ନୂଆଦିଲ୍ଲୀ: ବିଶ୍ୱର ପରିବର୍ତ୍ତିତ ଭୌଗୋଳିକ ଓ ରାଜନୈତିକ ପରିସ୍ଥିତି ଯୋଗୁଁ ପ୍ରଭାବିତ ହୋଇଛି ସୁନା ବଜାର। ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଚାଲିଥିବା ବିବାଦ ଫଳରେ ସୁନା ଦର ବଢି ବଢି ଚାଲିଛି। ଏହାର ପ୍ରଭାବ ବିଶ୍ୱ ବଜାର ଉପରେ ପଡ଼ିଛି। ଅନ୍ୟପଟେ ଡଲାରର ମୂଲ୍ୟ ବିଭିନ୍ନ ଦେଶରେ ହ୍ରାସ ପାଇବା ଯୋଗୁଁ ସୁନା ମୂଲ୍ୟ ବଢିଛିି। ସେହିପରି ସୁନା ଉପରେ ୧୦ ପ୍ରତିଶତ ଆମଦାନୀ ଶୁଳ୍କ ସୁନା ଦରକୁ ପ୍ରଭାବିତ କରିଛି। ସରକାର ‘ଗୋଲ୍‌ଡ ବଣ୍ଡକୁ’ ପ୍ରୋତ୍ସାହିତ କରିବା ପାଇଁ ଏହାକୁ ଏବେ କମାଇବାର ସମ୍ଭାବନା ନାହିଁ ବୋଲି ଅର୍ଥନୀତି ବିଶାରଦମାନେ ମତ ଦେଇଛନ୍ତି। ସେହିପରି ଆମଦାନୀ ଶୁଳ୍କ ଦ୍ୱାରା ସରକାର ଅତିରିକ୍ତ ରାଜସ୍ୱ ମଧ୍ୟ ପାଉଛନ୍ତି। କିନ୍ତୁ ଏହା ନିବେଶକଙ୍କ ଉପରେ ଚାପ ସୃଷ୍ଟି କରିଛି। ଯାହା ଫଳରେ ସୁନା ଦର ବଢିଛି।

Advertisment

ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ସୁନା ବ୍ୟବସାୟରେ ୧୪ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି। ତେବେ କଳାଧନ ଉପରେ କଟକଣା ସୁନା ବଜାରକୁ ବିଶେଷ ପ୍ରଭାବିତ କରି ପାରିନାହିଁ। କିନ୍ତୁ ଜିଏସଟି ଯୋଗୁଁ ସୁନା ବଜାର ପ୍ରଭାବିତ ହୋଇଛି। ଫଳରେ ସୁନା ବିକ୍ରି କମିଥିବା ବିଶେଷଜ୍ଞ ଆକଳନ କରିଛନ୍ତି। ଅନ୍ୟପଟେ ୨ଲକ୍ଷ ଟଙ୍କା ଉପରକୁ ନଗଦ କାରବାର ଉପରେ କଟକଣା ମଧ୍ୟ ସୁନା ବଜାରକୁ ପ୍ରଭାବିତ କରିଛି।

ଲୋକେ ୨ ଲକ୍ଷ ଟଙ୍କାରୁ କମ୍‌ ଟଙ୍କାର ସୁନା କିଣାକିଣି କରୁଥିବା ବେଳେ ସରକାର ଗହଣା କିଣାବିକାକୁ ‘ପ୍ରିଭେନସନ୍‌ ଅଫ ମନି ଲଂଡ୍ରି ଆକ୍ଟ ଅନ୍ତର୍ଭୁକ୍ତ କରିଛନ୍ତି। ଫଳରେ ଏଣିକି ୫୦ ହଜାର ବା ଅଧିକ ଟଙ୍କାର ସୁନାଗହଣା କିଣିଲେ ବା ଦେଲେ କେୱାଇସି ଦାଖଲ କରିବାକୁ ପଡ଼ିିବ। ସେପଟେ ଗ୍ରାମାଞ୍ଚଳରେ ସୁନା କିଣିବା ମଧ୍ୟ କମିଛି। ଏହା ପଛରେ ଅନିୟମିତ ବର୍ଷା ଯୋଗୁଁ କୃଷି ପ୍ରଭାବିତ ହୋଇଥିବା କାରଣ ବୋଲି କୁହାଯାଉଛି।