ଶ୍ରୀକ୍ଷେତ୍ରର ଗୋସାଣୀ ଯାତ

ଆଶ୍ୱିନ ଶୁକ୍ଳ ପ୍ରତିପଦାଠାରୁ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କର ମର୍ତ୍ତ୍ୟାବତରଣର ସମୟ। ସମଗ୍ର ପୃଥିବୀ ଦେବୀ ଦୁର୍ଗାଙ୍କର ଏହି ଆଗମନ ନିମିତ୍ତ ଅପେକ୍ଷା କରି ରହିଥାଏ। ଶୈବ, ଶାକ୍ତ, ସୌର, ବୈଷ୍ଣବ ଓ ଗାଣପତ୍ୟ ନିର୍ବିଶେଷରେ, ଜଗଦ୍ଧାତ୍ରୀ ଦେବୀ ଦୁର୍ଗାଙ୍କର ଆରାଧନା ନିମିତ୍ତ ସମସ୍ତେ ତତ୍ପର ହୋଇ ଉଠନ୍ତି। ଗ୍ରାମରୁ ସହର ପର୍ଯ୍ୟନ୍ତ ସର୍ବତ୍ର ଉତ୍ସବମୁଖର ହୁଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଶାର ଜନ ଜୀବନର ଚିର ଆରାଧ୍ୟ। ଅଥଚ ସେ ମଧ୍ୟ ଏଥିରୁ ବାଦ୍ ପଡ଼ନ୍ତି ନାହିଁ। ଦ୍ୱାପର ଯୁଗରେ ସେ ମହାମାୟାଙ୍କୁ ଏହି ପ୍ରତିଶ୍ରୁତି ଦେଇଥିଲେ। ଯେଉଁଦିନ ଯୋଗମାୟା (ବିଜୁଳି କନ୍ୟା)ଙ୍କୁ ନେଇ କଂସ ଶିଳାରେ ପିଟିବା ଅବସରରେ ସେ ଶୂନ୍ୟକୁ ଉଠିଯାଇ ନିଜ ଅଲୌକିକ ଶକ୍ତିର ପରିଚୟ ଦେଲେ, ସେହି ପବିତ୍ର ଭାଦ୍ରବ କୃଷ୍ଣ ନବମୀରେ ମହାଶକ୍ତିଙ୍କର ମୃଣ୍ମୟୀ ମୂର୍ତ୍ତି ଗଠନ ନିମିତ୍ତ ଔପଚାରିକ ପୂଜାର୍ଚ୍ଚନା କରାଯାଇ ମାଟି ସଂଗ୍ରହ କରାଯାଏ। ମହାଶକ୍ତିଙ୍କର ଏହି ମୂର୍ତ୍ତି, ପଶୁପତି ଗୋସ୍ୱାମୀ ମହାଦେବଙ୍କର ଅର୍ଦ୍ଧାଙ୍ଗିନୀ ଗୋସ୍ୱାମିନୀ ଦୁର୍ଗା, ଗୋସାଣୀ ନାମରେ ପ୍ରତିଷ୍ଠିତ ହୁଅନ୍ତି। ବିରାଜିତ ହୁଅନ୍ତି, ଜହ୍ନିଖାଇ, କାକୁଡ଼ିଖାଇ, ବାରବାଟି ଗୋସାଣୀ, ଶୂନ୍ୟ ଗୋସାଣୀ, ଚକ୍ରକୋଟ ଗୋସାଣୀ, କଣ୍ଟାକାଢ଼ି ଗୋସାଣୀ, ପ୍ରାଣପ୍ରିୟା ଗୋସାଣୀ, ଗେଲବାଇ ଗୋସାଣୀ ଇତ୍ୟାଦି ଭାବରେ। ଏହି ଗୋସାଣୀ ମୂର୍ତ୍ତିଗୁଡ଼ିକ ଏତେ ବୃହଦାକାର, ଯେ ଉଚ୍ଚତା ପ୍ରାୟ ଅଠର ଫୁଟରୁ ବାଇଶି ଫୁଟ ପର୍ଯ୍ୟନ୍ତ ହୋଇଥାଏ। ଏମାନଙ୍କର ମୁର୍ତ୍ତିରେ ହୃଷ୍ଟପୁଷ୍ଟ ପୌରୁଷଦୀପ୍ତ ଶରୀର ତଥା ପ୍ରାଚୀନ ଉତ୍କଳୀୟ ପାଇକମାନଙ୍କ ଦ୍ୱାରା ବ୍ୟବହୃତ ଅସ୍ତ୍ରଶସ୍ତ୍ରର ସମାହାର ଦେଖିଲେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ପାଇକ ବୀରମାନଙ୍କ ସ୍ମୃତି ଉଜାଗର ହୋଇଥାଏ। ଏହି ବୀରାଙ୍ଗନା ଗୋସାଣୀମାନଙ୍କ ପାଦତଳେ ଲୋଟୁଥାଏ ମହିଷର ମସ୍ତକ ଓ ମନୁଷ୍ୟର ଶରୀରଧାରୀ ମହିଷାସୁର।

ପୁରୀ ରାଜାଙ୍କର ଉପାଧି ଗଜପତି। ବହୁଳ ଗଜାରୋହୀ ସୈନ୍ୟଙ୍କର ସେ ଥିଲେ ଅଧିପତି। ଯେପରି ଗଜ ରାଜାଙ୍କର ପରିଚୟ ସେହିପରି ସଂପାତ୍ତି ପକ୍ଷୀ, ନଳ ନୀଳ, ସୁଷେଣ, ଜାମ୍ବବାନ ଆଦି ଅଷ୍ଟ ମହାବୀର, ଜାଗା ଆଖଡ଼ା ଘର ଆନୁକୂଲ୍ୟରେ ପ୍ରତିଷ୍ଠିତ ବିଶାଳକାୟ ନାଗାମୂର୍ତ୍ତି ଆଦି ଶ୍ରୀକ୍ଷେତ୍ରର ଦଶହରାରେ ପୂଜିତ ହୋଇ ରାମାୟଣ, ମହାଭାରତ ଓ ଚଣ୍ଡୀପୁରାଣ ଆଦି ଗ୍ରନ୍ଥରେ ଥିବା ବିଭିନ୍ନ ଆଖ୍ୟାୟିକାକୁ ରୂପାୟିତ କରି, ଅନ୍ୟାୟ ବିରୋଧରେ ସ୍ୱରଉତ୍ତୋଳନ କରିବାର ମହାବୀରମାନଙ୍କୁ ସ୍ମରଣ କରାଇ ଦିଅନ୍ତି। ଦେବୀଙ୍କ ପରି ସେମାନେ ମଧ୍ୟ ପୂଜା ପାଇଥାନ୍ତି। ମହାପ୍ରଭୁଙ୍କର ଆଜ୍ଞାରେ ଯେପରି ସେମାନେ ମର୍ତ୍ତ୍ୟାବରଣ କରିଥାନ୍ତି, ଠିକ୍ ସେହିପରି ଏକାଦଶୀ ଦିନ ସିଂହଦ୍ୱାର ସମ୍ମୁଖ ବଡ଼ଦାଣ୍ଡରେ ଏକତ୍ର ହୋଇ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ସେମାନେ ବିଦାୟ ନେଇଥାନ୍ତି। ଏହି ଦୃଷ୍ଟିରୁ ପୁରୀର ଗୋସାଣୀଯାତ ଅନନ୍ୟ।
-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର