ନୂଆଦିଲ୍ଲୀ: ସମୟ ଗଡ଼ିବା ସହିତ ମଣିଷର ବୟସ ବି ବଢ଼ିଥାଏ। ଧୀରେଧୀରେ ବୃଦ୍ଧାବସ୍ଥା ବି ଆସିଥାଏ। ଏହି ସମୟରେ ପିଲାମାନେ ବାପା-ମା’ଙ୍କ ଦାୟିତ୍ବ ନେଇଥାଆନ୍ତି। କିନ୍ତୁ ଅନେକ କ୍ଷେତ୍ରରେ ବ୍ୟସ୍ତ ଜୀବନ ମଧ୍ୟରେ ପିଲାମାନେ ବାପା-ମା’ଙ୍କ ଦାୟିତ୍ବ ନେବାକୁ ଭୁଲି ଯାଇଥାଆନ୍ତି।
ଏହି କ୍ରମରେ ଜଣେ ବୃଦ୍ଧ ମା’ ଓ ଝିଅ ଗଛମୂଳରେ ଦୁଃଖକଷ୍ଟରେ ଦିନ କାଟୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ତେଲେଙ୍ଗାନା ଜିଲ୍ଲା ପେଡ୍ଡାପଲ୍ଲିର ରାମାଗୁଣ୍ଡମରୁ ସାମ୍ନାକୁ ଆସିଛି। ଏଠାରେ ବସବାସ କରୁଥିବା ୯୫ବର୍ଷର ଜଣେ ବୃଦ୍ଧା ତାଙ୍କ ୭୬ବର୍ଷର ଝିଅ ସହିତ ଅନେକ ବର୍ଷ ହେବ ଗଛମୂଳରେ ରହି ଦିନ କାଟୁଛନ୍ତି।
୫ବର୍ଷ ହେବ ମା’ ଓ ଝିଅ ଏପରି ଭାବେ ଦୁଃଖକଷ୍ଟରେ ଦିନ କାଟୁଛନ୍ତି। ଏମିତି ଏକ ସମୟ ଥିଲା କି ୯୫ବର୍ଷର ବିରମ୍ମାଙ୍କ ପାଖରେ ରହିବାକୁ ଆଶ୍ରୟ ଥିଲା। ହସଖୁସିରେ ଦିନ କଟୁଥିଲା। ବିରମ୍ମା ତାଙ୍କ ସ୍ବାମୀ, ଦୁଇପୁଅ ଓ ଜଣେ ଝିଅ ରାଜମ୍ମାଙ୍କ ସହିତ ନିକଟସ୍ଥ ଏକ ଗ୍ରାମରେ ରହୁଥିଲେ। ବିରମ୍ମାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯିବା ପରେ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଥିଲା। ବିରମ୍ମା ତାଙ୍କ ପିଲାକୁ ଦୁଇମୁଠା ଖାଇବାକୁ ଦେଇ ପାରିଲେ ନାହିଁ। ଅନେକ ଦିନ ହେବ ଖାଇବାକୁ ନପାଇ ପିଲାଙ୍କ ପେଟରେ ଓଦାକନା ପକାଇ ସମୟ କାଟିଥିଲେ।
ଦିନପରେ ଦିନ ଗଡ଼ିଯିବା ପରେ ପୁଅମାନେ ବଡ଼ ହୋଇ ଯାଇଥିଲେ। ବିରମ୍ମା ବହୁତ କଷ୍ଟ ସହି ପିଲାଙ୍କୁ ବଡ଼ କରିଥିଲେ। ଦୁଇପୁଅ ରୋଜଗାର କରିବା ପରେ ମା’ ଓ ଭଉଣୀଙ୍କୁ ଭୁଲି ଯାଇଥିଲେ। ଏହାପରେ ମା’ ଓ ଝିଅ ଗଛମୂଳର ରହିବାକୁ ଲାଗିଲେ।
ମା’ଙ୍କୁ ୯୫ବର୍ଷ ହୋଇଥିବା ବେଳେ ଝିଅଙ୍କୁ ୭୬ବର୍ଷ ହୋଇଛି। ଏଦୁହିଁଙ୍କୁ ସରକାରଙ୍କ ପକ୍ଷରୁ ଚାଉଳ ମିଳୁଥିବା ବେଳେ ଏଯାଏଁ ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ମିଳିନାହିଁ। ମା’ ଓ ଝିଅଙ୍କ ଏହି ଦୁଃଖ କାହାଣୀ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଲୋକେ ଭାବବିହ୍ବଳ ହୋଇପଡ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/098-1.jpg)