ବାୟୁରୁ ଅଙ୍ଗାର କମାଉଛନ୍ତି ଗୟଳ!

ସମ୍ପ୍ରତି ପାଣିପାଗରେ ପରିବର୍ତ୍ତନ ପୃଥିବୀବାସୀଙ୍କ ପାଇଁ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ମୁଖ୍ୟତଃ ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ବାଷ୍ପର ନିର୍ଗମନ ହେତୁ ସୃଷ୍ଟ ଏହି ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ବୈଜ୍ଞାନିକମାନେ ଅହରହ ଉଦ୍ୟମ ଜାରି ରଖିଛନ୍ତି। ତେବେ ଗାଡ଼ିମୋଟର ଓ କଳକାରଖାନାରୁ ନିର୍ଗତ ଅଙ୍ଗାରକାମ୍ଳ ବାଷ୍ପ ପ୍ରଭାବକୁ ପ୍ରତିହତ କରିବା ପାଇଁ ଏକ ସହଜ ତଥା ଅଭିନବ ଉପାୟ ଗବେଷକମାନଙ୍କ ମୁଣ୍ଡକୁ ଜୁଟିଛି। ରୋମାନିଆର ତାର୍କୁ ପର୍ବତରେ ଏକ ୧୭୦ ଟିକିଆ ଗୟଳପଲଙ୍କୁ ଥଇଥାନ କରିବା ଦ୍ବାରା ଆମେରିକାର ପ୍ରାୟ ୪୩,୦୦୦ କାରରୁ ନିର୍ଗତ ବାର୍ଷିକ ଅଙ୍ଗାରକାମ୍ଳକୁ ପ୍ରଭାବଶୂନ୍ୟ କରାଯାଇପାରିଛି ବୋଲି ୟାଲେ ସ୍କୁଲ୍‌ ଅଫ୍‌ ଏନ୍‌ଭାରନ୍‌ମେଣ୍ଟର ଗବେଷକମାନେ ଦାବି କରିଛନ୍ତି।

ସେମାନଙ୍କର ନିର୍ଯାସ ଅନୁଯାୟୀ, ଏହି ଗୟଳପଲର ପରିବେଶ ପ୍ରଣାଳୀ ସହ ପାରସ୍ପରିକ ପ୍ରଭାବ ଯୋଗୁଁ ସେତିକି ପରିମାଣର ଅଙ୍ଗାରକାମ୍ଳ ବାଷ୍ପ ବାୟୁମଣ୍ଡଳରୁ ଶୋଷି ହୋଇ ମାଟିରେ ଗଚ୍ଛିତ ହୋଇପାରୁଛି। ତାର୍କୁ ପର୍ବତମାଳାରେ ନୂଆ କରି ବସବାସ କରୁଥିବା ଏହି ୟୁରୋପୀୟ ଗୟଳପଲ ଚରୁଥିବା ୫୦ ବର୍ଗ କି.ମି. ପରିମିତ ତୃଣଭୂମିକୁ ତର୍ଜମା କରି ସେମାନେ ଏପରି ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ସେମାନଙ୍କ ଅନୁଧ୍ୟାନ ଅନୁଯାୟୀ, ଏହି ଗୟଳପଲ ଯୋଗୁଁ ବାର୍ଷିକ ୫୪,୦୦୦ ଟନ୍‌ ଅଙ୍ଗାର ବାୟୁମଣ୍ଡଳରୁ ଭୂଇଁକୁ ସ୍ଥାନାନ୍ତରିତ ହୋଇପାରୁଛି। ଗୟଳମାନଙ୍କ ଏପରି ତୃଣ ଓ ଡାଳପତ୍ର ଚରିବା ଦ୍ବାରା ମାଟିକୁ ଉର୍ବର କରାଉଥିବା ପୋଷକଗୁଡ଼ିକ ପ୍ରଭାବିତ ହୋଇ ଗଚ୍ଛିତ ଥିବା ଅଙ୍ଗାରକୁ ଆଉ ବାୟୁମଣ୍ଡଳରେ ମିଶିବାକୁ ଦେଇନଥା’ନ୍ତି। ଉଲ୍ଲେଖଯୋଗ୍ୟ, ପ୍ରାୟ ୨୦୦ ବର୍ଷ ପୂର୍ବେ ରୋମାନିଆରେ ଏହି ୟୁରୋପୀୟ ଗୟଳବଂଶ ଲୋପ ପାଇଯାଇଥିଲା। ତେବେ ୨୦୧୪ରେ ସେଠାରେ ନୂଆ ଗୟଳଙ୍କୁ ଛାଡ଼ି ସେମାନଙ୍କର ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି। ଏବେ ସେଠାରେ ୧୭୦ଟି ଗୟଳ ବସବାସ କରୁଥିବା ବେଳେ ସେମାନଙ୍କର ଏପରି ଅଙ୍ଗାର ପ୍ରତିହତ ଗୁଣ ଜଣାପଡ଼ିଛି।

ସମ୍ବନ୍ଧିତ ଖବର