ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି କମନ ମୋବିଲିଟି କାର୍ଡ, ଏହି କାର୍ଡ ଦେଖାଇ ଦେଶର ଯେକୌଣସି ସ୍ଥାନକୁ ଟ୍ରେନ୍‌, ବସ୍‌ ଏବଂ ଅଟୋରେ କରିପାରିବେ ଯାତ୍ରା!

ଖୁବ୍‌ ଶୀଘ୍ର ସମଗ୍ର ଦେଶରେ ଲାଗୁ ହେବାକୁ ଯାଉଛି ଏକ କମନ ମୋବିଲିଟି କାର୍ଡ। ଏହି କାର୍ଡ ଜରିଆରେ ଲୋକେ ଦେଶର ଯେକୌଣସି ସହରକୁ ଯାତ୍ରା କରିପାରିବେ। ଏହା କାର୍ଯ୍ୟକାରୀ ହେଲେ ଆଉ ପାଖରେ ରଖିବାକୁ ପଡ଼ିବନି ନଗଦ ଟଙ୍କା। ଏହି କାର୍ଡ ଜରିଆରେ ଦେଶର ଯେକୌଣସି ସହରକୁ ଟ୍ରେନ୍‌, ବସ୍‌ ଏବଂ ଅଟୋରେ ଯାତ୍ରା କରିପାରିବେ। ଲୋକମାନଙ୍କର ସୁବିଧା ପାଇଁ କେନ୍ଦ୍ର ସରକାର ଖୁବ୍‌ ଶୀଘ୍ର ଏହାକୁ ସାରା ଦେଶରେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। କେନ୍ଦ୍ର ସରକାରଙ୍କ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଏବଂ ନ୍ୟାସନାଲ ପେମେଂଟ କର୍ପୋରେସନ ଅଫ ଇଣ୍ଡିଆ ଏନପିସିଆଇ ମିଶି ଏହି ସେବା ଆରମ୍ଭ କରିବାକୁ ଯାଉଛନ୍ତି।

ଡିସେମ୍ବର ସୁଧା ଏହି କାର୍ଡ ସାରା ଦେଶରେ ଆରମ୍ଭ ହେବା ନେଇ ଅନୁମାନ କରାଯାଉଛି। ମିଳିଥିବା ସୂଚନା ମୁତାବକ, ଏନପିସିଆଇ ଦେଶର ସମସ୍ତ ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାମାନଙ୍କ ସହ ଏନେଇ ଆଲୋଚନା କରୁଛି। ଏହି କାର୍ଡ ଦ୍ୱାରା ଲୋକେ ଟିକେଟ କିଣିବା ସହିତ ହିଁ ପେମେଣ୍ଟ ମଧ୍ୟ କରିପାରିବେ।

ଏହି ମୋବିଲିଟି କାର୍ଡ ପୂରାପୂରି ଡେବିଟ- କ୍ରେଡିଟ୍‌ କାର୍ଡ ଭଳି ହିଁ କାମ କରିବ। ଏହି କାର୍ଡ ପାଇଁ ସବୁ ପ୍ରକାରର ଗାଡିରେ ପଏଣ୍ଟ ଅଫ ସେଲ ତଥା ପିଓଏସ ମେସିନ ଲଗାଇବାକୁ ମଧ୍ୟ ଆଲୋଚନା ଚାଲିଛି। ଯାହାଦ୍ୱାରା ଲୋକଙ୍କୁ ଗାଡିରେ ଯିବା ଆସିବା କରିବା ସମୟରେ କେବଳ ଏହାକୁ ସ୍ୱାଇପ କରିବାକୁ ହେବ। ତେବେ ଯେଉଁ ଗାଡିମାନଙ୍କରେ ଏହି ମେସିନ ଲଗାଯିବ, ସେଥିରେ ଅଟୋରିକ୍ସା, ଟ୍ୟାକ୍ସି ଏବଂ ସିଟି ବସ ସାମିଲ ରହିଛି। ରେଲେଓ୍ଵ ଏବଂ ରାଜ୍ୟ ପରିବହନର ବସଗୁଡିକରେ ମଧ୍ୟ ଏହି କାର୍ଡ ଜରିଆରେ ଯାତ୍ରା କରିପାରିବେ।

ଏହି କାର୍ଡ ବର୍ତ୍ତମାନ ଦିଲ୍ଲୀରେ ଆରମ୍ଭ ହୋଇସାରିଲାଣି। ଦିଲ୍ଲୀବାସୀ ଏବେ ଏହି କାର୍ଡ ଜରିଆରେ ହିଁ ଯାତାୟତ କରୁଛନ୍ତି।

ସମ୍ବନ୍ଧିତ ଖବର