ସୁନା ଉପରେ ସଭିଙ୍କ ନଜର। ସାଧାରଣ ନାଗରିକ ସୌନ୍ଦର୍ଯ୍ୟ ପାଇଁ, ବିତ୍ତଶାଳୀ ବୋଲାଇବା ପାଇଁ ଅବା ଭବିଷ୍ୟତର ସୁରକ୍ଷା ପାଇଁ ସୁନା କିଣନ୍ତି। ତେବେ ଦେଶ କାହିଁକି ସୁନା ଉପରେ ପ୍ରାଧାନ୍ୟ ଦିଏ, କେନ୍ଦ୍ରୀୟ ବ୍ୟାଙ୍କ୍ କାହିଁକି ସୁନା କିଣେ, ସୁନା ବ୍ୟବହାରରେ ଭାରତର ସ୍ଥାନ କେଉଁଠି, ପୁଣି କେବେଠୁ ବ୍ୟବହାର ହେଇ ଆସୁଛି ସୁନା ? ଏଭଳି ଅନେକ ପ୍ରଶ୍ନ ମନକୁ ଆସେ ସୁନାକୁ ନେଇ? ସୁନାର ଏପରି ଅନେକ ଦିଗକୁ ନେଇ ଏଥରର ପ୍ରଚ୍ଛଦ ପ୍ରସଙ୍ଗ....
ଆଲେଖ୍ୟ: ବିଭୂତି ପତି
ହଜାର ହଜାର ବର୍ଷ ଧରି ସାରା ବିଶ୍ବରେ ସୁନା ଆର୍ଥିକ ଶକ୍ତିର ପ୍ରତୀକ ହୋଇ ରହିଆସିଛି। ପୁଣି ଭାରତ ଭଳି ଅନେକ ରାଷ୍ଟ୍ରରେ ସୁନା ଅାଧ୍ୟାତ୍ମିକ ଓ ସାମାଜିକ-ଅର୍ଥନୈତିକ ଜୀବନର ଅବିଚ୍ଛେଦ୍ୟ ଅଙ୍ଗରେ ବି ପରିଣତ ହୋଇଛି। ବେଦରେ ମଧ୍ୟ ସୁନାର ଉଲ୍ଲେଖ ରହିଛି। ଋଗ୍ବେଦରେ ସୁନାକୁ ‘ହିରଣ୍ୟ’ ଭାବେ ଉପସ୍ଥାପିତ କରାଯାଇଛି। ଯଦି ଆମେ ମାନବ ସଭ୍ୟତା ସହ ସୁନାର ସଂପର୍କ କଥା ଚିନ୍ତା କରିବସିବା ତେବେ ଆମକୁ ପ୍ରାଗୈତିହାସିକ ଯୁଗକୁ ଫେରିଯିବାକୁ ପଡ଼ିବ। ଏହି ସମୟରେ ମଣିଷ ପ୍ରଥମେ ନଦୀଶଯ୍ୟାରୁ ସୁନା ଆବିଷ୍କାର କରିଥିଲା। ସୂଚନା ଅନୁସାରେ, ସେକାଳରେ ପୂର୍ବୟୁରୋପରେ ସୁନାକୁ ଆକର୍ଷଣୀୟ କଳାକୃତି ନିର୍ମାଣରେ ବ୍ୟବହାର ହେଉଥିବାର ପ୍ରାମାଣିକତା ବି ରହିଛି। ପ୍ରାଚୀନ ମେସୋପଟାମିଆ (ଖ୍ରୀପୂ ୪୦୦୦), ଇଜିପ୍ଟ(ଖ୍ରୀପୂ ୩୧୦୦) ଓ ବାବିଲୋନ୍ (ଖ୍ରୀପୂ ୧୫୦୦)ରେ ପ୍ରତ୍ନତାତ୍ତ୍ବିକ ଖନନ ବେଳେ ସୁନାର ବ୍ୟାପକ ପ୍ରଚଳନ ଥିବାର ପ୍ରମାଣ ଆବିଷ୍କୃତ ହୋଇଛି। ଆଉ କିଣାବିକାର ମାଧ୍ୟମ ଭାବେ ସୁନାର ପ୍ରଚଳନ କଥା ଯଦି ଆମେ ବିଚାର କରିବା ତେବେ ପ୍ରାଚୀନ ଇଜିପ୍ଟର ବ୍ୟବସାୟୀମାନେ ଅନ୍ତର୍ଜାତୀୟ କାରବାରରେ ସ୍ବର୍ଣ୍ଣମୁଦ୍ରା ବ୍ୟବହାର କରୁଥିଲେ ବୋଲି ସୂଚନା ରହିଛି। ଖ୍ରୀପୂ ୫୫୦ରେ ଲିଡିଆରେ (ଆଧୁନିକ ତୁର୍କୀ) ଶାସନ କରୁଥିବା ରାଜା କ୍ରୋଏସସ୍ ବିଧିବଦ୍ଧ ଭାବେ ସ୍ବର୍ଣ୍ଣମୁଦ୍ରାର ପ୍ରଚଳନ କରିଥିଲେ ବୋଲି କୁହାଯାଏ।
ଯଦି ଆମେ ଭାରତ କଥା ବିଚାର କରିବା ତେବେ ପ୍ରାଚୀନ ସିନ୍ଧୁ ସଭ୍ୟତାରେ ସୁନାର ବ୍ୟବହାର ଥିବା କଥା ମହେଞ୍ଜୋଦାରୋ ଓ ହରପ୍ପାର ପ୍ରତ୍ନତାତ୍ତ୍ବିକ ଖନନରୁ ଜଣାପଡ଼ିଛି। ପୁଣି କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ସୁନାର ଉତ୍ତୋଳନ, ବ୍ୟବହାର ଓ ନିୟନ୍ତ୍ରଣ ସଂପର୍କରେ ସବିଶେଷ ବର୍ଣ୍ଣନା ରହିଛି। ଭାରତୀୟ ଇତିହାସର ସୁବର୍ଣ୍ଣ ଯୁଗ ଭାବେ ବିଦିତ ଗୁପ୍ତ ଶାସନ ସମୟରେ ସ୍ବର୍ଣ୍ଣମୁଦ୍ରାର ପ୍ରଚଳନ ଥିଲା ଏବଂ ସୁନା ମୁଖ୍ୟ ଧନ ଭାବେ ପରିଗଣିତ ହେଉଥିଲା। ଏସବୁ ଐତିହାସିକ ତଥ୍ୟ ସ୍ପଷ୍ଟ ପ୍ରତିପାଦିତ କରୁଛି ଯେ ଏବେ ସୁନାକୁ ନେଇ ଆମର ଯେଭଳି ଆକର୍ଷଣ ରହିଛି, ଶହ ଶହ ବର୍ଷ ପୂର୍ବରୁ ମଧ୍ୟ ସେଭଳି ଥିଲା। ସୁନାଦର ଆକାଶଛୁଆଁ ହେଲେ ବି ଆମେ ସୁଯୋଗ ପାଇଲେ ସୁନାଟିକେ କିଣି ପକାଉଛୁ। କେବଳ ବ୍ୟକ୍ତିଗତ ସ୍ତରରେ ନୁହେଁ, ଆନୁଷ୍ଠାନିକ ସ୍ତରରେ ମଧ୍ୟ ସୁନାକିଣାକୁ ଗୁରୁତ୍ବ ଦିଆଯାଉଛି। ଯେହେତୁ ଏକ ମୂଲ୍ୟବାନ୍ ଦ୍ରବ୍ୟ ଭାବେ ସୁନାର ବଜାର ଚାହିଦା ଅପରିବର୍ତ୍ତିତ ରହିଛି, ତେଣୁ ଏହାକୁ ସ୍ଥାୟୀ ସଞ୍ଚୟ ଭାବେ ବିବେଚନା କରାଯାଉଛି। ଅନ୍ୟପକ୍ଷରେ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍ଗୁଡ଼ିକ ନିଜର ସୁନା ଭଣ୍ଡାରର ଆକାର ବଢ଼ାଇବାକୁ ଲାଗି ପଡ଼ିଛନ୍ତି।
ଭାରତୀୟ ସମାଜରେ ଉଭୟ ପୁରୁଷ ଓ ମହିଳା ସ୍ବର୍ଣ୍ଣାଳଙ୍କାର ପରିଧାନ କରିଥାଆନ୍ତି। ଏହା ପ୍ରଥମତଃ ସୌନ୍ଦର୍ଯ୍ୟର ପରିଚାୟକ ହୋଇଥିବା ବେଳେ ଦ୍ବିତୀୟରେ ବିତ୍ତଶାଳୀ ହେବାର ପରୋକ୍ଷ ସୂଚନା ଦେଇଥାଏ। ତେବେ କେବଳ ସୌନ୍ଦର୍ଯ୍ୟ ପାଇଁ ନୁହେଁ, ବରଂ ସୁନା ସବୁଠାରୁ ସୁରକ୍ଷିତ ସଞ୍ଚୟ ଭାବେ ବି ପରିଗଣିତ ହୋଇଥାଏ। ଯେହେତୁ େକୗଣସି ବି ପରିସ୍ଥିତିରେ ସୁନା ବଦଳରେ ଅର୍ଥ ମିଳିଯାଏ, ତେଣୁ ଗରିବଠାରୁ ଧନୀ ପର୍ଯ୍ୟନ୍ତ ସମସ୍ତେ ସୁନାକୁ ଭବିଷ୍ୟତ ପାଇଁ ସାଇତି ରଖନ୍ତି। ସରକାର ମଧ୍ୟ ଏହାକୁ ଗଚ୍ଛିତକରି ଦେଶର ଅର୍ଥନୀତିକୁ ସୁରକ୍ଷା ପ୍ରଦାନ କରନ୍ତି। ଏବେ ସୁନାକୁ ସବୁଠାରୁ ନିରାପଦ ସଂପତ୍ତି ବୋଲି ବିବେଚନା କରାଯାଉଛି, କାରଣ ଏହା ସ୍ଥିରତା ପ୍ରଦାନ କରେ, ମୁଦ୍ରାସ୍ଫୀତି ଠାରୁ ସୁରକ୍ଷା ଦିଏ ଏବଂ ଆର୍ଥିକ ସଂକଟ ସମୟରେ ରକ୍ଷାକବଚ ପାଲଟେ।
ମାଟି ତଳେ କେତେ ସୁନା ଅଛି?
ବିଶ୍ବ ସ୍ବର୍ଣ୍ଣ ପରିଷଦ ଦ୍ବାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ, ଏଯାବତ୍ ବିଶ୍ବରେ ପ୍ରାୟ ୨,୪୪,୦୦୦ ମେଟ୍ରିକ୍ ଟନ୍ ସୁନା ଆବିଷ୍କୃତ ହୋଇଛି। ଏଥିମଧ୍ୟରୁ ୧,୮୭,୦୦୦ ମେଟ୍ରିକ୍ ଟନ୍ ସୁନା ଉତ୍ପାଦିତ ହୋଇଛି। ପ୍ରାୟ ୫୭,୦୦୦ ଟନ୍ ସୁନା ଭୂଗର୍ଭରେ ରହିଛି। ଉତ୍ପାଦିତ ହୋଇ ନ ଥିବା ଏହି ସୁନା ମଧ୍ୟରୁ ଅଧିକାଂଶ ଚୀନ୍, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ସମେତ ଆଉ କେତେକ ଦେଶରେ ରହିିଛି ବୋଲି ଜଣାପଡ଼ିଛି।
ବିଶ୍ବରେ ଏଯାଏ ସନ୍ଧାନ କରାଯାଇଥିବା ଅଥଚ ଉତ୍ତୋଳନ ହୋଇ ନଥିବା ଗଚ୍ଛିତ ସୁନା, ଅର୍ଥାତ୍ ଖଣିରେ ଥିବା ସୁନା କଥା କହିଲେ, ପ୍ରାୟ ୧୨,୦୦୦ ମେଟ୍ରିକ୍ ଟନ୍ ସୁନା ଭଣ୍ଡାର ସହିତ ଅଷ୍ଟ୍ରେଲିଆ ଶୀର୍ଷରେ ରହିଛି। ଦ୍ବିତୀୟ ସ୍ଥାନରେ ରହିଛି ରୁଷ୍। ଏହି ଦେଶର ମାଟିତଳେ ୧୨,୦୦୦ ମେଟ୍ରିକ୍ ଟନ୍ରୁ ଟିକିଏ କମ୍ ସୁନା ରହିଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାରେ ପ୍ରାୟ ୩୨୦୦ ମେଟ୍ରିକ୍ ଟନ୍ ସୁନା ରହିଥିବା ଆକଳନ କରାଯାଇଛି। ଏମାନଙ୍କ ପଛକୁ ରହିଛି ଯୁକ୍ତରାଷ୍ଟ୍ର ଆମେରିକା। ସେଠାରେ ପ୍ରାୟ ୩,୦୦୦ ମେଟ୍ରିକ୍ ଟନ୍ ସୁନା ବିଭିନ୍ନ ଖଣିରେ ଗଚ୍ଛିତ ଅଛି, ଯାହାକି ବିଶ୍ବରେ ଚତୁର୍ଥ ସର୍ବାଧିକ। ଇଣ୍ଡୋନେସିଆ ପଞ୍ଚମ ସ୍ଥାନରେ ରହିଛି। ତେଣୁ ସମ୍ଭାବିତ ଗଚ୍ଛିତ ସୁନା ପରିମାଣ ଦୃଷ୍ଟିରୁ ବିଶ୍ବର ଏହି ପାଞ୍ଚଟି ଦେଶ ବହୁ ଆଗରେ ଅଛନ୍ତି। ଉତ୍ତୋଳନ କରାଯାଇ ନ ଥିବା ସ୍ବର୍ଣ୍ଣଭଣ୍ଡାର ଦୃଷ୍ଟିରୁ ଏମାନଙ୍କ ପଛକୁ ରହିଛନ୍ତି କାନାଡା ଓ ଚୀନ୍।
ଆମେରିକାର ଭୂତାତ୍ତ୍ବିକ ସର୍ବେକ୍ଷଣ ରିପୋର୍ଟରେ ରୁଷ୍ର ସାଇବେରିଆ ଏବଂ ଅଷ୍ଟ୍ରେଲିଆର ପଶ୍ଚିମ ଭାଗରେ ସୁନା ଖଣିଗୁଡ଼ିକରେ ବ୍ୟାପକ ଖନନ କାର୍ଯ୍ୟ ସଂପର୍କରେ ଉଲ୍ଲେଖ କରାଯାଇଛି। ୨୦୨୪ ମସିହାରେ ରୁଷ୍ ବାର୍ଷିକ ୩୧୦ ମେଟ୍ରିକ୍ ଟନ୍ ସୁନା ଉତ୍ପାଦନ କରିଥିଲା ଏବଂ ଏହାର ଅଧିକାଂଶ ଭାଗ ସାଇବେରିଆ ଏବଂ ସୁଦୂର ପୂର୍ବାଞ୍ଚଳରେ ଥିବା ଖଣିରୁ ମିଳିଥିଲା। ଅଷ୍ଟ୍ରେଲିଆର ପଶ୍ଚିମ ଭାଗ ହେଉଛି ସୁନା ଉତ୍ତୋଳନ କାର୍ଯ୍ୟକଳାପର କେନ୍ଦ୍ରସ୍ଥଳ। ଅଷ୍ଟ୍ରେଲିଆର ବାର୍ଷିକ ସୁନା ଉତ୍ପାଦନ ୩୨୦-୩୩୦ ମେଟ୍ରିକ୍ ଟନ୍ ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି।
କେନ୍ଦ୍ରୀୟ ବ୍ୟାଙ୍କ୍ ସୁନା କିଣନ୍ତି କାହିଁକି?
ସୁନା ଭଣ୍ଡାର ଆଧାରରେ ଦେଶର ମୁଦ୍ରା ମୂଲ୍ୟ ନିର୍ଦ୍ଧାରଣ କରିବା ଅଥବା ବଜାର ଅନିଶ୍ଚିତତା ହ୍ରାସ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ୍ମାନେ ସୁନା କିଣନ୍ତି ନାହିଁ। ଏହା ଏକ ରଣକୌଶଳ ମାତ୍ର। ଭୂରାଜନୈତିକ ପୁନଃସଂରଚନା ଏବଂ ପୂର୍ବାନୁମାନ କରି ହେଉ ନ ଥିବା ମୂଲ୍ୟ ସକାଶେ ସୁନାକୁ ସବୁଠାରୁ ନିରାପଦ ସଂପତ୍ତି ବୋଲି ବିବେଚନା କରାଯାଉଛି। ବ୍ୟାଙ୍କ୍ ଫର୍ ଇଣ୍ଟର୍ନ୍ୟାସନାଲ୍ ସେଟେଲ୍ମେଣ୍ଟ୍ (ବି.ଆଇ.ଏସ୍.) ଅନୁଯାୟୀ, ବିକଶିତ ଅର୍ଥନୀତିଗୁଡ଼ିକର ବାର୍ଷିକ ଅଭିବୃଦ୍ଧି ହାର ୨%ରୁ ମଧ୍ୟ ତଳେ ରହିଛି। ଅନ୍ୟପକ୍ଷରେ ମୁଦ୍ରାସ୍ଫୀତି କମିବାର ନାଁ ଧରୁନାହିଁ। ଏପରି ପରିସ୍ଥିତିରେ ‘ସାର୍ବଭୌମ ବଣ୍ଡ୍’ ପରି ପାରମ୍ପରିକ ସୁରକ୍ଷିତ ସଂପତ୍ତିରୁ ଅର୍ଥ ମିଳିବ ବୋଲି ଆଉ ଭରସା କରାଯାଇ ପାରୁନାହିଁ। ଯେତେବେଳେ କେନ୍ଦ୍ରୀୟ ବ୍ୟାଙ୍କ୍ଗୁଡ଼ିକ ସରକାର ଜାରି କରିଥିବା ମୁଦ୍ରା ପ୍ରତି ବିଶ୍ବାସ ହରାନ୍ତି ସେମାନେ ସୁନା ବା ରୁପା ପରି ଭୌତିକ ସଂପତ୍ତି ଆବଶ୍ୟକ କରନ୍ତି। ବଣ୍ଡ୍ କିମ୍ବା ମୁଦ୍ରା ପରି ହୋଇ ନ ଥିବାରୁ ଏବଂ କୌଣସି ବିପଦ ନ ଥିବାରୁ ସୁନା ଉପରେ ଭରସା କରାଯାଉଛି। ବଜାରରୁ ସୁନାର ମୂଲ୍ୟ ପାଇବାରେ କୌଣସି ବାଧା ନାହିଁ କିମ୍ବା ପ୍ରତିବନ୍ଧକ ଲଗାଇ ଏହାର କାରବାର ବନ୍ଦ କରାଯାଇ ପାରିବନାହିଁ। ତେଣୁ ବ୍ୟାଙ୍କମାନେ ସୁନା ଭଣ୍ଡାରକୁ ସୁଦୃଢ଼ କରୁଛନ୍ତି।
ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ବୈଦେଶିକ ମୁଦ୍ରା ବିନିମୟ ବିଶେଷଜ୍ଞ ମନୋରଞ୍ଜନ ଶର୍ମା କହନ୍ତି, ପୂର୍ବରୁ କେନ୍ଦ୍ରୀୟ ବ୍ୟାଙ୍କ୍ଗୁଡ଼ିକ ଅଧିକରୁ ଅଧିକ ସୁନା ଗଚ୍ଛିତ ରଖିବାର ପାରମ୍ପରିକ କାରଣ ଥିଲା ବଜାର ଅନିଶ୍ଚିତତା ଓ ଅର୍ଥନୈତିକ ସଙ୍କଟ ସମୟରେ ଏହା ସୁରକ୍ଷା ଦେବ। କିନ୍ତୁ କେନ୍ଦ୍ରୀୟ ବ୍ୟାଙ୍କ୍ଗୁଡ଼ିକ ସମ୍ପ୍ରତି ଅନ୍ୟାନ୍ୟ କାରଣ ପାଇଁ ସୁନା ରଖୁଛନ୍ତି। ଅଧିକାଂଶ ଦେଶ ଡଲାର୍ର ଆଧିପତ୍ୟକୁ କମ୍ କରିବା ପାଇଁ ଏହା କରୁଛନ୍ତି। ବିଶେଷକରି ଚୀନ୍, ଭାରତ, ତୁର୍କୀ ଓ ଅନେକ ମଧ୍ୟପ୍ରାଚ୍ୟ ଅର୍ଥନୀତି ଏପରି କରୁଛନ୍ତି ବୋଲି ଅର୍ଥନୀତିଜ୍ଞ ମନୋରଞ୍ଜନ ଶର୍ମା କହନ୍ତି। ଶ୍ରୀ ଶର୍ମାଙ୍କ ମତରେ, ସୁନା ଅନ୍ତର୍ଜାତୀୟ କଟକଣା ସମୟରେ ସୁରକ୍ଷା ଦିଏ, ଆର୍ଥିକ ବିଶ୍ୱସନୀୟତାକୁ ବଢ଼ାଏ, କ୍ରମ ବୃଦ୍ଧିମାନ ବହୁଧ୍ରୁବୀୟ ଆର୍ଥିକ ବ୍ୟବସ୍ଥାରେ ସ୍ବାଧୀନ ଆର୍ଥିକ ନୀତି ପ୍ରଣୟନରେ ସହାୟକ ହୋଇଥାଏ।
ସୁନାର ମୂଲ୍ୟ ବୃଦ୍ଧିର ଅର୍ଥନୈତିକ ପ୍ରଭାବ
ଅର୍ଥନୀତି ଉପରେ ସୁନା ମୂଲ୍ୟ ବୃଦ୍ଧିର ବହୁବିଧ ପ୍ରଭାବ ରହିଛି। ଏହା ଗୋଟିଏ ଦେଶର ଆର୍ଥିକ କ୍ଷମତା, ବାଣିଜ୍ୟିକ ସନ୍ତୁଳନ, ବୈଦେଶିକ ମୁଦ୍ରା ବିନିମୟ ଭଣ୍ଡାର, ନିବେଶକମାନଙ୍କର ଆଚରଣ ଆଦିକୁ ପ୍ରଭାବିତ କରିପାରେ। ସୁନାର ମୂଲ୍ୟ ହଠାତ୍ ବୃଦ୍ଧି ପାଇବାର ବିଭିନ୍ନ ପ୍ରଭାବ ରହିଛି। ସକାରାତ୍ମକ ଦୃଷ୍ଟିରୁ ଦେଖିଲେ ଏହା ସଂପତ୍ତିକୁ ସଂରକ୍ଷିତ ରଖେ ଏବଂ ଅନ୍ୟପଟେ ମୁଦ୍ରାସ୍ଫୀତି ବିପକ୍ଷରେ ସୁରକ୍ଷା କବଚ ଭାବେ କାର୍ଯ୍ୟକରେ। ଅନ୍ୟପକ୍ଷରେ ଏହା ବାଣିଜ୍ୟିକ ସନ୍ତୁଳନକୁ ବି ବିଗାଡ଼ିପାରେ ଏବଂ ଖାଉଟିମାନଙ୍କ କ୍ରୟଶକ୍ତି ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ସୁନା ମୂଲ୍ୟବୃଦ୍ଧି ଜାରି ରହିଲେ ନିବେଶକମାନେ ସେୟାର୍, ମ୍ୟୁଚୁଆଲ୍ ଫଣ୍ଡ୍ ଓ କ୍ରିପ୍ଟୋ କରେନ୍ସିରେ ନିବେଶକୁ ପ୍ରାଧାନ୍ୟ ନ ଦେଇ ପ୍ରତିବଦଳରେ ସୁନା କିମ୍ବା ଡିଜିଟାଲ୍ ସୁନାରେ ନିବେଶ କରିବାକୁ ପସନ୍ଦ କରିଥାଆନ୍ତି। ସୁନାର ମୂଲ୍ୟ ବୃଦ୍ଧିହେବା ଫଳରେ ବନ୍ଧକ ଜରିଆରେ ଏଥିରୁ ଅଧିକ ମୂଲ୍ୟ ମିଳିପାରେ ଏବଂ ସୁନାରୁ ଋଣ ବି ଅଧିକ ମିଳିଥାଏ। ମୋର୍ଗାନ ଷ୍ଟାନ୍ଲି ଅନୁଯାୟୀ, ଭାରତୀୟ ପରିବାରଗୁଡ଼ିକ ପାଖରେ ୩.୮ ଟ୍ରିଲିଅନ୍ ଡଲାର୍ ମୂଲ୍ୟର ସୁନା ରହିଛି। ଏହା ଭାରତ ଜି.ଡି.ପି.ର ୮୮.୮% ସହିତ ସମାନ ଏବଂ ବିଶ୍ବରେ ସର୍ବାଧିକ। ବହୁ ଶୀର୍ଷ କେନ୍ଦ୍ରୀୟ ବ୍ୟାଙ୍କ୍ର ସୁନା ଭଣ୍ଡାରରେ ଥିବା ସୁନାକୁ ମିଶାଇଦେଲେ ମଧ୍ୟ ଏହାର ପରିମାଣ ତା’ଠାରୁ ଅଧିକ ହେବ। ସଞ୍ଚୟ, ନିବେଶ ଓ ସାଂସ୍କୃତିକ ଆବଶ୍ୟକତା ପାଇଁ ଭାରତରେ ସୁନା ବ୍ୟବହାର କରାଯାଏ। ସୁନାର ମୂଲ୍ୟ ବୃଦ୍ଧି ଘଟିଥିବାରୁ ସହଜରେ ଋଣମୁକ୍ତ ହେବାପାଇଁ ପରିବାରଗୁଡ଼ିକ ସକାଶେ ଏହାଠାରୁ ଅଧିକ ଉପଯୁକ୍ତ ସମୟ ଆଉ ଆସି ନ ପାରେ। ଭାରତର ଅର୍ଥନୀତି ପାଇଁ ମଧ୍ୟ ଏହା ଏକ ସୁଯୋଗ ବୋଲି କୁହାଯାଇପାରେ। କାରଣ ପରିବାର, ଧାର୍ମିକ ସଂସ୍ଥା ବା ମନ୍ଦିରରେ ଥିବା ସୁନାକୁ ରକ୍ଷାକବଚ ରୂପେ ବ୍ୟବହାର କରାଯାଇ ପାରିବ।
ସୁନା ବ୍ୟବହାରରେ ଭାରତ ସବୁଠାରୁ ଆଗୁଆ
ବିଶ୍ବ ସୁନା ପରିଷଦ (ଡବ୍ଲ୍ୟୁ.ଜି.ସି.) ଅନୁଯାୟୀ, ସୁନା ବ୍ୟବହାରରେ ଭାରତ ୧୩ଟି ଦେଶ ମଧ୍ୟରେ ସବୁଠାରୁ ଆଗରେ ରହିଛି। ଏହା ପଛକୁ ଚୀନ୍, ଯୁକ୍ତରାଷ୍ଟ୍ର ଆମେରିକା, ତୁର୍କୀ ଓ ଥାଇଲାଣ୍ଡ୍ ଅଛନ୍ତି। ଭାରତର ସଞ୍ଚୟ ଓ ଋଣ ବଜାର ମଧ୍ୟ ସୁନା ମୂଲ୍ୟ ଉପର-ତଳ ହେବା ଯୋଗୁଁ ବିଶେଷ ପ୍ରଭାବିତ ହୋଇଥାଏ। ଭାରତରେ ନାମକୁ ମାତ୍ର ସୁନା ଉତ୍ପାଦନ ହେଉଥିବାରୁ ସମସ୍ତ ସୁନା ବିଦେଶରୁ ଆମଦାନି କରାଯାଇଥାଏ। ଉଲ୍ଲେଖଯୋଗ୍ୟ, ଭାରତରେ ସୁନାର ବିନିମୟ ମୂଲ୍ୟ ଅପେକ୍ଷା ସାଂସ୍କୃତିକ ମୂଲ୍ୟ ଅଧିକ। ଏହା ସତ୍ତ୍ବେ ୨୦୨୫ର ଦ୍ବିତୀୟ ତ୍ରୈମାସରେ ସୁନାରେ ଅଳଙ୍କାର ଭାଗ ୬୪%କୁ ହ୍ରାସ ପାଇଛି। ବିପରୀତ ରୂପେ ସେହି ଅବଧିରେ ନିବେଶ ଚାହିଦା (ବାର୍, ମୁଦ୍ରା ଓ ସୁନା ସଂପର୍କିତ ଉତ୍ପାଦରେ) ୩୫%କୁ ବୃଦ୍ଧି ପାଇଛି। ଫଳସ୍ବରୂପ, ସୁନା ଉପରେ ନିର୍ଭରଶୀଳ ଇଲେକ୍ଟ୍ରୋନିକ୍ସ ଏବଂ ଅଳଙ୍କାର ଉତ୍ପାଦନ ଶିଳ୍ପର ବିକାଶ ବାଧାପ୍ରାପ୍ତ ହୋଇପାରେ।
ସୁନା ବ୍ୟବହାରକୁ ନେଇ କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି, ଭାରତରେ ସୁନାକୁ ନେଇ ଯଥେଷ୍ଟ ଆଞ୍ଚଳିକ ତାରତମ୍ୟ ରହିଛି। ସୁନା ବନ୍ଧକ ପକାଇ ଋଣନେବା ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିରୁ ଗ୍ରହଣୀୟ ହୋଇଥିବାରୁ ଦକ୍ଷିଣ ଭାରତରେ ସୁନାଋଣ ବ୍ୟବସ୍ଥା ଯଥେଷ୍ଟ ବଳିଷ୍ଠ। ଅନ୍ୟପକ୍ଷରେ ଉତ୍ତର ଭାରତର ସୁନା-ଆଧାରିତ ଋଣ ବଦଳରେ ଅନୌପଚାରିକ ଋଣ ଉପରେ ଅଧିକ ନିର୍ଭରଶୀଳତା ରହିଛି। ପଶ୍ଚିମ ଭାରତର ସହରାଞ୍ଚଳରେ ଭୌତିକ ସୁନା ବଦଳରେ ଇ.ଟି.ଏଫ୍. କିମ୍ବା ସାର୍ବଭୌମ ସ୍ବର୍ଣ୍ଣ ବଣ୍ଡ୍ ପରି ଆର୍ଥିକ ଉପକରଣର ବ୍ୟବହାର ଅଧିକ ରହିଥାଏ।
୩୧ ଅକ୍ଟୋବରରେ ଜାରି କରିଥିବା ରିପୋର୍ଟରେ ବିଶ୍ୱ ସୁନା ପରିଷଦ (ଡବ୍ଲ୍ୟୁଜିସି) ଦର୍ଶାଇଛି ଯେ ସୁନା ମୂଲ୍ୟ ବ୍ୟାପକ ବୃଦ୍ଧିହେବା ସତ୍ତ୍ବେ ଗତ ତିନିମାସରେ ୧୦.୨ ବିଲିୟନ୍ ଡଲାର୍ ମୂଲ୍ୟର ସୁନା ବିକ୍ରିହୋଇଛି। ବିସ୍କୁଟ୍ ଓ ମୁଦ୍ରା ଆକାରରେ ଏହି ସୁନା ବିଭିନ୍ନ ବର୍ଗର କ୍ରେତା କ୍ରୟ କରିଛନ୍ତି। ଭାରତରେ ସୁନା ମୂଲ୍ୟ ବୃଦ୍ଧି ପୁଞ୍ଜି ବିନିଯୋଗ ଚାହିଦା ସୃଷ୍ଟି କରିଛି ଏବଂ ଏହି ବ୍ୟବସାୟ ସର୍ବକାଳୀନ ସର୍ବୋଚ୍ଚସ୍ତରର ରେକର୍ଡ କରିଛି ବୋଲି ବିଶ୍ୱ ସୁନା ପରିଷଦର ‘ଇଣ୍ଡିଆ ଅପରେସନ୍’ ସି.ଇ.ଓ. ସଚିନ ଜୈନ ସୂଚନା ଦେଇଛନ୍ତି।
ସୁନା ହେଉଛି ଦୁଇପଟେ ଧାରଥିବା ଖଣ୍ଡା ପରି। ସଂକଟ ସମୟରେ ଏହା ଅର୍ଥନୀତିକୁ ଦୃଢ଼ କରିଥାଏ। କିନ୍ତୁ, ଏହା ବାଣିଜ୍ୟିକ ସନ୍ତୁଳନକୁ ବିଗାଡ଼ି ସଂକଟ ସୃଷ୍ଟି କରିପାରେ। ତଥାପି ସୁନାର ସ୍ବଳ୍ପକାଳୀନ ମୂଲ୍ୟବୃଦ୍ଧି ଭାରତର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ବିପଦ ସୃଷ୍ଟି କରି ନପାରେ।
Follow Us