ପ୍ରାଚୀନ କାଳରୁ ଭାରତର ନଦୀ, ବନ, ପର୍ବତ ଆଦି ମୁନିଋଷିମାନଙ୍କ ସହିତ ଜଡ଼ିତ ହୋଇ ରହି ଆସିଛି। ସେହିପରି, ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ମଧ୍ୟ ରହିଛି ନଦୀ, ବନ, ଗିରି, ପର୍ବତ ଆଦିର ଅଭେଦ ସଂପର୍କ। କୈଶୋରରେ ଗୋବର୍ଦ୍ଧନ ଧାରଣ କରି ସେ ଯେପରି ଗୋବର୍ଦ୍ଧନଧାରୀ ହୋଇଥିଲେ ଏବଂ ରୈବତକ ପର୍ବତରେ ଦ୍ୱାରକା ନିର୍ମାଣ କରି ଦ୍ୱାରକାଧୀଶ ହୋଇଥିଲେ, ଠିକ୍ ସେହିପରି ଗୋମନ୍ତକ ଗିରି ଆରୋହଣ କରି ସେ ଲାଭ କରିଥିଲେ ତାଙ୍କର ଦିବ୍ୟଚକ୍ର ଓ କିରୀଟ। ‘ହରିବଂଶ’ରେ ଏହାର ସୁନ୍ଦର ବର୍ଣ୍ଣନା ମିଳେ।
କଂସର ମୃତ୍ୟୁ ପରେ ଯେତେବେଳେ ମଗଧପତି ଜରାସନ୍ଧ ବାରମ୍ବାର ମଥୁରା ଆକ୍ରମଣ କରି ମଥୁରାବାସୀଙ୍କୁ ଅଶେଷ କଷ୍ଟ ଦେଲେ, ସେଥିରେ ଦୁଃଖିତ ହୋଇ କୃଷ୍ଣ ଓ ବଳରାମ ମଥୁରା ପରିତ୍ୟାଗ କରି କୌଣସି ଏକ ସୁରକ୍ଷିତ ସ୍ଥାନକୁ ଯାଦବମାନଙ୍କୁ ସ୍ଥାନାନ୍ତର କରିବା ଉଦ୍ଦେଶ୍ୟରେ ବହିର୍ଗତ ହେଲେ। ସେହି ସମୟରେ ପଥ ମଧ୍ୟରେ ତାଙ୍କର ପର୍ଶୁରାମଙ୍କ ସହିତ ସାକ୍ଷାତ ହେଲା ଏବଂ ପର୍ଶୁରାମ ସେମାନଙ୍କୁ ନେଇ ଗୋମନ୍ତକ ଗିରିରେ ପହଞ୍ଚାଇଲେ। ସମଗ୍ର ଗୋମନ୍ତକ ପ୍ରଦେଶଟି ବନ, ଗିରି, ପାହାଡ଼, ଝରଣା, ନଦୀ ଓ ସମୁଦ୍ର ପରିବେଷ୍ଟିତ ହୋଇ ଅତ୍ୟନ୍ତ ଶୋଭାମୟ ହୋଇଥିଲା। ସୁମନୋହର ପର୍ବତଶ୍ରେଣୀ, ବୃକ୍ଷଲତାରେ ସୁଶୋଭିତ ବନରାଜି, ପଶୁପକ୍ଷୀଙ୍କର କ୍ରୀଡ଼ାକୌତୁଜନିତ ମଧୁର ଧ୍ୱନି, ନଦୀ ଓ ଝରଣାର କଳନାଦ ଏହି ପାର୍ବତ୍ୟଭୂମିକୁ ମୋହମୟ କରି ରଖିଥିଲା। ସେଠାରେ ପହଞ୍ଚି ପର୍ଶୁରାମ, ବରୁଣଙ୍କ ନିକଟରେ ଗଚ୍ଛିତ ଥିବା ସୁଦର୍ଶନ ଚକ୍ର ଓ କୌମୋଦକୀ ଗଦା ଶ୍ରୀକୃଷ୍ଣଙ୍କୁ ପ୍ରଦାନ କରିଥିଲେ। କ୍ଷୀରସମୁଦ୍ରରେ ଶୟନକାଳରେ ନାରାୟଣଙ୍କର ଯେଉଁ କିରୀଟ ଦାନବ ବଳୀ ଚୋରାଇ ନେଇଥିଲେ, ଗରୁଡ଼ ବଳୀଙ୍କୁ ପରାଜିତ କରି ତାହା ଆଣି, କୃଷ୍ଣଙ୍କୁ ସମର୍ପଣ କଲେ। ବଳରାମ ପାତାଳପୁରୀରେ ଛାଡ଼ିଆସିଥିବା ଆଦିପଦ୍ମ କୁଣ୍ଡଳକୁ ମଧ୍ୟ ବାରୁଣୀ ଆଣି ପ୍ରଦାନ କଲେ। ଏହାଦ୍ୱାରା ଶ୍ରୀକୃଷ୍ଣ ନାରାୟଣ ରୂପରେ ସୁଶୋଭିତ ହେଲେ। ସ୍ୱୟଂ ଶ୍ରୀବିଷ୍ଣୁ ଧର୍ମ ସଂସ୍ଥାପନପାଇଁ ଯେଉଁ ମର୍ତ୍ତ୍ୟାବରଣ କରିଥିଲେ, ତାହାର ପ୍ରାରମ୍ଭ ଏହିଠାରୁ ହୋଇଥିଲା।
ଗୋମନ୍ତକ ଗିରିରେ ପହଞ୍ଚି ଜରାସନ୍ଧ ତାଙ୍କ ସହିତ ଯୁଦ୍ଧ କରି ପରାହତ ହୋଇଥିଲା। ସେଠାରେ କିଛିଦିନ ଅବସ୍ଥାନ ପରେ, ଶ୍ରୀକୃଷ୍ଣ ଦ୍ୱାରକା ଯାତ୍ରା କରିଥିଲେ। ‘ମହାଭାରତ’ରେ ଥିବା ବର୍ଣ୍ଣନା ଅନୁସାରେ, ଗୋମନ୍ତକ ହେଉଛି ଆଧୁନିକ ଗୋଆ। ସଂପ୍ରତି ଏହା ଭାରତର ଏକ ବିଶିଷ୍ଟ ପର୍ଯ୍ୟଟନ କ୍ଷେତ୍ର ହୋଇଥିଲେ ମଧ୍ୟ, ପୌରାଣିକ ଦୃଷ୍ଟିରୁ ଏହି ସ୍ଥାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ।
-ଡକ୍ଟର ତୁଳସୀ ଓଝା