ଚୀନ୍ର ସିଚୁଆନ୍ ପ୍ରଦେଶ ଅନ୍ତର୍ଗତ ଏକ ଗାଁରେ ରହୁଥିବା ଜଣେ କୃଷକ ସଦ୍ୟ ଏକ ସହରୀ କୋଠାକୁ ସ୍ଥାନାନ୍ତର ହେବା ପରେ ନୂତନ ବାସଭବନର ବାଲକୋନିରେ ଗୋପାଳନ ଜାରି ରଖିବା ଘଟଣା ତାଙ୍କ ପଡ଼ୋଶୀମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଏହି କୃଷକ ଜଣକ ନୂଆ କରି ତାଙ୍କର ପାଞ୍ଚମହଲା ସ୍ଥିତ ବାସଭବନକୁ ଆସିବା ଅବସରରେ ପଶୁପାଳନ ପ୍ରତି ରହିଥିବା ସଉକ ଯୋଗୁଁ ସେ ସାଙ୍ଗରେ ସାତଟି ବାଛୁରୀ ଧରି ଆସିଥିଲେ। ସେ ଆଣିଥିବା ୧୦ରୁ ୨୦ କିଲୋଗ୍ରାମ୍ ଓଜନର ବାଛୁରୀଗୁଡ଼ିକ ସେ ତାଙ୍କ କୋଠାର ବାଲକୋନିରେ ରଖିଥିଲେ। ତେବେ ସେମାନଙ୍କ ହମ୍ବା ରଡ଼ି ଓ ଉତ୍କଟ ଗନ୍ଧ ପଡ଼ୋଶୀମାନଙ୍କୁ ସେମାନଙ୍କ ଉପସ୍ଥିତି ସମ୍ପର୍କରେ ଜଣାଇଥିଲା।
ଜନବସତି ଭିତରେ ଏପରିକି କୋଠା ଉପରେ ଗୋପାଳନ ବିଷୟରେ ଜାଣି ସେମାନେ ଅତିଷ୍ଠ ହୋଇପଡ଼ିଥିଲେ ଏବଂ ଫ୍ଲାଟ୍ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ। ଫଳରେ ବାଛୁରୀମାନଙ୍କୁ ସେମାନଙ୍କ ନୂତନ ବାସସ୍ଥଳୀରୁ ପ୍ରଥମ ଦିନରୁ ହିଁ ଅନ୍ୟତ୍ର ହଟାଯାଇଥିଲା। ପୂର୍ବରୁ ଉକ୍ତ କୋଠାରେ କେହି ଜଣେ କୁକୁଡ଼ା ପାଳନ କରି ଅନ୍ୟମାନଙ୍କର ରୋଷର ଶିକାର ହୋଇଥିଲେ।
ସୂଚନାଯୋଗ୍ୟ, ଉକ୍ତ ନୂତନ ବହୁତଳ କୋଠାକୁ ସ୍ଥାନାନ୍ତର ହୋଇ ଆସୁଥିବା ଅଧିକାଂଶ ବାସିନ୍ଦା ଆଗରୁ ଗ୍ରାମାଞ୍ଚଳରେ ହିଁ ରହୁଥିଲେ ଏବଂ ସେମାନେ ପଶୁପାଳନ ଓ ପରିବା ଚାଷ ଛଡ଼ା ଅନ୍ୟ କିଛି ଜାଣନ୍ତି ନାହିଁ। ତେଣୁ ସେମାନେ ଯୋଉଠି ରହିଲେ ବି ନିଜ ପେସାକୁ ଗୁରୁତ୍ବ ଦେଇଥା’ନ୍ତି ବୋଲି ଜଣାଯାଇଛି।