ନୂଆଦିଲ୍ଳୀ: ଗୁଗୁଲ୍ର ୧୨,୦୦୦ କର୍ମଚାରୀଙ୍କ ଛଟେଇ ଘୋଷଣା ପରେ ପ୍ୟାରେଣ୍ଟ୍ କମ୍ପାନି ଆଲଫାବେଟ୍ ଇଙ୍କ୍ର ୧୪୦୦ କର୍ମଚାରୀ ଏକ ଚିଠିରେ ଦସ୍ତଖତ କରିଛନ୍ତି। ସେହି ଚିଠିକୁ ଏବେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇଙ୍କ ନିକଟକୁ ପଠାଯାଇଛି।
ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇଙ୍କୁ ଏକ ଖୋଲା ଚିଠି ଜରିଆରେ କର୍ମଚାରୀମାନେ କମ୍ପାନିର ଅନେକ ଦାବି ଉପସ୍ଥାପନ କରିଛନ୍ତି। ଏଥିମଧ୍ୟରେ ନୂତନ ନିଯୁକ୍ତି ଉପରେ ରୋକ୍, ବାଧ୍ୟତାମୂଳକ ଅବସର ପୂର୍ବରୁ ସ୍ବେଚ୍ଛାକୃତ ଇସ୍ତଫା ପାଇଁ ସୁଯୋଗ, ନୂତନ ନିଯୁକ୍ତି ବେଳେ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପ୍ରାଥମିକତା ଦେବା ଏବଂ ଶ୍ରମିକଙ୍କୁ ବେତନ ଛୁଟି (ପେଡ୍ ହଲିଡେ) ମଞ୍ଜୁରୀ ମିଳୁ।
ଏହାଛଡ଼ା ମାନବୀୟ ସଙ୍କଟରେ ଥିବା ଦେଶ (ବିଶେଷକରି ୟୁକ୍ରେନ)ର ଶ୍ରମିକମାନଙ୍କର ବି ଛଟେଇ ନକରିବାକୁ ମଧ୍ୟ ଏହି ଚିିଠିରେ ଉଲ୍ଲେଖ କରାଯାଇଛି। ଏହା ସହିତ, ଚାକିରି ହରାଇ ବିପଦରେ ଥିବା କର୍ମଚାରୀଙ୍କୁ ଭିସା ସହ ଜଡିତ ଆବଶ୍ୟକୀୟ ଅତିରିକ୍ତ ସହାୟତା ପ୍ରଦାନ କରିବାକୁ ବି ଚିଠିରେ ଲେଖାଯାଇଛି।
ଚିଠିରେ ଆହୁର ବି ଦର୍ଶାଯାଇଛି, ‘କମ୍ପାନିର କର୍ମଚାରୀ ହ୍ରାସ କରିବା ନିଷ୍ପତ୍ତିର ପ୍ରଭାବ ସାରା ବିଶ୍ବ ଉପରେ ପଡ଼ିବ। କୌଣସି ସ୍ଥାନରେ ଶ୍ରମିକଙ୍କ ସ୍ୱରକୁ କେବେ ବି ଗୁରୁତ୍ବ ଦିଆଯାଇ ନାହିଁ କି ବିଚାର କରାଯାଇ ନାହିଁ। ଆମେ ଜାଣୁ ଯେ ଆମେ ଏକାକୀ ଅପେକ୍ଷା ଏକତାରେ ଶକ୍ତିଶାଳୀ ହୋଇଥାଉ।’
ଉଲ୍ଲେଖଯୋଗ୍ୟ, ମହାମାରୀ ପରେ ଜାନୁଆରି ମାସରେ ମାନ୍ଦାବାସ୍ଥା ଦେଖି କମ୍ପାନି ଖର୍ଚ୍ଚ କାଟ୍ କରିବାକୁ ଚିନ୍ତା କରିଥିଲା। ନିବେଶକଙ୍କ ଚାପ ପରେ ଆଲଫାବେଟ୍ ଏହାର ପ୍ରାୟ ୬% କର୍ମଚାରୀ ହ୍ରାସ କରିବାକୁ ଘୋଷଣା କରିଥିଲା।