ସଂପ୍ରତି ମଧ୍ୟପ୍ରାଚ୍ୟରେ ବୋମା ଓ ବାରୁଦର ଧୂଆଁ। ଦିନକୁ ଦିନ ସବୁଜ ପୃଥିବୀ ପ୍ରତି ବିପଦର କଳା ବାଦଲ ମାଡ଼ି ଆସୁଛି। ସତେ ଯେମିତି ମଣିଷ ପରିବେଶ ପ୍ରତି ଆଖି ବୁଜି ଦେଇଛି। ଏପରି ସମୟରେ ‘ସିଡ୍ ବମ୍ବ’ ବା ‘ମଞ୍ଜି ଗୁଳା’ ଫିଙ୍ଗି ପୃଥିବୀ ପୃଷ୍ଠରେ ସବୁଜ ବୃକ୍ଷ ସଂଖ୍ୟାରେ ବିସ୍ଫୋରଣ ସୃଷ୍ଟି କରିପାରିଛନ୍ତି ଢେଙ୍କାନାଳ ଜିଲ୍ଲାର ଯୁବ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀ।
ବାପା ଉଦୟନାଥ ଶତପଥୀ ଜଣେ ଅବସରପ୍ରାପ୍ତ ବନ ବିଭାଗ ଅଧିକାରୀ। ତେଣୁ ଶୁଭ୍ରାଂଶୁଙ୍କ ପିଲାଦିନ ଜଙ୍ଗଲର ସବୁଜ ପରିବେଶରେ କଟିଥିଲା। ବାପା ଯେତେବେଳେ ଜଙ୍ଗଲରେ ଗଛର ହିସାବ ରଖୁଥିଲେ, ନୂଆ ଜଙ୍ଗଲ ସୃଷ୍ଟି କରୁଥିଲେ, ସେତେବେଳେ କୁନି ଶୁଭ୍ରାଂଶୁ ଛୋଟ ଛୋଟ ଚାରା ଲଗାଇ ତାକୁ ମହାଦ୍ରୁମରେ ପରିଣତ କରିବାର ସ୍ବପ୍ନ ଦେଖିବା ଆରମ୍ଭ କରିଥିଲେ। ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟ ଉଚ୍ଚ ବେତନର ମାୟାରେ ନପଡ଼ି ସବୁଜ ବନାନୀର ମୋହରେ ପଡ଼ିଯାଇଛନ୍ତି ଶୁଭ୍ରାଂଶୁ। ଚାରା ରୋପଣ କରି ଜଙ୍ଗଲ ସୃଷ୍ଟି କରିବା ସମୟସାପେକ୍ଷ। ତେଣୁ ସେ ଆପଣାଇଲେ ଜାପାନ୍ର କୃଷକ ଏବଂ ଦାର୍ଶନିକ ମାସାନୋବୁ ଫୁକୋକାଙ୍କ ଗରିଲା ଶୈଳୀ। ଚାରା ରୋପଣ କରିବା ପରିବର୍ତ୍ତେ ମାଟିର ଏକ ବଲ୍ (ପେଣ୍ଡୁ)ରେ ମଞ୍ଜି ରଖି, ତାହାକୁ ଜଙ୍ଗଲ ସୃଷ୍ଟି କରିବାକୁ ଚାହୁଁଥିବା ସ୍ଥାନରେ ଫିଙ୍ଗିବା ହେଉଛି ଏହି ଜାପାନୀ ଉପାୟ।
ବାପା ଯେତେବେଳେ ଜଙ୍ଗଲରେ ଗଛର ହିସାବ ରଖୁଥିଲେ, ନୂଆ ଜଙ୍ଗଲ ସୃଷ୍ଟି କରୁଥିଲେ, ସେତେବେଳେ କୁନି ଶୁଭ୍ରାଂଶୁ ଛୋଟ ଛୋଟ ଚାରା ଲଗାଇ ତାକୁ ମହାଦ୍ରୁମରେ ପରିଣତ କରିବାର ସ୍ବପ୍ନ ଦେଖିବା ଆରମ୍ଭ କରିଥିଲେ।
ଏହି ଉପାୟରେ ପ୍ରଥମେ ପରିବା ଚୋପା, ପଚି ଯାଉଥିବା ଫଳ ଆଦିକୁ ଗାତ ଖୋଳି ପୋତି ଦିଆଯାଏ। କିଛିଦିନ ପରେ ଏହା ଉତ୍କୃଷ୍ଟ ଖତରେ ପରିଣତ ହୋଇଯାଇଥାଏ। ଏହି ଖତ ଓ ମାଟିକୁ ମିଶାଇ ଏକ ପେଣ୍ଡୁ ପ୍ରସ୍ତୁତ କରାଯାଏ। ଏହା ମଧ୍ୟରେ ଗୋଟିଏ କିମ୍ବା ଦୁଇଟି ଭଲ ମଞ୍ଜିକୁ ରଖି ଗୁଳା ପ୍ରସ୍ତୁତ କରାଯାଏ। ଏହି ଗୁଳାକୁ ଗୋଟିଏ ଦିନ ପାଇଁ ରଖିଦିଆଯାଏ। ଗୁଳା ଟାଣ ହୋଇଯିବା ପରେ ବୁଦୁବୁଦୁକିଆ ଜଙ୍ଗଲ, ରାସ୍ତା ପାର୍ଶ୍ବ, ସ୍କୁଲ୍ ପଡ଼ିଆ କିମ୍ବା ନଦୀକୂଳ ଆଦି ସ୍ଥାନରେ ଫିଙ୍ଗିଦିଆଯାଏ। ତେବେ ଏହା ପୂର୍ବରୁ ଉତ୍କୃଷ୍ଟ ମଞ୍ଜି ସଂଗ୍ରହ କରାଯାଏ। ଖରାଦିନେ ଏହି ମଞ୍ଜି ସଂଗ୍ରହ କାମ ହୋଇଥାଏ। ଏହି ପେଣ୍ଡୁ ପ୍ରସ୍ତୁତ କରିବା ଲାଗି ସାଧାରଣତଃ କେନ୍ଦୁ, ଜାମୁ, ସପେଟା, ଅର୍ଜୁନ ଆଦି ମଞ୍ଜି ସଂଗ୍ରହ କରାଯାଏ। ଖରାଦିନରେ ଏହାକୁ ପ୍ରସ୍ତୁତ କରିବା ପରେ ମୌସୁମୀ ଆଗମନ ଓ ବର୍ଷା ଆରମ୍ଭ ହେଲେ ଏହାକୁ ଚିହ୍ନଟ ସ୍ଥାନରେ ଫିଙ୍ଗାଯାଇଥାଏ। ଶୁଭ୍ରାଂଶୁଙ୍କ କହିବା ଅନୁଯାୟୀ ଏହି ପ୍ରକ୍ରିୟାରେ ସେ ପ୍ରାୟ ଲକ୍ଷେ ‘ମଞ୍ଜି ଗୁଳା’ ଫିଙ୍ଗିଛନ୍ତି। ଏଥିରେ ସ୍କୁଲ୍ କଲେଜର ଛାତ୍ରଛାତ୍ରୀଙ୍କୁ ନିୟୋଜିତ ମଧ୍ୟ କରିଛନ୍ତି। ଫିଙ୍ଗାଯାଇଥିବା ଗୁଳାରୁ ୮୦ ପ୍ରତିଶତ ଗଛ ଏବେ ବଞ୍ଚିଥିବା ଦାବି କରନ୍ତି ଶୁଭ୍ରାଂଶୁ। ୨୦୦୮ରୁ ଆରମ୍ଭ ହୋଇଥିବା ଏହି କାମ ଆଜି ପର୍ଯ୍ୟନ୍ତ ଜାରି ରହିଛି। ଓଡ଼ିଶାର ସମସ୍ତ ଜିଲ୍ଲାରେ ଏହି ଗୁଳା ପ୍ରକ୍ରିୟାରେ ସବୁଜ ବିପ୍ଳବ ଆରମ୍ଭ କରିଥିବା ଶୁଭ୍ରାଂଶୁଙ୍କ ଏହି ଯାତ୍ରା ରାଜ୍ୟ ବାହାରେ ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଛତିଶଗଡ଼, ଚେନ୍ନାଇ ଆଦି ଅଞ୍ଚଳରେ ମଧ୍ୟ ଜାରି ରହିଛି। ଦୁଇ ବର୍ଷ ତଳେ ସେ ଡ୍ରୋନ୍ ମାଧ୍ୟମରେ ପାହାଡ଼ ଉପରେ ଗୁଳା ଫିଙ୍ଗି ସଫଳତା ଅର୍ଜନ କରଥିବା କହିଛନ୍ତି।
ଦୀପାବଳିରେ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣ ନ ଫୁଟାଇ ‘ସିଡ୍ ବମ୍’ ଫିଙ୍ଗିବାକୁ ଶୁଭ୍ରାଂଶୁ ଛୋଟ ପିଲାମାନଙ୍କୁ ବୁଝାନ୍ତି। ପ୍ରତି ପର୍ବପର୍ବାଣିରେ ଏପରି ଗଛ ଲଗାଇ ଉତ୍ସବକୁ ସ୍ମୃତିଭରା କରିବାକୁ ସେ ସମସ୍ତଙ୍କୁ ପ୍ରୋତ୍ସାହିତ କରନ୍ତି। ଶୁଭ୍ରାଂଶୁଙ୍କ କହିବା କଥା ବର୍ତ୍ତମାନର ଯୁବପିଢ଼ି ଡିଜିଟାଲ୍ ମନସ୍କ। ଏହା ଶୁଭ ଲକ୍ଷଣ। ମାତ୍ର ସବୁବେଳେ ଏଥିରେ ସମୟ ନଷ୍ଟ ନକରି, କଂକ୍ରିଟ୍ ଜଙ୍ଗଲରେ ନ ବୁଲି କିଛି ସମୟ ବାହାର କରି ସବୁଜ ବନାନୀ ଓ ପ୍ରାକୃତିକ ପରିବେଶରେ କାଟିବା ଦରକାର। ଏପରି ହେଲେ ଜଣେ ପ୍ରକୃତିକୁ ଭଲ ପାଇବ ଏବଂ ଏହାର ସୁରକ୍ଷା କରିବାକୁ ଯତ୍ନବାନ ହେବ। ମୁମ୍ବାଇର ଟିଅାଇଏସ୍ଏସ୍ରେ ସାମ୍ବାଦିକତାରେ ସ୍ନାତକ କରିଥିବା ଏବଂ ଢେଙ୍କାନାଳର ସ୍ଥାୟୀ ବାସିନ୍ଦା ଶୁଭ୍ରାଂଶୁ ସଂପ୍ରତି ପରିବେଶ ସୁରକ୍ଷା, ସଚେତନା ଓ ସବୁଜ ବନାନୀ ସୃଷ୍ଟି କରିବା ଲକ୍ଷ୍ୟ ନେଇ ରାଜ୍ୟର ବିଭିନ୍ନ ସ୍ଥାନ ଘୂରି ବୁଲୁଛନ୍ତି।
- ପ୍ରଦ୍ୟୁମ୍ନ ରାଉତ