ପ୍ରଶାନ୍ତ ମହାସାଗରରେ ଭାସିଭାସି ଅଷ୍ଟ୍ରେଲିଆ ଉପକୂଳ ଆଡ଼କୁ ଯାଉଛି ବିଶାଳ ଭାସମାନ ଶିଳା!

ଏକ ବିଶାଳ ପିଉମିସ୍‌ ଷ୍ଟୋନ୍‌ ବା ହାଲୁକା ଛିଦ୍ରାଳ ଆଗ୍ନେୟ ଶିଳା ପ୍ରଶାନ୍ତ ମହାସାଗରରେ ଭାସିଭାସି ଅଷ୍ଟ୍ରେଲିଆ ଉପକୂଳ ଆଡ଼କୁ ଯାଉଛି। ନିଜ ଷ୍ଟିମର‌୍‌ରେ ଫିଜି ଆଡ଼କୁ ଯାତ୍ରା କରୁଥିବା ମାଇକେଲ୍‌ ହାଉଲ୍‌ଟ ଓ ତାଙ୍କ ପତ୍ନୀ ଲାରିସା ବ୍ରିଲ୍‌ ପ୍ରଥମେ ସେଇଟିକୁ ଠାବ କରିଥିବା ପ୍ରକାଶ। ସେଇଟିର ଆକାର କୋଡ଼ିଏ ହଜାର ଫୁଟ୍‌ବଲ୍‌ ପଡ଼ିଆ ସହ ସମାନ ହେବ। ଆନୁମାନିକ କ୍ଷେତ୍ରଫଳ ଦେଢ଼ ଶହ ବର୍ଗ କିଲୋମିଟର‌୍‌। ମୋଟେଇ ଦଶ ଇନ୍‌ଚ ଭିତରେ। ଟୋ˚ଗା ଦ୍ୱୀପ ନିକଟରେ କୌଣସି ଆଗ୍ନେୟଗିରି ଉଦ୍‌ଗିରଣରୁ ସେଇଟି ଜାତ ହୋଇଥିବା ବିଶ୍ୱାସ କରାଯାଉଛି। ପୂର୍ବରୁ କେବେ ଏତେ ବଡ଼ ପିଉମିସ୍‌ ଷ୍ଟୋନ୍‌ କେହି ଆବିଷ୍କାର କରିଥିବା ଜଣାଯାଏ ନାହିଁ। ଛିଦ୍ରାଳ ହୋଇଥିବାରୁ, ତାହା ଏବେ କଙ୍କଡ଼ା, ଚିଙ୍ଗୁଡ଼ି, ଶାମୁକା ଆଦିଙ୍କର ଅସ୍ଥାୟୀ ବାସସ୍ଥାନ ପାଲଟିଛି। ଅଷ୍ଟ୍ରେଲିଆ ଉପକୂଳରେ ପହଞ୍ଚିଲେ, ଏହା ମାଧ୍ୟମରେ ‘ଗ୍ରେଟ୍‌ ବାରିଅର‌୍‌ ରିଫ୍‌’ ନବ-ଜୀବନ ପାଇବ ବୋଲି ବିଜ୍ଞାନୀମାନେ ଆଶାବାଦୀ।

ସମ୍ବନ୍ଧିତ ଖବର