୭୩ବର୍ଷରେ ବିଦାୟ ନେଲେ ‘ୟୁଟ୍ୟୁବର ଗ୍ରାଣ୍ଡପା’, ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ଶହ ଶହ ଅନାଥଙ୍କ ପେଟ ଭରୁଥିଲେ

ହାଇଦ୍ରାବାଦ୍‌ : ଇଣ୍ଟରନେଟ୍‌ରେ ସମସ୍ତଙ୍କର ଖାସ୍‌ କରି ବାପ-ମା’ ଛେଉଣ୍ଡ ପିଲାମାନଙ୍କର ପସନ୍ଦର ସେଫ୍‌ ଗ୍ରାଣ୍ଡପା ଆଉ ନାହାନ୍ତି । କିଛି ଦିନ ରୋଗଗ୍ରସ୍ତ ହୋଇ ରହିବା ପରେ ଶେଷରେ ୭୩ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।ତାଙ୍କର  ନାମ ନାରାୟଣ ରେଡ୍ଡୀ ବୋଲି ଜଣା ପଡ଼ିଥିବା ବେଳେ ସେ ଗ୍ରାଣ୍ଡପା କିଚେନ୍‌ ନାମକ ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଚଳାଉଥିଲେ । ଏହା ମାଧ୍ୟମରେ ସେ ଲୋକଙ୍କୁ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବା ଶିଖାଇବା ସହ ଅନାଥ ପିଲାଙ୍କୁ ମାଗଣାରେ ଖାଇବାକୁ ଦେଉଥିଲେ । କିନ୍ତୁ ବୟସ ହେତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ସହ ଅକ୍ଟୋବର ୨୭ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣା ପଡ଼ିଛି । ତାଙ୍କର ଦେହାନ୍ତ ପରେ ଆଉ ଥରେ ପିଲାମାନେ ଅନାଥ ହୋଇ ଯାଇଛନ୍ତି ।

ସୂଚନା ମୁତାବକ, ଯେଉଁ ପିଲାମାନଙ୍କର କେହି ନଥିବା ସହ ଖାଇବାକୁ ଟଙ୍କା ନଥାଏ, ସେମାନଙ୍କୁ ସାହାଯ୍ୟର ହାତ ବଢ଼ାଉଥିଲେ ନାରାୟଣ । ସାଧାରଣ ଖାଇବା ମିଳିବା କଷ୍ଟକର ହୋଇ ପଡ଼ୁଥିବା ବେଳେ ନାରାୟଣ ଅନାଥ ପିଲାଙ୍କୁ ସ୍ୱାଦିଷ୍ଟ ଖାଦ୍ୟ ତିଆରି କରି ଖାଇବାକୁ ଦେଉଥିଲେ । କେଏଫ୍‌ସି ଭଳି ଚିକେନ୍‌ ତିଆରି କରି ଖାଇବାକୁ ଦେବା ସହ, ଚିକେନ ବିରିୟାନୀ, ଆମେରିକାନ୍‌ ଲସ୍‌ଗନା, ଓରିଓ ପୁଡିଙ୍ଗ ଓ ଗୁଲାବ ଜାମୁନ ଭଳି ଅନେକ ସ୍ୱାଦିଷ୍ଟ ଖାଦ୍ୟ ତିଆରି କରି ସେ ପିଲାମାନଙ୍କୁ ଦେଉଥିଲେ । ଏହା ସହ ଖାଦ୍ୟ ତିଆରି କରିବାର ପ୍ରସ୍ତୁତି ପ୍ରଣାଳୀ ଅନ୍ୟକୁ ଶିଖାଇବା ପାଇଁ ୨୦୧୭ରେ ସେ ଗ୍ରାଣ୍ଡପା କିଚେନ ନାମକ ଏକ ୟୁଟ୍ୟୁବ୍‌ ଚ୍ୟାନେଲ କରିଥିଲେ । ଏହି ଚ୍ୟାନେଲ ପାଇଁ ସେ ଅଧିକ ପରିମାଣରେ ଖାଦ୍ୟ ପ୍ରସ୍ତୁତ କରୁଥିବା ବେଳେ ତିଆରି ହେଉଥିବା ଖାଦ୍ୟକୁ ଅନାଥ ପିଲମାନଙ୍କୁ ଦେଉଥିଲେ ବୋଲି ଜଣା ପଡ଼ିଛି । କିନ୍ତୁ ଏବେ ପିଲାମାନେ ଆଉ ନାରାୟଣଙ୍କ ହାତ ରନ୍ଧା ଖାଇ ପାରିବେ ନାହିଁ ।

ସେପ୍ଟେମ୍ବର ୨୦ରେ ସେ ଶେଷଥର ପାଇଁ କ୍ରିସ୍‌ପି ପୋଟାଟୋ ଫିଙ୍ଗର୍ସ ତିଆରି କରିଥିଲେ । ଏହା ପରଠାରୁ ତାଙ୍କ ଦେହ ଖରାପ ହେବାରୁ ସେ ରୋଷେଇ କରି ପାରି ନଥିଲେ । ଏବେ ତାଙ୍କ ଚ୍ୟାନେଲ ଜରିଆରେ ତାଙ୍କ ମୃତ୍ୟୁର ଖବର ମିଳିବା ପରେ ୟୁଟ୍ୟୁବ୍‌ରେ ଥିବା ତାଙ୍କ ପ୍ରଶଂସକଙ୍କ ଆଖି ଲୁହରେ ଭରି ଯାଇଛି ।

ସମ୍ବନ୍ଧିତ ଖବର