କଥାରେ କହନ୍ତି ‘ବୃଷ୍ଟି ବିହୁନେ ସୃଷ୍ଟି ନାଶ, ବୃଷ୍ଟି ବହୁଳେ ସୃଷ୍ଟି ନାଶ’। ମାତ୍ର କ୍ରମାଗତ ବୃଷ୍ଟିହୀନତା ହେତୁ ମରୁଅଞ୍ଚଳରେ ଟାଙ୍ଗରା ହୋଇ ପଡ଼ିଥିବା ଦକ୍ଷିଣ ଆରବର କିଛି ଭାଗରେ ଅଳ୍ପ ଦିନ ତଳେ ହୋଇଥିବା ପ୍ରବଳ ବର୍ଷା ସବୁଜିମା ସୃଷ୍ଟି କରିଛି। ମକ୍କା ଓ ମଦିନା ସହର ମଧ୍ୟସ୍ଥ ବିସ୍ତୀର୍ଣ୍ଣ ମରୁ ଉପତ୍ୟକାର କିଛି ଅଂଶରେ ଏବେ ସବୁଜ ଉଦ୍ଭିଦ କଅଁଳିବା ଦେଖାଯାଇଛି। ସାଉଦି ଆରବ ଭଳି ବୃଷ୍ଟିବିରଳ ଅଞ୍ଚଳରେ ଚଳିତ ବର୍ଷର ଏହି କଳ୍ପନାତୀତ ବୃଷ୍ଟିପାତ ଉକ୍ତ ମରୁ ଇଲାକାରେ ନାନା ଜାତି ତୃଣ ଓ ଗୁଳ୍ମର ଉତ୍ପତ୍ତିକୁ ସମ୍ଭବ କରାଇଛି। ଫଳସ୍ବରୂପ ଓଟମାନେ ସେଠାରେ ମନଭରି ଚରୁଥିବାର ବିରଳ ଫଟୋଚିତ୍ର ଏବେ ସାମାଜିକ ଗଣମାଧ୍ୟମରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
ଶୁଷ୍କ ତଥା ବନ୍ଧ୍ୟାଭୂମି ଭାବେ ପରିଚିତ ମକ୍କା ଓ ମଦିନା ମଧ୍ୟସ୍ଥ ବିସ୍ତୀର୍ଣ୍ଣ ମରୁ ଉପତ୍ୟକାରେ ପ୍ରବଳ ବର୍ଷା ପରେ ସବୁଜିମା ଖେଳିଯାଇଛି। ଏହି ପରିବର୍ତ୍ତନ ପରିବେଶପ୍ରେମୀଙ୍କ ମନରେ ଆଶା ସଂଚାର କରିଛି।
‘ନାସା’ର ଉପଗ୍ରହରୁ ମଧ୍ୟ ସଂପୃକ୍ତ ଅଞ୍ଚଳର ସବୁଜିମା ଦେଖିବାକୁ ମିଳୁଛି ବୋଲି ଜଣେ ଇନ୍ଷ୍ଟାଗ୍ରାମ ବ୍ୟବହାରକାରୀ ସୂଚନା ଦେଇଛନ୍ତି। ଶୁଷ୍କ ତଥା ବନ୍ଧ୍ୟାଭୂମି ଭାବେ ପରିଚିତ ଥିବା ଏହି ମରୁ ଅଞ୍ଚଳର ଏହି ଉଦ୍ଭିଦ ରୂପୀ ନୂତନ ଅତିଥି ପରିବେଶବିତ୍ମାନଙ୍କ ମନରେ ନୂତନ ଆଶା ସଂଚାର କରାଇଛି। ସୁବର୍ଣ୍ଣ ରଙ୍ଗର ବାଲିସ୍ତୂପ ପୃଷ୍ଠଭୂମିରେ ଏହି ସବୁଜ ରଙ୍ଗର ପଟିସବୁ ମନୋରମ ଦେଖାଯାଉଛି। ସାମାଜିକ ଗଣମାଧ୍ୟମର ବ୍ୟବହାକାରୀମାନେ ଏଥିରେ ଉତ୍ଫୁଲ୍ଲିତ ହୋଇ ରୋଚକ ମନ୍ତବ୍ୟମାନ ଦେବାରେ ଲାଗିଛନ୍ତି। ଅନେକ ଏଥିପାଇଁ ଅଦୃଶ୍ୟ ଈଶ୍ବରଙ୍କ ଲୀଳାକୁ ଶ୍ରେୟ ଦେବା ସହ ସେ ହିଁ ସୃଷ୍ଟିର ଆରମ୍ଭ ଓ ଶେଷ ବାବଦରେ ଜାଣନ୍ତି ବୋଲି କହିଛନ୍ତି। ଆଗକୁ ଏହି ମରୁଭୂମିରେ ଝରଣା ପ୍ରବାହିତ ହେବ ବୋଲି କିଛି ଲୋକ କଳ୍ପନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/sffshsfhfhfhs.jpg)