ଭାରତୀୟ ସଂଗୀତ ଜଗତରେ ଲତା ମଙ୍ଗେସକର ଜଣେ ଅତୁଳନୀୟ ଗାୟିକା। ତାଙ୍କ କଣ୍ଠର ତୁଳନା ନାହିଁ। ଲତା ତାଙ୍କ କଣ୍ଠର ଯାଦୁରେ ସମଗ୍ର ଦେଶକୁ ମୁଗ୍ଧ କରିଆସିଛନ୍ତି। ସେ କେବଳ ଭାରତର କନ୍ୟା ନୁହନ୍ତି, ଭାରତର ବୁଲ୍‌ବୁଲ୍‌ (ନାଇଟିଙ୍ଗେଲ) ମଧ୍ୟ। ପିତାଙ୍କ ମୃତ୍ୟୁ ପରେ ପରିବାରର ଜ୍ୟେଷ୍ଠ ସନ୍ତାନ ହିସାବରେ କିଛି କାମ କରି ପରିବାର ଚଳାଇବାର ଦାୟିତ୍ବ ପଡ଼ିଲା ଲତାଙ୍କ ଉପରେ। ସେ ସଂଗୀତକୁ ନିଜର ବୃତ୍ତି ଭାବରେ ଗ୍ରହଣ କଲେ। ସିନେମା ଜଗତର ସବୁ ନିର୍ଦ୍ଦେଶକ ନିଜ ଫିଲ୍ମରେ ଗୀତ ଗାଇବା ପାଇଁ ଲତାଙ୍କୁ ଖୋଜିଲେ। ଲତାଙ୍କ କଣ୍ଠର ଯାଦୁ ଯୋଗୁ ଅନେକ ଅଭିନେତ୍ରୀ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ସେ ଜଣେ ଅତି ଦୟାଳୁ ଓ ବଦାନ୍ୟ ମହିଳା ଥିଲେ। ମଧୁବାଳାଙ୍କଠାରୁ ଆରମ୍ଭ କରି ଡିମ୍ପଲ କପାଡ଼ିଆ ପର୍ଯ୍ୟନ୍ତ ଏବଂ ଏପରି କି ପ୍ରୀତି ଜିଣ୍ଟାଙ୍କ ଅଭିନୟ ବେଳେ ଲତା କଣ୍ଠଦାନ କରିଛନ୍ତି। ଲତା ଥିଲେ ବଲିଉଡ୍ ସଂଗୀତ ଶିଳ୍ପ ପାଇଁ ଈଶ୍ବରଙ୍କ ବରଦାନ ସଦୃଶ। ଯାହାଙ୍କ ସ୍ବରକୁ ଏକଦା ପ୍ରତ୍ୟାଖ୍ୟାନ କରାଯାଇଥିଲା, ସେ ହୋଇଉଠିଲେ ସବୁଠୁ ପ୍ରଶଂସିତ ଓ ବିସ୍ମୟକର ଗାୟିକା।

Advertisment

ଲତା ସହିଦମାନଙ୍କ ସ୍ମୃତିରେ ଭାବପ୍ରବଣତା ସହିତ ଯେଉଁ ଦେଶାତ୍ମବୋଧକ ଗୀତଟି ଗାଇଥିଲେ, ତାହା ଜବାହରଲାଲ ନେହେରୁଙ୍କ ଆଖିରେ ଲୁହ ଭରିଦେଇଥିଲା। ତାଙ୍କ ଗୀତ ‘ଆୟେ ମେରେ ୱତନ କେ ଲୋଗୋଁ’ ବହୁ ପଥର-ହୃଦୟକୁ ତରଳାଇଦେଇଛି ଏବଂ ବହୁ ଲୋକଙ୍କ ଆଖିରେ ଅଶ୍ରୁ ଓ ଶରୀରରେ ରୋମାଞ୍ଚ ଭରିଦେଇଛି। ଲତା ମଙ୍ଗେସକର ତାଙ୍କ କଣ୍ଠର କୁହୁକରେ ପୂରା ଶିଳ୍ପକୁ ଏକଚାଟିଆ କରିଦେଇଥିଲେ। ଅନେକ କିମ୍ବଦନ୍ତୀ ଗୀତିକାର ଯଥା ମଦନ ମୋହନ, ସାଜାଦ ହୁସେନ, ଏସ୍‌ଡି ବର୍ମନ, ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ ଏବଂ ଆର୍‌ଡି ବର୍ମନଙ୍କ ସହ ଲତା କାମ କରିଛନ୍ତି। ସଂଗୀତ ଶିଳ୍ପକୁ ଅନବଦ୍ୟ ଅବଦାନ ପାଇଁ ତାଙ୍କୁ ପଦ୍ମଭୂଷଣ, ପଦ୍ମବିଭୂଷଣ ଏବଂ ଦାଦା‌ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି। କେବଳ ଏତିକି ନୁହେଁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଛି। ସଂଗୀତ ତଥା ସିନେମା ଜଗତକୁ ଅନବଦ୍ୟ ଅବଦାନ ପାଇଁ ଲତା ମଙ୍ଗେସକର ଚିରସ୍ମରଣୀୟ ହୋଇ ରହିବେ।

publive-image Image Courtesy of India Today

ହୃଦୟାରୁ ଲତା ମଙ୍ଗେସକର
ଜନ୍ମ ସମୟରୁ ଲତାଙ୍କ ନାମ ହୃଦୟା ଦିଆଯାଇଥିଲା। ପରେ ତାଙ୍କ ପିତା ଏକ ନାଟକ ‘ଭାବବନ୍ଧନ’ରେ ମହିଳା ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଥିଲେ। ସେହି ଚରିତ୍ରର ନାମ ଥିଲା ଲତିକା। ଏହି ଲତିକା ନାମରୁ ପ୍ରେରିତ ହୋଇ ସେ ନିଜ ବଡ଼ଝିଅର ନାମ ଲତା ରଖିଥିଲେ। ମଙ୍ଗେସକର ସାଙ୍ଗିଆ ଲତାଙ୍କ ପିତା ଦୀନନାଥଙ୍କ ଜନ୍ମମାଟି ଗୋଆର ମଙ୍ଗେସି ନାମରୁ ଆସିଛି। ଏଣୁ ଲତାଙ୍କ ନାମ ହୃଦୟାରୁ ଲତା ମଙ୍ଗେସକର ହୋଇଥିଲା।

୩୬ଟି ଭାଷାରେ ହଜାରେ‌ରୁ ଊର୍ଧ୍ବ ଚଳଚ୍ଚିତ୍ର
ଲତା ମଙ୍ଗେସକର ନିଜ ଜୀବନକାଳରେ ହଜାର ହଜାର ସଙ୍ଗୀତ ରେକର୍ଡ କରି ଯାଇଛନ୍ତି। ଲତା କେବେ ଗୀତ ଗାଇଛନ୍ତି ଏହାର ରେକର୍ଡ ସେ ନିଜେ ରଖିନଥିବା ବେଳେ ଗିନିଜ୍‌ ବୁକ୍‌ ଅଫ୍ ରେକର୍ଡ ଅନୁଯାୟୀ ୧୯୪୮ରୁ ୧୯୮୭ ମସିହା ମଧ୍ୟରେ ୩୦ ହଜାରରୁ ଅଧିକ ଗୀତ ଲତା ଗାଇସାରିଥିଲେ । କେ‌ବଳ ହିନ୍ଦୀ ଭାଷାରେ ନୁହେଁ ଭାରତର ୩୬ଟି ଭାଷାରେ ସେ ସଙ୍ଗୀତ ଗାନ କରି ଭାରତୀୟ ସଙ୍ଗୀତ କୋଷକୁ ଋଦ୍ଧିମନ୍ତ କରିଯାଇଛନ୍ତି। ସେ ଅଧିକରୁ ଅଧିକ ହିନ୍ଦୀ ଓ ମରାଠୀ ସଙ୍ଗୀତ ଗାନ କରିଥିବା ବେଳେ ଦେଶର ଅନେକ ଆଞ୍ଚଳିକ ଭାଷାରେ ମଧ୍ୟ‌ ସେ ସଙ୍ଗୀତ ଗାନ କରିଛନ୍ତି।

୧୮୫ ବଙ୍ଗାଳୀ ଗୀତ
ଲତା ମଙ୍ଗେସକର ୧୮୫ଟି ବଙ୍ଗାଳୀ ଗୀତ ଗାଇ ବଙ୍ଗଳା ସଙ୍ଗୀତ ଜଗତକୁ ଅଧିକ ପ୍ରାଚୁର୍ଯ୍ୟମୟ କରି ଦେଇଛନ୍ତି। ୧୯୫୬ ମସିହାରେ ସେ ‘ପ୍ରେମ୍ ଏକ୍‌ବାର୍‌ ଏସେଛିଲୋ ନିରୋବେ’... ସଙ୍ଗୀତ ଗାଇ ବଙ୍ଗଳା ସଙ୍ଗୀତ ଜଗତରେ ଜବରଦସ୍ତ ପାଦ ଥାପିଥିଲେ। ୫୦ଦଶକ ଶେଷ ଆଡ଼କୁ ‘ଯାରେ ଉଡ଼େ ଯାରେ ପକ୍ଷୀ...’ , ‘ନା ଯେଓନା...’, ‘ଓଗୋ ଆର୍‌ କିଛୁ ତୋ ନୟ...’ ଆଦି ଗୀତ ଗାଇ ସେ ଚର୍ଚ୍ଚିତ ହୋଇଥିବା ବେଳେ ଏସବୁର ହିନ୍ଦୀ ରୂପାନ୍ତର ଯଥାକ୍ରମେ ‘ଯାରେ ଉଡ୍‌ ଯା’ରେ ପଞ୍ଛି...’, ‘ତସ୍‌ବୀର ତେରେ ଦିଲ୍‌ ମେ...’ ଓ ‘ସାଜନ୍‌...’ ଆଦି ଗୀତ ବେଶ୍‌ ଲୋକପ୍ରିୟ ହୋଇଥିଲା।

publive-image

ପରିବାରରୁ ସଙ୍ଗୀତ ଜ୍ଞାନ

୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକର। ପିତା ଥିଲେ ମରାଠୀ ଓ କୋଙ୍କଣୀ ସଙ୍ଗୀତଜ୍ଞ ପଣ୍ଡିତ ଦୀନନାଥ ମଙ୍ଗେସକର ଓ ମାତା ହେଉଛନ୍ତି ସେବନ୍ତି (ସୁଧାମତି)। ଲତାଙ୍କ ପିତା ପଣ୍ଡିତ ଦୀନନାଥ ଜଣେ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ଓ ନାଟ୍ୟ କଳାକାର ଥିଲେ। ମାତ୍ର ୫ ବର୍ଷ ବୟସରୁ ପିତାଙ୍କଠାରୁ ସେ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିବା ବେଳେ ନିଜ ଆଇଙ୍କଠାରୁ ସେ ଗୁଜରାଟୀ ଲୋକସଙ୍ଗୀତ ଗର୍‌ବା ଓ ପାଭାଗଡ଼ ଶିକ୍ଷା କରିଥିଲେ। ସେ ପିଲାବେଳୁ ହିଁ ନିଜ ପିତାଙ୍କ ମରାଠୀ ସଙ୍ଗୀତ ନାଟକରେ ଅଭିନେତ୍ରୀ ଭାବେ କାମ କରିବା ଆରମ୍ଭ କରି ଦେଇଥିଲେ। ମୁମ୍ବାଇରେ ରହଣି ସମୟରେ ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ। ଭିଣ୍ଡିବାଜାର ଘରାନାର ଉସ୍ତାଦ ଅମନ ଅଲ୍ଲୀ ଖାନ୍‌ଙ୍କଠାରୁ ସେ ବିଦ୍ଧିବଦ୍ଧ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିଖିଥିଲେ।