ଗ୍ରୁପ କ୍ୟାପ୍‌ଟେନ୍‌ ଶୁଭାଂଶୁ ଶୁକ୍ଳଙ୍କ ମହାକାଶ ଗସ୍ତ ଭାରତୀୟ ମହାକାଶ ଗବେଷଣା ପାଇଁ ଏକ ଐତିହାସିକ ଉପଲବ୍‌ଧି। ସେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ(ଆଇଏସ୍‌ଏସ୍‌)ରେ ପହଞ୍ଚିଥିବା ପ୍ରଥମ ଭାରତୀୟ ମହାକାଶଚାରୀ। ଶୁଭାଂଶୁଙ୍କ ସହିତ ଭାରତର ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀ ସିଧାସଳଖ ଆଲୋଚନା କରିଥିଲେ। ମହାକାଶଚାରୀମାନେ ଶୂନ୍ୟ ମାଧ୍ୟାକର୍ଷଣ ସହିତ କିପରି ଖାପ ଖୁଆଇଥା’ନ୍ତି, ଜରୁରିକାଳୀନ ପରିସ୍ଥିତିରେ କ’ଣ ହୁଏ, ଖାଦ୍ୟ ଓ ମାନସିକ ସ୍ୱାସ୍ଥ୍ୟ ସମେତ ଦୈନନ୍ଦିନ କାର୍ଯ୍ୟରୁ ଆରମ୍ଭ କରି ଜଟିଳ ଜୈବିକ ଓ ବୈଜ୍ଞାନିକ ଘଟଣାର ପ୍ରତ୍ୟକ୍ଷ ଅନୁଭବ ଶୁଭାଂଶୁ ଟିକିନିଖି ବଖାଣିଥିଲେ। 
ଭୂପୃଷ୍ଠରୁ ଶହ ଶହ କିଲୋମିଟର ଉପରେ ପରିକ୍ରମା କରୁଥିବା ମହାକାଶ କେନ୍ଦ୍ରରେ ଶୟନ ଅଭିଜ୍ଞତା ସମ୍ପର୍କରେ ତାଙ୍କ ଉତ୍ତର ହେଲା, ସେଠାରେ ମାଧ୍ୟାକର୍ଷଣ ବିନା ‘ଉପର’ କିମ୍ବା ‘ତଳ’ର କୌଣସି ଧାରଣା ନଥାଏ। ସେଠାରେ ପୃଥିବୀ ପରି ବିଛଣାରେ ନଶୋଇ ସେମାନେ କାନ୍ଥ କିମ୍ବା ଛାତରେ ସ୍ଲିପିଂ ବ୍ୟାଗ ବ୍ୟବହାର କରିଥା’ନ୍ତି। ତେବେ ଶୋଇଥିବା ବେଳେ ଅନ୍ୟତ୍ର ଭାସି ନଯିବା ପାଇଁ ସେମାନେ ସ୍ଲିପିଂ ବ୍ୟାଗଗୁଡ଼ିକୁ ନିର୍ଦ୍ଦିଷ୍ଟ ସ୍ଥାନରେ ବାନ୍ଧି ରଖିଥାନ୍ତି। ସେହିପରି ମହାକାଶଚାରୀମାନେ ନଗଣ୍ୟ ମାଧ୍ୟାକର୍ଷଣ (ମାଇକ୍ରୋଗ୍ରାଭିଟି)ରେ ପୁଷ୍ଟିର ଆବଶ୍ୟକତା ପୂରଣ ପାଇଁ ପୂର୍ବରୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଉପରେ ନିର୍ଭର କରନ୍ତି।

Advertisment

ମହାକାଶରେ ଖାଦ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମନସ୍ତାତ୍ତ୍ୱିକ ଭୂମିକା ଗ୍ରହଣ କରେ। ତେଣୁ ଶୁଭାଂଶୁ ନିଜ ପସନ୍ଦର ଗାଜର ହାଲୱା, ମୁଗଡାଲି ହାଲୱା ଓ କିଛି ପ୍ରିୟ ଭାରତୀୟ ମିଠା ମହାକାଶକୁ ନେଇ ଯାଇଛନ୍ତି। ସେଠାରେ କୌଣସି ଡାକ୍ତର ନଥିବାରୁ ମହାକାଶ ଯାତ୍ରା ପୂର୍ବରୁ ସେମାନେ କଠୋର ସ୍ୱାସ୍ଥ୍ୟ ତାଲିମ ନିଅନ୍ତି ଏବଂ ସାଙ୍ଗରେ  ପର୍ଯ୍ୟାପ୍ତ ଔଷଧ ବହନ କରିଥା’ନ୍ତି। ସେମାନେ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରୋଟୋକଲ କଡ଼ାକଡ଼ି ପାଳନ କରି ବିଭିନ୍ନ ପରିସ୍ଥିତିର ମୁକାବିଲା କରିଥା’ନ୍ତି। ମହାକାଶ କେନ୍ଦ୍ରରେ ବିଭିନ୍ନ କାର୍ଯ୍ୟକଳାପ ଓ ଶାରୀରିକ ଚ୍ୟାଲେଞ୍ଜ ବ୍ୟତୀତ ମହାକାଶଚାରୀମାନଙ୍କର ସୀମିତ ଅବସର ସମୟ ଥାଏ। ତେବେ ସେତେବେଳେ ସେମାନେ ମହାକାଶରୁ ପୃଥିବୀର ଦୃଶ୍ୟ ଉପଭୋଗ କରନ୍ତି। ଗତିଶୀଳ ପୃଥିବୀର ଦୃଶ୍ୟ ଅବିଶ୍ୱସନୀୟ, ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଓ ସୁନ୍ଦର ବୋଲି ଶୁକ୍ଳା କହିଛନ୍ତି। ସମୟ ମିଳିଲେ ସେମାନେ ଭିଡିଓ କାର୍ଯ୍ୟକ୍ରମ ଦେଖିବା କିମ୍ବା ସରଳ ଗେମ୍‌ ଖେଳିବା ଭଳି ହାଲୁକା ମନୋରଞ୍ଜନମୂଳକ କାର୍ଯ୍ୟକଳାପରେ ନିୟୋଜିତ ହୋଇଥା’ନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ମାଧ୍ୟାକର୍ଷଣର ଅନୁପସ୍ଥିତିରେ ଶରୀର ଅସ୍ଥିର ଅନୁଭବ କରେ, ତେବେ ସମୟ ସହିତ ତାହା ଅଭ୍ୟସ୍ତ ହୋଇଯାଏ। ପୃଥିବୀକୁ ଫେରିବାର ନିଜସ୍ୱ ଚ୍ୟାଲେଞ୍ଜ ରହିଛି, କାରଣ ଶରୀରକୁ ମାଧ୍ୟାକର୍ଷଣ ଅଧୀନରେ କିପରି କାର୍ଯ୍ୟ କରିବାକୁ ହୁଏ ତାହା ପୁଣି ଶିଖିବାକୁ ପଡ଼ିଥାଏ। ଶୁଭାଂଶୁ ଛାତ୍ରଛାତ୍ରୀମାନଙ୍କୁ ଏହି ସନ୍ଦେଶ ଦେଇଛନ୍ତି ଯେ ସେମାନଙ୍କ ମଧ୍ୟରୁ ଅନେକ ଭବିଷ୍ୟତର ମହାକାଶଚାରୀ ହୋଇପାରିବେ, ଏପରିକି ଚନ୍ଦ୍ର ପୃଷ୍ଠରେ ଚାଲିବାର ସୁଯୋଗ ପାଇବେ।