ଗୋନ୍ଦ୍ ବା ‘ଖାଇବାଯୋଗ୍ୟ ଅଠା’ରୁ ତିଆରି ଉତ୍ତର ଭାରତର ସୁଆଦିଆ ଲଡୁ ଏବେ ସବୁଠି ମିଳୁଛି। ସାଧାରଣତଃ ଶୀତଦିନେ ଏହା ଖିଆଯାଏ। ଏଥିରେ ଉଚ୍ଚହାରର କ୍ୟାଲ୍ସିୟମ୍, ମ୍ୟାଗ୍ନେସିୟମ୍ ଇତ୍ୟାଦି ରହିଛି। ଏହା ରୋଗପ୍ରତିରୋଧକ ଶକ୍ତି ବଢ଼ାଏ। ଗଣ୍ଠି ଓ ପିଠିର ବଥା ଦୂର କରେ। ବବୁଲ ଗଛର ଅଠାକୁ ଶୁଖାଇ ସଫାକରି ଏହାକୁ ଲଡୁ, ଫାଲୁଦା, ଜିଗର୍ଥଣ୍ଡା, ବିଭିନ୍ନ ସେକ୍ ଓ ସ୍ମୁଦି ତିଆରିରେ ବ୍ୟବହାର କରାଯାଏ।
ଆବଶ୍ୟକୀୟ ଉପକରଣ: ଗୋନ୍ଦ୍, ଗୁଡ଼, ଭଲ ଗୁଆଘିଅ, ଶୁଖିଲା ନଡ଼ିଆ ଗୁଣ୍ଡ, ଗହମ ଅଟା, ପସନ୍ଦ ମୁତାବକ ଡ୍ରାଏଫ୍ରୁଟ୍ସ, ଗୁଜୁରାତି ଗୁଣ୍ଡ, ଶୁଣ୍ଠି ବା ଶୁଖିଲା ଅଦାଗୁଣ୍ଡ, ପୋସ୍ତ, ଟିପେ ଲୁଣ।
ପ୍ରସ୍ତୁତି: ଲଡୁ ତିଆରି ପାଇଁ ସବୁବେଳେ ଓଜନିଆ ତଳିଥିବା କେଡ଼ଇ ବ୍ୟବହାର କରନ୍ତୁ। ଗୋଟେ ଚାମଚ ଗୁଆଘିଅରେ ଦୁଇବଡ଼ ଚାମଚ କାଜୁ, ଆଲ୍ମଣ୍ଡ ଇତ୍ୟାଦି ଛୋଟଛୋଟ ଖଣ୍ଡ କରି ସୁନେଲି ହେବାଯାଏ ଭାଜି କାଢ଼ି ଆଣନ୍ତୁ। ଗୋନ୍ଦ୍କୁ ଭଲଭାବେ ସଫା କରି ଦରଦରା କରି ଚୁରି ଦିଅନ୍ତୁ। ଅଧାକପ୍ ଘିଅରେ ଗୋଟେ କପ୍ ଗୋନ୍ଦ୍ ଦେଇ ମଧ୍ୟମ ଆଞ୍ଚରେ ଭଲକରି ଭାଜନ୍ତୁ ଯେପରିକି ପ୍ରତିଟି ଦାନା ଗରମଘିଅ ସଂସ୍ପର୍ଶରେ ଆସି ଭଲକି ଫୁଟି ହାଲୁକା ହୋଇଯିବ। ନହେଲେ ଏହି ଅଠା ଗୋଟାଳିଆ ହୋଇ ଦାନ୍ତେର ଲାଗିବ। ହଜମ ହେବନି। ପୁଣି ଆଞ୍ଚ ଅଧିକ ହେେଲ ଗୋନ୍ଦ୍ର ସ୍ବାଦ ପିତା ହୋଇଯିବ। ସେଥିପାଇଁ ଜଗିରଖି େଗାନ୍ଦ୍କୁ ଭାଜି କଡ଼େଇରୁ କାଢ଼ି ତାକୁ ଗୁଣ୍ଡ କରିଦିଅନ୍ତୁ। ଏହାପରେ ଅଧକପ୍ ଅଟାକୁ ଦୁଇ ଚାମଚ ଘିଅରେ ବାସ୍ନା ବାହାରିବା ଯାଏ ଭାଜନ୍ତୁ। ସେଥିରେ ଶୁଖିଲା ନଡ଼ିଆ ଗୁଣ୍ଡ, ଗୋଟେ ଚାମଚ ପୋସ୍ତ ମିଶାନ୍ତୁ। ସବୁ ଜିନିଷକୁ ଗୋଟେ ଚଉଡ଼ା ଥାଳିରେ ଢାଳି ସେଥିରେ ଭଲକରି ଗୁଣ୍ଡ ହୋଇଥିବା ଗୁଡ଼/ଚିନି ବା ମିଶ୍ରି ଦୁଇକପ୍(ସ୍ବାଦ ଅନୁସାରେ), ଟିପେ ଲୁଣ, ଗୁଜୁରାତି ଗୁଣ୍ଡ, ଶୁଣ୍ଠି ଗୁଣ୍ଡ ଇତ୍ୟାଦି ଗୋଳାଇ ମିଶ୍ରଣ ଉଷୁମ ଥିବା ଅବସ୍ଥାରେ ଗୋଲ୍ ଗୋଲ୍ ଲଡୁ ତିଆରି କରନ୍ତୁ। ଏହି ସମୟରେ ଆପଣ ଚାହିଁଲେ ମିଶ୍ରଣର ଆବଶ୍ୟକତା ଅନୁସାରେ କିଛି ଗରମ ଗୁଆଘିଅ ମିଶାଇ ପାରିବେ। ତେବେ ଶରୀର ପ୍ରତି ହିତକାରୀ ଏହି ସୁସ୍ବାଦୁ ଲଡୁ ତିଆରି କଲାବେଳେ ସବୁବେଳେ ଭଲ ଗୋନ୍ଦ୍ ଓ ଭଲ ଘିଅ ବ୍ୟବହାର କରିବେ।