ନାୟିକା ନମ୍ରତା ସିଂହଦେଓ ରିଆଲିଟି ସୋ ‘ମିଠାମିଠା ଯୋଡ଼ି’ ଜରିଆରେ ଗ୍ଲାମର୍‌ ଲାଇନକୁ ଆସିଥିଲେ। ଏଥିରେ ବିଜୟିନୀ ହୋଇ ନଥିଲେ ହେଁ ପରେ ଅନ୍ୟ ଜଣେ ପ୍ରଯୋଜକଙ୍କ ସିନେମା ‘ଆଖି ଖୋଲିଲେ ତୁ ହି ତୁ’ରୁ  ନାୟିକା ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏଥିରେ ସେ ଉଚ୍ଚକୋଟୀର ଅଭିନୟ ବି କରିଥିଲେ। ଏହି ସିନେମାରେ ଦୀପକ ଥିଲେ ତାଙ୍କର ନାୟକ। ତା’ପରେ ତାଙ୍କୁ ‘ତୋ ପାଇଁ ଫେରିବି ମୁଁ ବସୁଧା ଚିରି’, ‘ମନେ ମନେ ମନ ଖୋଜୁଥୁଲା’, ‘ଚୁମ୍‌କି ସେତ ପାଣିରେ ବୁଡ଼ିବ ନାହିଁ କି’ ଓ ‘ସେଲ୍‌ଫିସ ଦିଲ୍’ ଆଦି ଛବିରେ ଦେଖିବାକୁ ମିଳିଛି। ଖୁବ୍ ଶୀଘ୍ର ସେ ନୂଆ ଓଡ଼ିଆ ଛବି ‘ଟୋଟାଲ୍ ବାଳୁଙ୍ଗା’ରେ ନଜ‌ର ଆସିବେ।

Advertisment

ଦୀପକ, ଓମ୍‌କାର, ଶ୍ରେୟାନ୍, ଚନ୍ଦନଙ୍କ ଭଳି ନାୟକଙ୍କ ସହ  ଅଭିନୟ କରିଥିଲେ ବି ପ୍ରାୟ ଦୁଇ ବର୍ଷ ହେବ ଆଉ ବଡ଼ ପରଦାରେ ନଜର ଆସିନାହାନ୍ତି ନମ୍ରତା। ଏହାର କାରଣ ସଂପର୍କରେ ସେ କହନ୍ତି, ‘‘ମୋ ପାଖକୁ ମଝିରେ ମଝିରେ ଅଫର୍ ଆସୁଛି, କିନ୍ତୁ ସେସବୁର ବଜେଟ୍ ଓ କାଷ୍ଟିଂକୁ ନେଇ ସନ୍ତୁଷ୍ଟ ହୋଇପାରିନାହିଁ। ମୁଁ ଦେଖି ଚାହିଁ ଅଫର ଗ୍ରହଣ କରୁଛି। ନିକଟରେ ଏକ ସିନେମାର ଅଫର୍ ମିଳିଥିଲା, ଯେଉଁଥିରେ ଚାରିଜଣ ନାୟିକା ଥିବା କାରଣରୁ ଆଗ୍ରହ ଦେଖାଇଲି ନାହିଁ। ମୁଁ ଏବେ ଭଲ ଚରିତ୍ର ଓ ବଡ଼ ସିନେମା ଅପେକ୍ଷାରେ ଅଛି। ଏହାଛଡ଼ା ଟି ଗଣେଶଙ୍କ ନିର୍ଦ୍ଦେଶିତ ‘ଟୋଟାଲ୍ ବାଳୁଙ୍ଗା’ର ରିଲିଜ୍‌କୁ ବି ଚାହିଁରହିଛି।’’