମ ପାଇଁ ସରପଞ୍ଚ ନିଜେ ନେତୃତ୍ବ ନେଇଥିଲେ।

ସାଦିଭାରା ଗ୍ରାମର ସରପଞ୍ଚ ଫାରୁକ୍ ଅହମ୍ମଦ ଗନଇ ଗାଁକୁ ପ୍ଲାଷ୍ଟିକ ପ୍ରଦୂଷଣ ମୁକ୍ତ କରିବା ପାଇଁ  ଅନେକ ଦିନରୁ ଚିନ୍ତା କରିଥିଲେ। ସେ ବୃତ୍ତି ଅନୁଯାୟୀ ଜଣେ ଓକିଲ ଥିବା ଜଣାପଡ଼ିଛି।

ଗନଇ ଗ୍ରାମକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଅନେକ ଚେଷ୍ଟା କରିଥିଲେ, କିନ୍ତୁ ସଫଳତା ପାଇ ପାରି ନଥିଲେ। ‌ଶେଷରେ ସେ ଏମିତି ଏକ ଯୋଜନା ବାଛିଥିଲେ, ଯାହା ଜରିଆରେ କିଛିଦିନ ମଧ୍ୟରେ ଗାଁ ପ୍ଲାଷ୍ଟିକ ଆବର୍ଜନା ମୁକ୍ତ ହୋଇଯାଇଥିଲା।

ଏହି ଯୋଜନାର ନାମ ହେଉଛି 'ପ୍ଲାଷ୍ଟିକ୍ ଦିଅ ଆଉ ସୁନା ନେଇ ଯାଅ'। ଏହି ଯୋଜନା ଆଧାରରେ  ଯଦି କେହି ୨୦ କ୍ୱିଣ୍ଟାଲ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଦିଅନ୍ତି, ତେବେ ପଞ୍ଚାୟତ ତାଙ୍କୁ ଏକ ସୁନା ମୁଦ୍ରା ପ୍ରଦାନ କରି‌ବ ବୋଲି ଘୋଷଣା କରାଯାଇଥିଲା।

ଏହି ଅଭିଯାନ ଆରମ୍ଭ ହେବାର  ମାତ୍ର ୧୫ ଦିନ ମଧ୍ୟରେ ସମଗ୍ର ଗାଁକୁ ପ୍ଲାଷ୍ଟିକ ମୁକ୍ତ ବୋଲି ଘୋଷଣା କରାଯାଇଥିଲା। ଅନେକ ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ସରପଞ୍ଚ ଫାରୁକ୍ ଅହମ୍ମଦ ଗନଇଙ୍କ ଏହି ଯୋଜନାକୁ ଦେଖି ନିକଟସ୍ଥ ଅନ୍ୟାନ୍ୟ ପଞ୍ଚାୟତ ଗାଁକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଏଭଳି ଯୋଜନାର ଘୋଷଣା କରିଛନ୍ତି।