ସୁବର୍ଣ୍ଣରେଖା ନଦୀର ନାମକରଣ ପଛରେ ରହିଛି କେଉଁ ରହସ୍ୟ! ସେହିପରି ଗଙ୍ଗାନଦୀ ଏବଂ ଏହାର ଉପନଦୀ ଦାମୋଦର ଓ ବ୍ରହ୍ମପୁତ୍ରକୁ ନେଇ ରହିଛି ଅନେକ ରହସ୍ୟ। ଏହା ହିଁ ‘ସୁବର୍ଣ୍ଣ ରହସ୍ୟ’।
କେବଳ ଭାରତୀୟ ନଦୀ ନୁହେଁ, ବିଶ୍ବର ଆହୁରି ଅନେକ ନଦୀ ଯେପରି- କାଲିଫର୍ଣ୍ଣିଆର ୟୁବା ନଦୀ, କାନାଡାର କ୍ଲୋନ୍ଡାଇକ୍ ନଦୀ, ପେନ୍ସିଲଭାନିଆର ଫ୍ରେଞ୍ଚ୍ କ୍ରିକ୍ ନଦୀ ସୁବର୍ଣ୍ଣ ରହସ୍ୟରେ ଭରପୂର। ତେବେ ଏହା ପଛର ବାସ୍ତବତାକୁ ଖୋଜନ୍ତି ସ୍ଥାନୀୟ ଅଧିବାସୀ। କେତେ ସଫଳ ହୁଅନ୍ତି ସେମାନେ? ତାହାର ଏକ ଆକଳନ ଓ ବାସ୍ତବତାକୁ ନେଇ ଏହି ପ୍ରଚ୍ଛଦ ପ୍ରସଙ୍ଗ।
ଉପସ୍ଥାପନା: ବିଭୂତି ପତି
ମାନବ ସଭ୍ୟତାର କ୍ରମବିକାଶ ବିଭିନ୍ନ ନଦୀ କୂଳରୁ ଆରମ୍ଭ ହୋଇଥିଲା। ସଭ୍ୟତାର ବିକାଶ ସହିତ ମଣିଷ ବିଭିନ୍ନ ଧାତୁ ଓ ରତ୍ନପଥରର ମୂଲ୍ୟ ବୁଝି ସେସବୁକୁ ବ୍ୟବହାର କଲା। ସେତେବେଳେ ନଦୀକୂଳ ଓ ନଦୀଶଯ୍ୟାରେ ମଧ୍ୟ ସୁନା, ହୀରା ଆଦି ମୂଲ୍ୟବାନ୍ ଧାତୁ ଓ ରତ୍ନପଥର ମିଳୁଥିଲା। ସମୟକ୍ରମେ ଆଜି ସେସବୁ ମିଳିବା ଯଦିଓ ଅତ୍ୟନ୍ତ ବିରଳ ହୋଇଯାଇଛି, କିନ୍ତୁ ସମ୍ପୂର୍ଣ୍ଣ ଲୋପ ପାଇନାହିଁ। ଆଜି ବି ସୁନା, ହୀରା ଓ ରତ୍ନପଥର ପାଇବାର ଆଶା, ବିଶ୍ୱାସ ଓ ଭରସା ତଥା ମାୟାରେ ମଣିଷ ନଈକୂଳକୁ ଧାଇଁଯାଉଛି। ପ୍ରସିଦ୍ଧ ନଦୀବିଜ୍ଞାନୀ (ଲିମ୍ନୋଲୋଜିଷ୍ଟ୍) ୱାଲ୍ଟର୍ ଆଗାସିଜ୍ ବିଶ୍ୱର କେତେକ ଚର୍ଚ୍ଚିତ ନଈର ସୂଚୀ ପ୍ରଦାନ କରିଛନ୍ତି, ଯାହା କୂଳରେ ଓ ଶଯ୍ୟାରେ ଅତୀତରେ ସୁନା ମିଳିଛି ଓ ଆଗକୁ ମିଳିବାର ସମ୍ଭାବନା ରହିଛି। ଏହି ତାଲିକାରେ ଭାରତର ଗଙ୍ଗା, ଦାମୋଦର (ଗଙ୍ଗାର ଉପନଦୀ) ବ୍ରହ୍ମପୁତ୍ର ସମେତ ଓଡ଼ିଶାର ଏକାଧିକ ନଈକୁ ସ୍ଥାନ ଦେଇଛନ୍ତି। ବିଶ୍ୱ ଓ ଓଡ଼ିଶାର ଏହି ସ୍ବର୍ଣ୍ଣଗର୍ଭା ନଦୀସମୂହ ସଂପର୍କରେ ଆସନ୍ତୁ ସବିଶେଷ ଆଲୋଚନା କରିବା। କଳ୍ପନା କରନ୍ତୁ, ଆପଣ ଗୋଟିଏ ନଈକୂଳରେ ଠିଆହୋଇଛନ୍ତି। ସୂର୍ଯ୍ୟଙ୍କ ସୁନେଲି କିରଣ ପଡ଼ି ନଈପାଣି ଝଲମଲ କରୁଛି। ସେହି ସମୟରେ ଆପଣ ଦେଖୁଛନ୍ତି, ନଈପାଣି ଭିତରେ କ୍ଷୁଦ୍ରାକାରର ଛୋଟ ଛୋଟ ସୁନାଖଣ୍ଡ ଚିକ୍ ଚିକ୍ କରୁଛି। ଆପଣ ବିଶ୍ବାସ କରିପାରୁ ନାହାନ୍ତି, ନିରେଖି ଦେଖୁଛନ୍ତି। ପୁଣି ସେଇ ସମାନ ଦୃଶ୍ୟ!
ଏଭଳି ଅବତାରଣା ଆପଣଙ୍କୁ ଆଜିକା ଦିନରେ ହୁଏତ ଅତ୍ୟନ୍ତ ଅବାସ୍ତବ ବା ପରୀ କାହାଣୀ ମନେ ହେଉଥାଇପାରେ, କିନ୍ତୁ ଅତୀତରେ ଏଭଳି ଘଟିଛି ଏବଂ ଏବେ ବି ଘଟୁଛି! ନଦୀଶଯ୍ୟାରୁ ସୁନା ମିଳିବା ଆଦୌ ନୂଆ କଥା ନୁହେଁ। ଆମ ରାଜ୍ୟରେ ବି ଏହାର ଉଦାହରଣ ରହିଛି। ଓଡ଼ିଶାର ଏକାଧିକ ନଦୀ ଶଯ୍ୟାରୁ ସୁନା ମିଳୁଥିବାର ପ୍ରମାଣ ରହିଛି, ଯଦିଓ ବର୍ତ୍ତମାନ ଏହା ବିରଳ ହୋଇଯାଇଛି। ‘ସୁବର୍ଣ୍ଣରେଖା’ ନାମକରଣ କ’ଣ ଏହାକୁ ପ୍ରତିପାଦିତ କରେନାହିଁ?
ନଦୀକୂଳ ଓ ଶଯ୍ୟାରେ ମିଳୁଥିବା ସୁନା, ହୀରା ଓ ରତ୍ନପଥରକୁ ହାସଲ କରିବାର ପ୍ରତିଯୋଗିତା ବିଶ୍ବ ଇତିହାସକୁ ବଦଳାଇ ଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏହି କାରଣରୁ ଜନମାନବଶୂନ୍ୟ ଶାନ୍ତ ଇଲାକାରେ ଚଳପ୍ରଚଳ ବଢ଼ିବା ସହ ଜନାକୀର୍ଣ୍ଣ ଜନପଦ ସୃଷ୍ଟି ହୋଇଛି। ଧନପ୍ରାପ୍ତି ଆଶାରେ ମଣିଷ ନଦୀଶଯ୍ୟାରୁ ବାଲି ଖୋଳି, ତାକୁ ଧୋଇ, ବାରମ୍ବାର ଛାଣି ସେଥିରୁ ମୂଲ୍ୟବାନ୍ ଧାତୁ ଖୋଜିଚାଲିଛି। କାଳେ ସେଥିରୁ ସୁନା, ହୀରା ଅଥବା ମୂଲ୍ୟବାନ୍ ରତ୍ନଟିଏ ମିଳିଯିବ କି! ଉପତ୍ୟକା ଓ ଜଙ୍ଗଲ ଦେଇ ପ୍ରବାହିତ ହେଉଥିବା ନଦୀଗୁଡ଼ିକ ମଣିଷର ସୁନା ସନ୍ଧାନ ପାଇଁ ଶେଷ ହେଉ ନଥିବା ଆଶା-ଆକାଂକ୍ଷାର ମୂକସାକ୍ଷୀ ପାଲଟିଛନ୍ତି।
ସୁବର୍ଣ୍ଣରେଖାରେ ସୁନା
କେହି କେହି ଦାବି କରନ୍ତି, ସ୍ବର୍ଣ୍ଣଗର୍ଭା ହୋଇଥିବାରୁ ନଦୀର ନାଁ ସୁବର୍ଣ୍ଣରେଖା ହୋଇଛି। ସୁବର୍ଣ୍ଣରେଖା ଓ ମହାନଦୀର ଅବବାହିକା ଅଞ୍ଚଳରେ ନଦୀଶଯ୍ୟାରୁ ସୁନା, ହୀରା ଓ ରତ୍ନପଥର ଖୋଜିବାର ଧାରା ଅତି ପ୍ରାଚୀନ। ଆଜି ବି ସେ ପରମ୍ପରା ଅବ୍ୟାହତ ରହିଛି। ସୁନାନଈ ତାଲିକାରେ ସୁବର୍ଣ୍ଣରେଖାର ସୁଖ୍ୟାତି ଅନ୍ତର୍ଜାତୀୟସ୍ତରରେ ରହିଛି। ସୁବର୍ଣ୍ଣରେଖା ନଦୀ ଝାଡ଼ଖଣ୍ଡରୁ ଉତ୍ପତ୍ତି ହୋଇ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟଦେଇ ପ୍ରବାହିତ ହୋଇଛି ଏବଂ ଏହାର ଜଳରେ ଶୁଦ୍ଧ ସୁନା ଭାସି ଆସିଥାଏ ବୋଲି ଗବେଷକମାନେ ମତ ଦିଅନ୍ତି। ତଥ୍ୟ ଅନୁସାରେ, ସୁବର୍ଣ୍ଣରେଖାର ଉତ୍ପତ୍ତିସ୍ଥଳ ପିସ୍କା ନିକଟରେ ପ୍ରଥମେ ସୁନା ମିଳିଥିଲା। ଏବେ ମଧ୍ୟ ଲୋକେ ସୁବର୍ଣ୍ଣରେଖା ନଦୀ ବାଲିରୁ ସୁନା ପାଉଛନ୍ତି। କେବଳ ସେତିକି ନୁହେଁ, ଏହା ଅନେକଙ୍କ ଜୀବିକା ବି ପାଲଟିଛି। ମୟୂରଭଞ୍ଜ ଜିଲ୍ଲାର ତିରିଂର ବାସିନ୍ଦା ବସନ୍ତ ସୋରେନ୍ କହନ୍ତି, “ସୁବର୍ଣ୍ଣରେଖା ନଦୀ କୂଳେ କୂଳେ ମୁଁ ୨୦୧୮ ମସିହାରୁ ସୁନାଖୋଜା କାମରେ ଲାଗିଛି। ଏହି କାମରେ ମାସକୁ ମୋର ହାରାହାରି ୫/୬ ହଜାର ଟଙ୍କା ରୋଜଗାର ହୋଇଥାଏ। କରୋନା କଟକଣା ସମୟରେ ଏହି କାମ ମୋତେ ରୋଜଗାର ଯୋଗାଇଥିଲା। କିନ୍ତୁ, ଏଥିପାଇଁ ମୋତେ ଅନେକ ସମୟରେ ସୁବର୍ଣ୍ଣରେଖା ପ୍ରବାହିତ ହୋଇଥିବା ମୟୂରଭଞ୍ଜ, ବାଲେଶ୍ୱର ଓ ପଶ୍ଚିମ ମେଦିନାପୁର ଅଞ୍ଚଳକୁ ଯିବାକୁ ପଡ଼ିଥାଏ।’’
ସେ ପୁଣି କହନ୍ତି, ‘‘ଚଳିତ ବର୍ଷ ଜାନୁଆରି ମାସରେ ମୁଁ ମୟୂରଭଞ୍ଜ ଏବଂ ମେ ମାସରେ ତାଳସାରିଠାରେ ସୁନା ପାଇଥିଲି। ଏହାର ବଜାର ମୂଲ୍ୟ ପ୍ରାୟ ୯ ହଜାର ଟଙ୍କା ଥିଲା। ଉଭୟ ସ୍ଥାନରେ ୩-୪ ଘଣ୍ଟା ଖୋଜିବା ପରେ ମତେ ସୁନା କଣିକା ମିଳିଥିଲା। ବେଳେ ବେଳେ ଏହି ସୁନା କଣିକାର ଆକାର ଚାଉଳ ଭଳି କିମ୍ବା ତା’ଠାରୁ ଛୋଟ ହୋଇଥାଏ। ପୁଣି କେବେ ସାମାନ୍ୟ ବଡ଼ ମଧ୍ୟ ହୋଇଥାଏ।’’
ଛୋଟନାଗପୁର ମାଳଭୂମି ଅଞ୍ଚଳରେ ନଦୀଶଯ୍ୟାରୁ ସ୍ବର୍ଣ୍ଣସନ୍ଧାନ ସଂପର୍କରେ ତଥ୍ୟ ସଂଗ୍ରହ କରୁଥିବା ସୂଚନା ଅଧିକାର କର୍ମୀ ଜଗତ ମୋହନ କହନ୍ତି,‘‘କୂଳରେ ସୁନା ସଂଗ୍ରହ ପାଇଁ ବର୍ଷାଋତୁର ବଡ଼ବନ୍ୟା ଲାଭଦାୟକ ହୋଇଥାଏ। ପାହାଡ଼ପର୍ବତ ବକ୍ଷରେ ଖଣିଖାଦାନ ଦେଇ ପ୍ରବାହିତ ହେଉଥିବା ନଦୀଜଳରେ ସୁନା କଣିକା ଭାସି ଆସିଥାଏ। ଯେତେବେଳେ ଜଳସ୍ତର ହ୍ରାସ ହୁଏ, ସୁନା କଣିକା କୂଳରେ ଲାଖି ରହିଯାଏ। ଝାଡ଼ଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସୁବର୍ଣ୍ଣରେଖା ଅବବାହିକାରେ ପ୍ରାୟ ୧୦ ହଜାର ପୁରୁଷ ଓ ମହିଳାଙ୍କର ସୁନା ଖୋଜିବା ଏକ ନିତିଦିନିଆ କାର୍ଯ୍ୟ । ସେଥିମଧ୍ୟରୁ ଝାଡ଼ଖଣ୍ଡର ସର୍ବାଧିକ ମହିଳା ଓ ପୁରୁଷ ସୁନାଖୋଜା କାର୍ଯ୍ୟରେ ଲାଗିଥାଆନ୍ତି।’’
ଅନୁଗୁଳର ଆଉଁଳି ନଈ
ବ୍ରାହ୍ମଣୀ ନଦୀର ଉପନଦୀ ଆଉଁଳି ନଈରେ ସୁନା ମିଳିଥାଏ। ଅନୁଗୁଳସ୍ଥିତ ଛେଣ୍ଡିପଦା ଦେଇ ପ୍ରବାହିତ ଆଉଁଳି ନଈ ନିକଟରେ ଥିବା କର୍ଣ୍ଣପାଳ ଗାଁ ତଥା ଏହାର ଆଖପାଖ ଅଞ୍ଚଳର ଲୋକେ ନଈକୂଳରୁ ସୁନା ସଂଗ୍ରହ କାର୍ଯ୍ୟରେ ଲାଗିଥାନ୍ତି। ମୁଖ୍ୟତଃ ଝରା ସମ୍ପ୍ରଦାୟର ଲୋକମାନେ ଏକ ସ୍ବତନ୍ତ୍ର ପ୍ରକ୍ରିୟାରେ ଏହି କାର୍ଯ୍ୟ କରିଥାଆନ୍ତି। ସୂଚନା ଅନୁସାରେ ନଈବାଲିକୁ ନେଇ ସେମାନେ ତାକୁ ପାରଦରେ ଦ୍ରବୀଭୂତ କରିବା ପରେ ଜାମୁକୋଳି କାଠରେ ସେହି ଦ୍ରବୀଭୂତ କାଦୁଆ ବାଲିକୁ ପୋଡ଼ି ସେଥିରୁ ସ୍ୱଳ୍ପ ପରିମାଣର ସୁନା ପାଇଥାନ୍ତି। ସୂଚନା ଅନୁସାରେ, ଦୁଇରୁ ତିନିଜଣ ଏକାଠି ହୋଇ କଠିନ ପରିଶ୍ରମ କରି ଦିନକୁ ୩ରୁ ୫ ଗ୍ରାମ୍ ସୁନା ପାଆନ୍ତି। ବର୍ଷରେ ୪ରୁ ୫ ମାସ ଏହି କାର୍ଯ୍ୟରେ ସେମାନେ ନିଜକୁ ନିୟୋଜିତ କରିଥାଆନ୍ତି। ହେଲେ ବର୍ତ୍ତମାନ ଖଣିଖାଦାନର ପ୍ରଦୂଷଣ ଏବଂ କେତେକ ସ୍ଥାନୀୟ ଲୋକ ଜମି ଜବରଦଖଲ କରି ଚାଷବାସ କରିବା ପାଇଁ ରାତିରେ ପମ୍ପ ଲଗାଇ ଲୁଚାଛପାରେ ଆଉଁଳି ନଈରୁ ପାଣି ଉଠାଇ ଜମିରେ ମଡ଼ାଉଛନ୍ତି। ଏହିଭଳି କାର୍ଯ୍ୟ ଅନେକ ବର୍ଷ ହେବ ଚାଲି ଆସୁଛି। ତେଣୁ, ଆଜି ଆଉଁଳି ନଈ ତା’ର ସୁନାର ଇତିହାସ ହରାଇସାରିଲାଣି। କିଛି ଲୋକ ଖାଲି ନିଶା ଓ ଆଶାରେ କେବେ କେବେ ଆଉଁଳି ନଈରେ ସୁନା ଖୋଜୁଛନ୍ତି ବୋଲି କହନ୍ତି ସ୍ଥାନୀୟ ସାମ୍ବାଦିକ ସୁଶାନ୍ତ କୁମାର ପ୍ରଧାନ।
ହୀରାକୁଦର ହୀରା
‘‘ରତ୍ନପ୍ରସୂ ନଈ ତାଲିକାର ଶୀର୍ଷରେ ରହିଛି ମହାନଦୀ। ମହାନଦୀରୁ ସୁନା, ହୀରା ଓ ବିଭିନ୍ନ ରତ୍ନପଥର ମିଳିଥାଏ ବୋଲି ଭୂବିଜ୍ଞାନ ଆଧାରିତ ପ୍ରମାଣିକ ତଥ୍ୟ ରହିଛି। ହୀରାକୁଦ ଜଳଭଣ୍ଡାର ନିର୍ମାଣ ହେତୁ ଜଳସମାଧି ନେଇଥିବା ୮୩୦ ଏକର ପରିବ୍ୟାପ୍ତ ହୀରାକୁଦ ଟାପୁ ମହାନଦୀ ଓ ଇବ୍ ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ। ଇବ୍ ନଦୀ ଅବବାହିକରୁ କ୍ଷୁଦ୍ର ହୀରାଖଣ୍ଡ ସବୁ ବହିଆସି ହୀରାକୁଦ ଟାପୁରେ ଜମାହୁଏ। ଶୀତ ଓ ଗ୍ରୀଷ୍ମଋତୁରେ ସ୍ଥାନୀୟ ଲୋକମାନେ ଟାପୁର ନାଲିମାଟିକୁ ନେଇ ସେଥିରୁ ହୀରା ସଂଗ୍ରହ କରନ୍ତି ବୋଲି ସୂଚନା ରହିଛି। ଏହି ଅଞ୍ଚଳରେ ହୀରା ମିଳୁଥିଲା ବୋଲି ଏହାର ନାଁ ହୀରାକୁଦ ରଖାଯାଇଛି,’’ ବୋଲି କହନ୍ତି ହୀରାକୁଦର ବରିଷ୍ଠ ନାଗରିକ ରାଜେନ୍ଦ୍ର ପାଣିଗ୍ରାହୀ। ୧୭୬୬ ମସିହାରୁ ହୀରାକୁଦରେ ହୀରା ମିଳିବାର ଐତିହାସିକ ତଥ୍ୟ ରହିଛି। ୧୮୫୬ ମସିହାରେ ଏହି ଅଞ୍ଚଳର ହୀରାଖଣିକୁ ନିଲାମ ଦିଆଯାଇଥିଲା। ଅବଶ୍ୟ ହୀରାକୁଦ ବନ୍ଧ ନିର୍ମାଣ ପରେ ହୀରା ମିଳିବାର ନିର୍ଦ୍ଦିଷ୍ଟ ପ୍ରମାଣ ମିଳିନାହିଁ।
ଚର୍ଚ୍ଚାରେ ସୋନପୁର, ବୌଦ୍ଧ ଓ ବଲାଙ୍ଗୀର
ମୂଲ୍ୟବାନ୍ ଧାତୁ ମିଳିବା ପ୍ରସଙ୍ଗରେ ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାର ନଦୀଶଯ୍ୟା ସବୁଠାରୁ ଅଧିକ ଚର୍ଚ୍ଚିତ। ସୋନପୁର ଦେଇ ପ୍ରବାହିତ ତେଲ ନଦୀଶଯ୍ୟାରେ ଆଜି ବି ଲୋକମାନେ ବିଭିନ୍ନ ସମୟରେ ଛୋଟ ଓ ମଧ୍ୟମ ଧରଣର ରତ୍ନପଥର ଖୋଜି ପାଇଥା’ନ୍ତି। ବଲାଙ୍ଗୀର ଜିଲ୍ଲା ଦେଇ ପ୍ରବାହିତ ତେଲ ନଈ ଓ ଏହାର ଶାଖା ନଈ ଇନ୍ଦ୍ର, ଲାଣ୍ଟ ଓ ଅଙ୍ଗ କୂଳରେ ଅନେକ ସମୟରେ ରତ୍ନପଥର ମିଳିଥାଏ ବୋଲି ସ୍ଥାନୀୟ ଅଞ୍ଚଳର ବାସିନ୍ଦା ରଜନୀକାନ୍ତ ମିଶ୍ର କହନ୍ତି। ଭାରତୀୟ ଭୂତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥାନ ବୌଦ୍ଧ ଜିଲ୍ଲା ସମେତ ଅନ୍ୟ କେତେକ ସ୍ଥାନ ଦେଇ ପ୍ରବାହିତ ମହାନଦୀ ଶଯ୍ୟାରେ ସୁନା ଓ ମୂଲ୍ୟବାନ୍ ରତ୍ନ ପଥର ଗଚ୍ଛିତ ରହିଛି ବୋଲି ଏକ ଅନୁସଂଧାନ ରିପୋର୍ଟରେ ଦର୍ଶାଇଛି। ଏପରିକି ଓଡ଼ିଶା ବିଧାନସଭାରେ ତତ୍କାଳୀନ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଦେଇଥିବା ତଥ୍ୟ ଅନୁସାରେ, ବୌଦ୍ଧ ଏବଂ ସୋନପୁର ଜିଲ୍ଲାର ମହାନଦୀ ତଥା ଏହାର ଉପନଦୀ ତେଲ ନଈ ଶଯ୍ୟାରେ ସୁନା ଓ ରତ୍ନ ପଥର ଗଚ୍ଛିତ ଅଛି। “ଆଜିର ଦିନରେ ମଧ୍ୟ ଲୋକମାନେ ମନମୁଣ୍ଡାରୁ ନେଇ ମାରଡ଼ା ପର୍ଯ୍ୟନ୍ତ ୧୦୦ କିଲୋମିଟର ପରିବ୍ୟାପ୍ତ ମହାନଦୀ ଶଯ୍ୟାରୁ ବିଭିନ୍ନ ପ୍ରକାରର ରତ୍ନପଥର ସଂଗ୍ରହ କରନ୍ତି। ୨୦୨୨ ମସିହାରେ ଜଣେ ସ୍ଥାନୀୟ ଗ୍ରାମବାସୀ ୮ଟି ସୁନା କଣିକା ପାଇଥିବା ସୂଚନା ରହିଛି। ଯେଉଁମାନେ ପାଉଛନ୍ତି, ସେମାନେ ଏହାକୁ ଗୁପ୍ତ ରଖୁଛନ୍ତି। ସୁନା ଓ ରତ୍ନପଥର ଖୋଜିବାକୁ ନଈପଠାରେ ଅନେକ କୁଡ଼ିଆ କରି ମାଛ ମାରିବା ନାଁରେ ରହିଥାନ୍ତି। ସୁନା ଓ ରତ୍ନପଥର ଖୋଜିବାର ପେସା ଓ ନିଶା ଆଜି ବି ଏସବୁ ଅଞ୍ଚଳରେ ବଳବତ୍ତର ରହିଛି।” ବୌଦ୍ଧ ଅଞ୍ଚଳର ସାମାଜିକକର୍ମୀ ଚିତ୍ତରଞ୍ଜନ ପଣ୍ଡା ଏହି ତଥ୍ୟ ପ୍ରଦାନ କରିଛନ୍ତି।
ଗଙ୍ଗା, ଦାମୋଦର ଓ ବ୍ରହ୍ମପୁତ୍ର ନଦୀରେ ସୁନା
ଭାରତରେ ନଦୀଶଯ୍ୟାରୁ ସ୍ବର୍ଣ୍ଣ ସନ୍ଧାନ ଓ ପ୍ରାପ୍ତି ପ୍ରସଙ୍ଗ ଆସିଲେ ଗଙ୍ଗା ବିନା ଆଲୋଚନା ଅସଂପୂର୍ଣ୍ଣ। ବ୍ରହ୍ମପୁତ୍ର ଓ ଗଙ୍ଗା ନଦୀ ଉପରେ ଅନୁଧ୍ୟାନ କରୁଥିବା ବିଶେଷଜ୍ଞ ଭୂଦୀପ ବାନାର୍ଜୀ କହନ୍ତି, “ଗଙ୍ଗାନଦୀ ଓ ଏହାର ଉପନଦୀ ଦାମୋଦର ଏବଂ ବ୍ରହ୍ମପୁତ୍ରକୁ ନେଇ ବହୁ ଅଦ୍ଭୁତ ରହସ୍ୟ ରହିଛି। ଗଙ୍ଗା, ଦାମୋଦର ଏବଂ ବ୍ରହ୍ମପୁତ୍ରରୁ ସୁନା ସଂଗ୍ରହ ବେଶ୍ ଜଣାଶୁଣା କଥା। ଗଙ୍ଗା, ବ୍ରହ୍ମପୁତ୍ର ଓ ଦାମୋଦର ନଦୀ ଅବବାହିକା ସଙ୍ଗକୁ ସମତଳ ଅଞ୍ଚଳରେ ଜୀବନକୁ ବାଜିଲଗାଇ ସୁନା ଖୋଜିବା ଓ ସୁନା ପାଇବା ପରମ୍ପରା ଅତି ପ୍ରାଚୀନ। ହିମାଳୟର ପାଦଦେଶରେ କାହିଁ କେଉଁ ଯୁଗରୁ ସ୍ଥାନୀୟ ଲୋକେ ସୁନା ଖୋଜିବାକୁ ବ୍ରହ୍ମପୁତ୍ର ଓ ଗଙ୍ଗା ନଦୀ ବାଲିକୁ ଛାଣି ଆସୁଛନ୍ତି। ଆଜି ବି ଆଶାହରା ନହୋଇ ବହୁ ମହିଳା ନଦୀକୂଳରେ ସୁନା ଖୋଜିବା କାମକୁ ପାରମ୍ପରିକ ପେସା ଭାବେ ଗ୍ରହଣ କରିଛନ୍ତି। ଏହି ପେସା ପରବର୍ତ୍ତୀ ସମୟରେ ସେମାନଙ୍କର ନିଶା ହୋଇଯାଏ। ଫଳରେ ଚାହିଁଲେ ବି ସେମାନେ ନଈକୂଳରେ ସୁନାଖୋଜା କାମରୁ ନିଜକୁ ମୁକ୍ତ କରି ପାରନ୍ତିନାହିଁ।’’