ନିର୍ବାଚନୀ ବର୍ଷ ୨୦୧୯ ଚାଷୀଙ୍କ ପାଇଁ ହୁଏତ ଋଣ ଛାଡ଼ର ବର୍ଷ ହୋଇପାରେ, କିନ୍ତୁ ମହାରାଷ୍ଟ୍ରର ଏକ ଛୋଟିଆ ଗାଁର ଚାଷୀମାନେ ସେଥିପ୍ରତି ଆ‌ଦୌ ଆଗ୍ରହୀ ନୁହନ୍ତି। ଋଣ ଛାଡ଼ ବଦଳରେ ଉତ୍ତମ ମାନର ବିହନ, ବିଜୁଳି ଏବ˚ ଉତ୍ପାଦିତ ସାମଗ୍ରୀକୁ ଉଚିତ ମୂଲ୍ୟରେ ବିକ୍ରି କରିବାକୁ ସେମାନେ ଚାହାନ୍ତି। ଚାଷ ଓ ଚାଷୀର ସାମଗ୍ରିକ ବିକାଶ ପାଇଁ ଏ ପରି ସକାରାତ୍ମକ ମାନସିକତା ପୋଷଣକରି ଏହି ଗାଁର ଚାଷୀମାନେ ବିରଳ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ହିୱରେ ବାଜାର ଭାବେ ନାମିତ ଏହି ଗାଁଟି ଅହମଦାନଗର ଜିଲ୍ଲାରେ ଅବସ୍ଥିତ। ସ୍ବଳ୍ପ ବୃଷ୍ଟିପାତ ଅଞ୍ଚଳ ଭାବେ ଏହା ଜଣାଶୁଣା। ପ୍ରାୟ ପଚିଶ ବର୍ଷ ପୂର୍ବରୁ ଏଠାରେ ବର୍ଷା ଜଳକୁ ସ˚ରକ୍ଷଣ ଓ ସୁପରିଚାଳନା ପାଇଁ ଗ୍ରାମବାସୀ ଉଦ୍ୟମ କରି ସଫଳ ହୋଇଥିଲେ। ଅଧିକ ଜଳ ଆବଶ୍ୟକ କରୁଥିବା ଚାଷ ବଦଳରେ ଅପେକ୍ଷାକୃତ କମ୍‌ ଜଳରେ ଚାଷ ହୋଇପାରୁଥିବା ପରିବା, ଡାଲି ଜାତୀୟ ଶସ୍ୟ, ଫୁଲ, ଫଳ ଆଦି ଚାଷ କଲେ। ଏହା ଦ୍ବାରା ମରୁଡ଼ି ଭୟ ରହିଲା ନାହିଁ, ଭଲ ଉତ୍ପାଦନ ହେଲା ଏବ˚ ଚାଷୀର ଆୟ ବଢ଼ିଲା। ୧୯୯୧ରେ ଏକଦା ଏହି ଗାଁର ଜଣ ପିଛା ଚାଷୀଙ୍କ ମାସିକ ଆୟ ଥିଲା ମାତ୍ର ୮୩୨ ଟଙ୍କା; ଏବେ ମାସକୁ ୩୨ ହଜାର ଟଙ୍କା ରୋଜଗାର ହେଉଛି।

Advertisment

publive-image Business Today

ସବୁଠାରୁ ଉଲ୍ଲେଖନୀୟ କଥା ହେଲା, ପ୍ରତିବର୍ଷ ଡିସେମ୍ବର ୩୧ ତାରିଖରେ ଗାଁର ଚାଷୀମାନଙ୍କୁ ନେଇ ଏକ ବୈଠକ ବସେ। କେତେ ଜଳ ସ˚ରକ୍ଷିତ ଅଛି ଏବ˚ ସେତକ ଜଳରେ କେଉଁ ପ୍ରକାରର ଚାଷ ସମ୍ଭବ ହୋଇପାରିବ, ସେ ବାବଦରେ ଆଲୋଚନା ହୁଏ। ଚାଷ ପାଇଁ ଆବଶ୍ୟକ ଜଳର ଅଭାବ ଥିଲେ ଗ୍ରାମବାସୀ ଚାଷକରନ୍ତି ନାହିଁ। ମିଳିତ ଭାବେ ଡାଏରି ଫାର୍ମରୁ ଅର୍ଥ ରୋଜଗାର କରନ୍ତି। ଏହି ଗାଁରେ ଥିବା ଡାଏରି ଫାର୍ମରୁ ଏବେ ଦୈନିକ ଚାରି ହଜାର ଲିଟର‌୍‌ କ୍ଷୀର ଉତ୍ପାଦିତ ହେଉଥିବା ଜଣାଯାଏ। ଗାଁର ସବୁ ପରିବାର ଆର୍ଥିକ ଭାବେ ସ୍ବଚ୍ଛଳ। ବିପିଏଲ୍‌ ହିତାଧିକରୀ ନୁହନ୍ତି। ଗାଁର ଉପ-ସରପଞ୍ଚ ପୋପାତ୍ରାଓ ପାଵର କହନ୍ତି- ଋଣ ଛାଡ଼ ଚାଷୀକୁ ସାହାଯ୍ୟ କରେ ନାହିଁ କି˚ବା ଏହା ଦ୍ବାରା ଚାଷୀର କୌଣସି ଉନ୍ନତି ହୁଏ ନାହିଁ। ଋଣ ଛାଡ଼ ବଦଳରେ ସରକାର ଚାଷୀକୁ ଭଲ ବିହନ ଯୋଗାଇଦେବା ସହିତ ଉତ୍ପାଦିତ କୃଷିଜାତ ସାମଗ୍ରୀକୁ ଉଚିତ ଦରରେ ବିକ୍ରୟ ପାଇଁ ବଜାର ସୃଷ୍ଟି ଦିଗରେ ପଦକ୍ଷେପ ନେବା ଉଚିତ।