ଦିନକୁ ଦିନ ଗାଡ଼ିମୋଟରର ବହୁଳ ବ୍ୟବହାର ସାଙ୍ଗକୁ ସେଥିରୁ ନିର୍ଗତ ଧୂଆଁରେ ପରିବେଶ ପ୍ରଦୂଷଣ ବଢ଼ି ବଢ଼ିଯାଲିଛି। ତାହାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ବିକଳ୍ପ ସବୁଜ ଇନ୍ଧନ ସୃଷ୍ଟି ପାଇଁ ଗବେଷଣା ଜାରି ରଖିଛନ୍ତି। ଏହି କ୍ରମରେ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟର ଗବେଷକମାନେ ବିକଶିତ କରିଥିବା ଏକ ପ୍ରକାର କୃତ୍ରିମ ପତ୍ର ଗାଡ଼ିମୋଟର ପାଇଁ ପ୍ରଦୂଷଣବିହୀନ ଶକ୍ତି ଯୋଗାଇବାର ଆଶା ସଂଚାର କରିଛି। ଏହି ଅଭିନବ ପତ୍ର ସ୍ବାଭାବିକ ପ୍ରାକୃତିକ ପତ୍ର ପରି ବାୟୁମଣ୍ଡଳରୁ ଅଙ୍ଗାକାମ୍ଳ ବାଷ୍ପ ଓ ଜଳ ଶୋଷିନେଇ ସୂର୍ଯ୍ୟାଲୋକ ବିନିଯୋଗରେ ଉଲ୍ଲେଖନୀୟ ପରିମାଣର ଶକ୍ତି ସୃଷ୍ଟି କରିପାରୁଛି। ବିଜ୍ଞାନାଗାରରେ ବିକଶିତ ହୋଇଥିବା ଏହି ଆଙ୍ଗୁଠି ଟିପ ଆକାରର ପତ୍ରରୁ ଇଥାନଲ୍ ଓ ପ୍ରୋପାନଲ୍ ପରି ଇନ୍ଧନ ବାହାରିପାରୁଛି।
ଏଥିରୁ ଉତ୍ପନ୍ନ ଇନ୍ଧନର ଶକ୍ତି ଅଧିକ ଏବଂ ତାହା ଗଚ୍ଛିତ କରି ମଧ୍ୟ ରଖିହେବ। ଗାଡ଼ିମୋଟରର ଇନ୍ଧନ ଭାବେ ବହୁଳ ବ୍ୟବହୃତ ପାରମ୍ପରିକ ଖଣିଜତୈଳ ଦ୍ବାରା ମାତ୍ରାଧିକ ଅଙ୍ଗାର ନିର୍ଗମନ ହେଉଥିବା ବେଳେ ଏହି କୃତ୍ରିମ ପତ୍ର ଦ୍ବାରା ସୃଷ୍ଟ ଇନ୍ଧନ ଅଙ୍ଗାରଶୂନ୍ୟ। ସେହିପରି ଇଥାନଲ୍ ପରି ଇନ୍ଧନ ସାଧାରଣତଃ ମକାର ବର୍ଜ୍ୟ ପଦାର୍ଥରୁ ପ୍ରସ୍ତୁତ ହେଉଥିବା ବେଳେ ତାହାର ପ୍ରସ୍ତୁତି ପାଇଁ ବିବାଦୀୟ ଜ୍ଞାନକୌଶଳର ଉପଯୋଗ ହେଉଥିବା ଅଭିଯୋଗ ହୋଇଆସୁଛି। କାରଣ ପ୍ରଥମେ ମକା ଉତ୍ପାଦନ ପାଇଁ ପ୍ରଭୂତ ଚାଷଜମିର ଆବଶ୍ୟକତା ରହିଛି। ମାତ୍ର ଏହି କୃତ୍ରିମ ପତ୍ର ଦ୍ବାରା ଉତ୍ପନ୍ନ ଇଥାନଲ୍ରେ ସେ ସମସ୍ୟା ନାହିଁ। ତେଣୁ ଏହାର ବ୍ୟାବସାୟିକ ପ୍ରସ୍ତୁତି ଭବିଷ୍ୟତର ଇନ୍ଧନ ସମସ୍ୟାର ମୁକାବିଲା କରିପାରିବ ବୋଲି ଆଶା କରାଯାଉଛି।