ବିଦାୟ ବିଜୟ

କହି ଯାଇଥିଲେ, ହସ୍ପିଟାଲରୁ ଫେରିଲେ ନାଟକ କରିବା। କିନ୍ତୁ କିଏ ଜାଣିଥିଲା ଯେ ତାଙ୍କ ଜୀବନ ନାଟକର ପରଦା ଏତେ ଶୀଘ୍ର ନଇଁଯିବ। କୋଟି କୋଟି ଓଡ଼ିଆଙ୍କ ହୃଦୟରେ ମାୟା ଲଗେଇ ସବୁଦିନ ପାଇଁ ସେ ଚାଲିଗଲେ ଅଫେରା ରାଇଜକୁ। ଶତାଧିକ ନାଟକ, ଦେଢ଼ଶହରୁ ଅଧିକ ଚଳଚ୍ଚିତ୍ର ଓ ଧାରାବାହିକରେ ଅଭିନୟ କରି ଅଜସ୍ର ପୁରସ୍କାର, ସମ୍ମାନ ଓ ଅସୁମାରି ପ୍ରଶଂସା ସାଉଁଟିଥିବା ବିଜୟଙ୍କ ଏଭଳି ଚିରବିଦାୟରେ ସମସ୍ତେ ସ୍ତବ୍ଧ, ବ‌ାକ୍‌ରୁଦ୍ଧ, ଶୋକାଭିଭୂତ। ଏଇ କିଂବଦନ୍ତି ‌ଅଭିନେତାଙ୍କ ଦେହାବସାନରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଯୁଗର ଅବସାନ ଘଟିଛି। ଏବେ ସମସ୍ତେ ତାଙ୍କୁ ଝୁରୁଛନ୍ତି, ଆଗକୁ ବି ଝୁରିବେ…

News Brig

ତାରକା ନୁହେଁ, ଭଲ ଅଭିନେତା ହେବା ଥିଲା ମୁଖ୍ୟ ଲକ୍ଷ୍ୟ
‘କାବେରୀ’ ଫିଲ୍ମରେ ପ୍ରଥମଥର ପାଇଁ ଚରିତ୍ର ଅଭିନେତା ଭାବେ ସୁଯୋଗ ପାଇଥିଲେ ବିଜୟ ମହାନ୍ତି। ଏହା ପରେ ଆସିଥିଲା ‘ଜଗା ହାତରେ ପଘା’। ତାଙ୍କୁ ଖଳନାୟକ ଭାବେ ଦେଖି ଆସୁଥିବା ଦର୍ଶକ ଚରିତ୍ର ଅଭିନେତା ଭାବେ ମଧ୍ୟ ଖୁବ୍‌ ପସନ୍ଦ କଲେ। ଏହାପରେ ସେ ଅଭିନୟ କରି ଚାଲିଲେ। ତେବେ ବିଜୟ କେବେ ବି ତାରକା ହେବାକୁ ଚାହିଁନଥିଲେ। ବରଂ ଭଲ ଅଭିନେତାଟିଏ ହେବା ଥିଲା ତାଙ୍କ ମୁଖ୍ୟ ଲକ୍ଷ୍ୟ। ସେଇ ଦିନରୁ ସେ କେବେ ବି ଗୋଟିଏ ଚରିତ୍ରରେ ବାନ୍ଧି ହୋଇ ରହିନାହାନ୍ତି।

ପାରିଶ୍ରମିକ ବାବଦରେ କେହି ପଚାରିଲେ ଲାଜ ମାଡ଼େ
ସେ କହିଥିଲେ ଆମ ଦର୍ଶକମାନେ ମୋ ପ୍ରତି ବଡ଼ ଦୟାଳୁ। ସେମାନେ ଭିନ୍ନ ଭିନ୍ନ ରୂପରେ ଦେଖି ମଧ୍ୟ ମତେ ପସନ୍ଦ କରିଛନ୍ତି। ସମ୍ମାନ ଦେଇଛନ୍ତି। ତେଣୁ ମୁଁ ସବୁ ବେଳେ ନୂଆ ନୂଆ ଚରିତ୍ରରେ ଅଭିନୟ କରିବାକୁ ଚାହିଁ ଆସିଛି। କିନ୍ତୁ ଦୁଃଖ ଯେ ଆମ ଓଡ଼ିଶାରେ ଚିତ୍ର ନିର୍ମାଣର ଢାଞ୍ଚା ବଦଳୁନାହିଁ। ସେଇ ଏକା ପ୍ରକାର ଚରିତ୍ର ମତେ ବାରମ୍ବାର କରିବାକୁ ପଡ଼ୁଛି। ତେଣୁ ମୁଁ ଏପର୍ଯ୍ୟନ୍ତ ଯଥେଷ୍ଟ ଆତ୍ମ ସନ୍ତୋଷ ପାଇନି ବୋଲି ସେ କହିଥିଲେ। ତାଙ୍କର ଦୁଃଖ ଥିଲା ଯେ ଗୁଡ଼ାଏ ଭଲ ପାଇବା ବ୍ୟତୀତ ଆଉ କିଛି ପାଇନଥିଲେ। ଓଡ଼ିଶା ବାହାରକୁ ଗଲେ ଯେବେ ପାରିଶ୍ରମିକ ବାବଦରେ ପଚରାଯାଏ ମତେ ଲାଜ ମାଡ଼େ ବୋଲି ସେ କହିଥିଲେ।

ପ୍ରଥମ ଫିଲ୍ମ ‘ସଂକଳ୍ପ’ ୧୨ ଦିନ ସୁଟିଂ ପରେ ବନ୍ଦ ହୋଇଗଲା
ଏନ୍‌ଏସ୍‌ଡିରୁ ପାସ୍‌ ହୋଇ ଆସିବା ପରେ ସେ ଭାରତ ସାରା ବୁଲି ନାଟକ କଲେ। ତା’ପରେ ସେ ବାରିପଦା ଚାଲିଆସିଲେ। କିନ୍ତୁ ପରେ ପୁଣି ବମ୍ବେ ଯିବାକୁ ନିଷ୍ପତ୍ତି ନେଲେ। ବାରିପଦା ଛାଡ଼ିବା ପାଇଁ ଯେବେ ସେ ବସ୍‌ଷ୍ଟାଣ୍ଡରେ ଛିଡ଼ା ହୋଇଥିଲେ ତାଙ୍କ ବାପା ଦୌଡ଼ି ଆସି ‌ତାଙ୍କୁ ଗୋଟେ ଟେଲିଗ୍ରାମ ଦେଲେ। ସେଥିରେ ଲେଖା ଥିଲା ‘କମ୍‌ ଫର୍‌ ସୁଟିଂ ବାବୁ ଭାଇ, ରାଣୀହାଟ କଟକ’। ତେଣୁ ବିଜୟ ବମ୍ବେ ଯିବାରୁ ନିବୃତ୍ତ ରହିଲେ। ପରେ ସେ କଟକ ସୁଟିଂ ପାଇଁ ଗଲେ। ଫିଲ୍ମର ନାଁ ଥିଲା ‘ସଂକଳ୍ପ’। କାହାଣୀକାର ଡ.ବସନ୍ତ ମହାପାତ୍ର ଓ ନିର୍ଦେଶକ ପ୍ରଫୁଲ୍ଲ ମହାନ୍ତି। ସେଥିରେ ସେ ନାୟକ ଭୂମିକାରେ ଅଭିନୟ କଲେ। ତାଙ୍କର ନାୟିକା ଥିଲେ ତ୍ରିପୁରା ମିଶ୍ର। ୧୨ ଦିନ ସୁଟିଂ ଚାଲିବା ପରେ ଫିଲ୍ମର କାମ ସବୁଦିନ ପାଇଁ ବନ୍ଦ ହୋଇଗଲା।

YouTube

ସିଂହ ଦୁଆରରେ ଆଉ ପଡ଼ିବନି ପାଦ
ବିଜୟ କେବଳ ସିନେମାରେ ଅଭିନୟ କରି ନ ଥିଲେ, ବରଂ ଆଲବମ୍‌ରେ ବି ଅଭି‌ନୟ କରି ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ଭଜନ ଆଲବମ୍‌ ‘ସିଂହ ଦୁଆରରେ ପାଦ ଦଉ ଦଉ…’, ‘ମୋତେ ସିଂହଦ୍ବାରରୁ ସ୍ବର୍ଗଦ୍ବାର ଯାଏ…’, ‘ବଡ଼ଦାଣ୍ଡ ଧୂଳି ନହେଲା ନାହିଁ ‌ହେ…’ ଆଦି ଭଜନରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଥିଲା। ମହମ୍ମଦ ଅଜିଜ୍‌ଙ୍କ କଣ୍ଠରେ ପରିବେଷିତ ଅଧିକାଂଶ ଆଲବମ୍‌ରେ ତାଙ୍କୁ ଦେଖିବାକୁ ମିଳିଥିଲା।

ହତ୍ୟା ମାମଲାରେ ଫସି ଯାଇଥିଲେ
ଏନ୍‌ଏସ୍‌ଡିରେ ପଢ଼ା ସରିବା ପରେ ସେ ବାରିପଦା ଫେରିଆସିଲେ। ମାତ୍ର ବାରିପଦାକୁ ଆସିବାର ୧୦ ଦିନ ଭିତରେ ଗୋଟେ ହତ୍ୟା ମାମଲାରେ ସେ ଫସିଗଲେ। କୌଣସି ଦୋଷ ନଥାଇ ମଧ୍ୟ ଗିରଫ ହେଲେ। ପରେ କିନ୍ତୁ ଯଦିଓ ସେ ମୁକୁଳି ଆସିଲେ କିନ୍ତୁ ‌ବର୍ଷେ ଯାଏ କେସ୍‌ ଚାଲିଲା। ଆଉ ବର୍ଷଟା ଯାକ ତାଙ୍କର ନଷ୍ଟ ହୋଇଗଲା। ପରେ ପୁଣି ଡାକରା ପାଇଁ ଏନ୍‌ସ୍‌ଡି ଗଲେ।

ପଦ୍ମିନୀଙ୍କ ଅଭିନୟ ପ୍ରଭାବିତ କରିଥିଲା
ବାରିପଦାରେ ଏମ୍‌.କେସି ହାଇସ୍କୁଲ୍‌ରେ ପଢ଼ୁଥିବା ବେଳେ ପ୍ରଚୁର ସିନେମା ଦେଖୁଥିଲେ। ଏପରିକି ୨୨/୨୩ଟି ସିନେମା ଦେଖୁଥିଲେ। ଗୋଟେ ବର୍ଷ ସ୍କୁଲ୍‌ରେ ବାର୍ଷିକ ଉତ୍ସବରେ ଡ୍ରାମା ହେବାର ଥାଏ। ସାର୍‌ମାନେ ତାଙ୍କୁ ଅଭିନୟ କରିବା ପାଇଁ କହିଲେ। ମାତ୍ର ବିଜୟ ରାଜି ହେଲେନାହିଁ। ସେଇ ସମୟରେ ବିଜୟ ଏକ ଫିଲ୍ମ ଦେଖିବାକୁ ଯାଇଥାଆନ୍ତି। ଫିଲ୍ମଟି ଥିଲା ‘ଜିସ୍‌ ଦେଶ୍‌ ମେଁ ଗଙ୍ଗା ବେହ୍‌ତି ହୈ’। ଫିଲ୍ମରେ ନାୟିକା ପଦ୍ମିନୀଙ୍କ ଅଭିନୟ ଖୁବ୍‌ ପ୍ରଭାବିତ କଲା। ସେ ଭାବିଲେ ଝିଅ ପିଲାଟିଏ ଯଦି ଏତେ ସୁନ୍ଦର ଅଭିନୟ କରୁଛି, ମୁଁ ପୁଅ ପିଲାଟେ କାହିଁକି କରିପାରିବିନ। ତେଣୁ ସେ ସାର୍‌ଙ୍କୁ ହଁ ମାରିଦେଲେ। ସ୍କୁଲ୍‌ର ବାର୍ଷିକ ଉତ୍ସବରେ ହୋଇଥିବା ଡ୍ରାମାରେ ସେ ହାସ୍ୟ ଅଭିନୟ କରି ବହୁ ପ୍ରଶଂସା ପାଇଲେ।

ସମ୍ବନ୍ଧିତ ଖବର