ଉତ୍କଳର ଦେବଭୂମି ସିଦ୍ଧସାଧକମାନଙ୍କର ପୁଣ୍ୟକ୍ଷେତ୍ର ଓ ସାଧନକ୍ଷେତ୍ର। ଅନେକ ଜ୍ଞାନୀ, ଗୁଣୀ, ସାଧୁସନ୍ଥ, ମହାତ୍ମା ଓ ମହାପୁରୁଷ ଏହି ଉତ୍କଳ ଭୂଖଣ୍ଡରେ ଜନ୍ମଗ୍ରହଣ କରି ନିଜର ସାଧନା, ସିଦ୍ଧି ଓ ମହିମାର ପ୍ରଚାର କରିଯାଇଛନ୍ତି। ଅଷ୍ଟାଦଶ ଶତାବ୍ଦୀର ସନ୍ଥ ଅରକ୍ଷିତ ଦାସ ସେହିପରି ଜଣେ ତତ୍ତ୍ବଦର୍ଶୀ ସିଦ୍ଧ ପୁରୁଷ। ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ପଲାଇ ମୌଜାସ୍ଥିତ ଓଳାଶୁଣୀ ପର୍ବତର ଶିଖର ଦେଶରେ ସାଧନା କରୁଥିବା କାଳ‌େର ସେ ଇଚ୍ଛାମୃତ୍ୟୁ ସମାଧି ଗ୍ରହଣ କରିଥିଲେ। 

Advertisment

ଉତ୍କଳର ସନ୍ଥ ପରମ୍ପରାରେ ଅରକ୍ଷିତ ଦାସଙ୍କ ନିଗୂଢ଼ ଚିନ୍ତନର ସାରସ୍ବତ ସୃଷ୍ଟି ସମ୍ଭାର ବହୁ ଭାବରେ ଯଶଶ୍ରୀ ମଣ୍ଡିତ ହୋଇଛି। ସେ ବିଶେଷ କୌଣସି ଶିକ୍ଷା ଲାଭ କରି ନ ଥିଲେ ମଧ୍ୟ ଉତ୍କଳର ବିଭିନ୍ନ ପୁଣ୍ୟକ୍ଷେତ୍ର ପରିଭ୍ରମଣ କାଳରେ ଲେଖିଯାଇଛନ୍ତି ଅନେକ ମାନବବାଦୀ ତତ୍ତ୍ବବାଣୀ। ‘ମହୀମଣ୍ଡଳ ଗୀତା’ ତାଙ୍କର ଏକ ଆତ୍ମଜୀବନୀମୂଳକ ଅମୂଲ୍ୟ ଗ୍ରନ୍ଥ। ସେ ଥିଲେ ନିରାକାର ବ୍ରହ୍ମଙ୍କର ଉପାସକ। ସେ ଅବତାରମାନଙ୍କୁ ଈଶ୍ବର ରୂ‌େପ ଗ୍ରହଣ କରୁ ନ ଥିଲେ ମଧ୍ୟ ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥ, ଝଙ୍କଡ଼ପୀଠର ଦେବୀ ଶାରଳା, କଟକର କଟକଚଣ୍ଡୀ ଓ ଓଳାଶୁଣୀ ପୀଠର ଅଧିଷ୍ଠାତ୍ରୀ ଦେବୀ ଓଳାଶୁଣୀଙ୍କୁ ସାଧନା ଓ ସିଦ୍ଧିଲାଭ ପାଇଁ ପ୍ରାର୍ଥନା କରିଛନ୍ତି। ସେ ଥିଲେ ନାମବ୍ରହ୍ମର ଉପାସକ, ନିର୍ଗୁଣ ସାଧକ ତଥା ଅବଧୂତପନ୍ଥୀ।

ସସାଗରା ଧରାରେ କ୍ଷୁଦ୍ରାତିକ୍ଷୁଦ୍ର ଅଣୁ ପରମାଣୁଠାରୁ ଆରମ୍ଭ କରି ସଜୀବ, ନିର୍ଜୀବ, ଜଡ଼, ସ୍ଥାବର ଓ ଜଙ୍ଗମାଦି ସର୍ବତ୍ର ନାମବ୍ରହ୍ମର ସ୍ଥିତି ଓ ସତ୍ତା ସେ ଅନୁଭବ କରିଥିଲେ। ତାଙ୍କ ଯୋଗସାଧନାରେ ଚେତନ ଓ ଅଚେତନ ଥିଲା ଏକ ଓ ଅଭିନ୍ନ। ସର୍ବଦେହରେ ବ୍ରହ୍ମଦର୍ଶନ କରିବା, ଆଚଣ୍ଡାଳ ବ୍ରାହ୍ମଣ, ଜୀବ ଓ ନିର୍ଜୀବ, ଦୃଶ୍ୟ ଓ ଅଦୃଶ୍ୟ, ସମସ୍ତଙ୍କଠାରେ ପରଂବ୍ରହ୍ମଙ୍କ ସ୍ଥିତି ଉପଲବ୍‌ଧି କରିବା ଥିଲା ତାଙ୍କ ଦର୍ଶନର ଭିତ୍ତି। ସନ୍ଥ ଅରକ୍ଷିତ ଏହି ପରମତତ୍ତ୍ବ ଦର୍ଶନ, ଚିନ୍ତନ ଏବଂ ସମଦର୍ଶୀ ଭାବକୁ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ପ୍ରଚାର କରିଯାଇଛନ୍ତି। ଓଳାଶୁଣୀ ଗୁମ୍ଫାଠାରେ ୧୮୩୭ ମସିହା ମାଘ କୃଷ୍ଣ ଏକାଦଶୀ ତିଥିରେ ଏହି ମହାପୁରୁଷ ଆତ୍ମସମାଧି ଗ୍ରହଣ କରିଥିଲେ। ଶତାଧିକ ବର୍ଷ ଧରି ସେହି ତିଥିରେ ସେଠାରେ ପାଳିତ ହେଉଛି ସପ୍ତାହ ବ୍ୟାପୀ ଓଳାଶୁଣୀ ଗୁମ୍ଫା ଯାତ୍ରା। ଭକ୍ତମାନେ ମାନସିକ କରି ଏହି ପୀଠରେ ପୋଡ଼ପିଠା ଓ କାଞ୍ଜି ଅର୍ପଣ କରିଥାନ୍ତି।
-ଶୁଭେନ୍ଦୁ ଭୂୟଁା