ପୁଣ୍ୟତିଥିରେ ପ୍ରଜ୍ଞାପୁରୁଷଙ୍କୁ ପ୍ରଣାମ

ବାଲେଶ୍ବର (ରୁଦ୍ରରଂଜନ ଶେଜପଡ଼ା): ସମୁଦ୍ର କୂଳର ଗାଁ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ଶଂଖାରିରେ ‌ସେ ଜନ୍ମ ହୋଇଥିଲେ। ବୋଧହୁଏ ସେଇଥିପାଇଁ ତାଙ୍କ ଭିତରେ ସମୁଦ୍ରର ସବୁତକ ବୈଶିଷ୍ଟ୍ୟ ପ୍ରତିଫଳିତ ହୋଇଛି। ତାଙ୍କରି ଲେଖାର ଢେଉ ଅନେକଙ୍କ ପ୍ରାଣକୁ ପଖାଳି ଦେଉଛି। ଆଧ୍ୟାତ୍ମିକ ଚେତନା ସହ ଜୀବନର ରହସ୍ୟ ସବୁ ଶବ୍ଦ ରୂପରେ ଆମ ଚାରିପଟେ ଆତଯାତ ହେଉଛନ୍ତି, ହେଉଥିବେ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଭାରତୀୟ କଥା ସାହିତ୍ୟର ଶିଖର ପୁରୁଷ, ଶ୍ରୀଅରବିନ୍ଦ ଦର୍ଶନର ବିଦ୍ବାନ ଭାଷ୍ୟକାର ମନୋଜ ଦାସ। ପଦ୍ମଶ୍ରୀ, ସରସ୍ବତୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମି ଫେଲୋସିପ୍, ଶାରଳା ପୁରସ୍କାର, ସାହିତ୍ୟ ଭାରତୀ ପୁରସ୍କାର, ବିଷୁବ ପୁରସ୍କାର, ଉତ୍କଳ ରତ୍ନ, କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ମନୋଜ ଦାସ। ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ସାଙ୍ଗକୁ କର୍କଟରେ ପୀଡ଼ିତ ଥିବା ଶ୍ରୀ ଦାସ ଗତବର୍ଷ ଏପ୍ରିଲ ୨୭ ତାରିଖ ରାତିରେ ପଣ୍ଡିଚେରୀସ୍ଥିତ ଶ୍ରୀଅରବିନ୍ଦ ଆଶ୍ରମରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ତାଙ୍କ ବିୟୋଗରେ ଓଡ଼ିଆ କଥା ସାହିତ୍ୟରେ ଏକ ଯୁଗର ଅବସାନ ଘଟିଲା। ସମ୍ଭବତଃ ଭାରତୀୟ ସାହିତ୍ୟ ଜଗତର ଏକମାତ୍ର ପ୍ରଜ୍ଞାପୁରୁଷ ଭାବେ ସେ ଥିଲେ ତିନିପିଢ଼ିର ଶିକ୍ଷକ, ଅଭିଭାବକ ଓ ଦିଗଦର୍ଶକ। ବୁଧବାର ତାଙ୍କର ପୁଣ୍ୟତିଥି। ଏହି ଅବସରରେ ମନୋଜ ଦାସଙ୍କୁ ‘ସମ୍ବାଦ’ ପରିବାର ପକ୍ଷରୁ ଶ୍ରଦ୍ଧାସୁମନ ଅର୍ପଣ କରୁଛୁ।

ସରକାରଙ୍କୁ ହସ୍ତାନ୍ତର ହେଲା ଘର ସହ ସାଢ଼େ ୩ ଏକର ଜମି

ସ୍ବର୍ଗତ ମନୋଜ ଦାସ ଓ ତାଙ୍କ ଜ୍ୟେଷ୍ଠଭ୍ରାତା ଐତିହାସିକ ଡ. ମନ୍ମଥନାଥ ଦାସଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଭୋଗରାଇବାସୀ ତଥା ଜିଲ୍ଲାବାସୀଙ୍କ ସହ ମନ୍ମଥ-ମନୋଜ ଫାଉଣ୍ଡେସନ୍‌ର ସଦସ୍ୟମାନେ ଉଦ୍ୟମ କରିଛନ୍ତି। ସେମାନେ ଭୋଗରାଇ ବ୍ଲକ୍‌ ଶଙ୍ଖାରି ଗ୍ରାମରେ ଥିବା ଶ୍ରୀ ଦାସଙ୍କ ଜନ୍ମସ୍ଥାନକୁ ଜାତୀୟ ସ୍ମାରକୀ ଘୋଷଣା କରିବା ପାଇଁ ଦାବି ଉଠାଇଥିଲେ। ଦାବିକୁ ରାଜ୍ୟ ସରକାର ଗ୍ରହଣ କରିବା ସହ ଗତବର୍ଷ ୪ ତାରିଖରେ ମନୋଜ ଦାସଙ୍କ ପୈତୃକ ବାସଭବନକୁ ମନ୍ମଥ-ମନୋଜ ସ୍ମାରକୀ ସହ ସେଠାରେ ଏକ ପାଠାଗାର ଓ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ। ହେଲେ ଏନେଇ ଜମି ହସ୍ତାନ୍ତର ତଥା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନାହିଁ। ତେବେ ଶ୍ରୀ ଦାସଙ୍କ ଦେହାନ୍ତକୁ  ବୁଧବାର ବର୍ଷେ ପୂରିବ। ଏହାର ଅବ୍ୟବହିତ ପୂର୍ବରୁ ମନୋଜ ଓ ମନ୍ମଥପ୍ରେମୀ ସନ୍ତୋଷ ହେବା ପରି ଖବର ଆସିଛି। ଆଜି ଭୋଗରାଇ ତହସିଲ ଅଫିସ୍‌ରେ ପାଠାଗାର ତଥା ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ଘର ଓ ଜମି ରେଜିଷ୍ଟ୍ରି ହୋଇଛି ବୋଲି ସୂଚନା ମିଳିଛି। ଓଡ଼ିଶା ସାହିତ୍ୟ ଏକାଡେମିର ପ୍ରତିନିଧି ଓ ପ୍ରାଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ମନୋଜ ଦାସଙ୍କ ପତ୍ନୀ ପ୍ରତିଜ୍ଞା ଦେବୀ ଏବଂ ମନ୍ମଥନାଥ ଦାସଙ୍କ ନାତିନାତୁଣୀ ଓ ଭଣଜାଭାଣିଜୀ ଘର ସହ ମୋଟ ୩ ଏକର ୫୫  ଡେସିମିଲ୍‌ ଜମି ସରକାରଙ୍କୁ ହସ୍ତାନ୍ତର କରିଛନ୍ତି। ତେବେ ଏନେଇ ଆସନ୍ତାକାଲି ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ଭୋଗରାଇରେ ଆ‌େୟାଜିତ ହେବାକୁ ଥିବା ମନୋଜ ଦାସଙ୍କ ପୁଣ୍ୟତିଥି କାର୍ଯ୍ୟକ୍ରମରେ ବିଧିବଦ୍ଧ ଭାବେ ଘୋଷଣା ହୋଇପାରେ।

ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କ ପାଇଁ ମନୋଜ ମନ୍ତ୍ର:‘ଅନ୍ତର୍ମୁଖୀ ନ ହେଲେ ବିଦ୍ୟା ଓ ସଫଳତାର ମୂଲ୍ୟ କିଛି ନାହିଁ’

କେଇଟା ଦିନ ପରେ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେ‌ବେ। ତାଙ୍କ ଭିତରେ ସଫଳତା ଓ ବିଫଳତା ନେଇ ଅନେକ ଦ୍ବନ୍ଦ୍ବ ଓ ଆଶଙ୍କା ରହିବା ସ୍ବାଭାବିକ। ତେବେ ଏହି ପରିପ୍ରେକ୍ଷୀରେ ୫ ଏପ୍ରିଲ୍‌ ୨୦୧୩ରେ ମନୋଜ ଦାସ ଫକୀରମୋହନ ବିଶ୍ବବିଦ୍ୟାଳୟରେ ଦେଇଥିବା ବକ୍ତୃତାର ଏକ ସଂପାଦିକ ଅଂଶ ଉଲ୍ଲେଖ କରୁଛୁ। ଆଶା ଏହା ସେମାନଙ୍କ ପାଇଁ ପରୀକ୍ଷାକୁ ସାମ୍ନା କରିବା ପାଇଁ ସାହସ ଯୋଗାଇବା ସହ ଆଗକୁ ସଫଳତାର ବାଟ ପ୍ରଶସ୍ତ କରିବ।

‘‘ଜଣେ ଛାତ୍ର ବା ଛାତ୍ରୀ ହୁଏତ ଅସଫଳ ହୋଇଛି ପରୀକ୍ଷାରେ। ରାତିଅଧରେ ସେ ମୋତେ ପ୍ରଶ୍ନ କରୁଛି, ଆପଣଙ୍କୁ ନିଶ୍ଚୟ ନିଦରୁ ଉଠାଉଛି? ଭାବୁଛି ମୁଁ ବର୍ତ୍ତମାନ ଆତ୍ମହତ୍ୟା କରିଦେବି। କ’ଣ କରିବି? ତେବେ ଏହାର ଉତ୍ତର କ’ଣ ହୋଇପାରେ? ଯାହାକୁ ପରାଜୟ କେବେ ସ୍ପର୍ଶ କରେନା, ତାହା ହେଲା ଆତ୍ମା। ଆପଣମାନେ କହିବେ, ଏହା ପୁରୁଣା କଥା। ହେଲେ ଜାଣିବା ଦରକାର ଯେ ସେଇ ପୁରୁଣା କଥା ସବୁ ନୂଆ ହୋଇ ‌ଫେରିଆସୁଛି ବିଭିନ୍ନ ରୂପରେ। ଯାହା ଆମକୁ ସକାରାତ୍ମକ ଶକ୍ତି ଦେବ। ଆମେ ଯେ ପର୍ଯ୍ୟନ୍ତ ଅନ୍ତର୍ମୁଖୀ ହେବାକୁ ଚେଷ୍ଟା ନ କରିଛୁ, ଆମର ସମସ୍ତ ବିଦ୍ୟା ଓ ସଫଳତା ପରେ ବି ତା’ର ମୂୂଲ୍ୟ କିଛି ନାହିଁ। ପ୍ରତ୍ୟେକ ଛାତ୍ରଛାତ୍ରୀ ଅନନ୍ୟ। ଜଣେ ଅନ୍ୟଜଣଙ୍କଠାରୁ ଭିନ୍ନ। ଜଣେ ସଫଳ ହେଲେ ଅନ୍ୟଜଣେ ବି ଯେ ସଫଳ ହେବେ, ତାହା ସମ୍ଭବ ନୁହେଁ। ତେବେ କେହି ନ୍ୟୂନ ନୁହନ୍ତି। ଏଇକଥା ମନେ ରଖିଲେ ସମସ୍ତେ ନିଜ ନିିଜ ସ୍ତରରେ ସଫଳତମ ବ୍ୟକ୍ତି ହୋଇଯିବେ।’’

‘ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା’

ବିଶିଷ୍ଟ ସାହିତ୍ୟିକ ତଥା ଆମ ଜାତିର ବରପୁତ୍ର ମନୋଜ ଦାସଙ୍କ ସ୍ମୃତିରକ୍ଷା ପାଇଁ ରାଜ୍ୟ ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଯୋଜନା କରିଛନ୍ତି। ତାଙ୍କ ସ୍ମୃତିରେ ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଭାରତୀୟ ଭାଷାର ସାହିତ୍ୟିକଙ୍କୁ ପୁରସ୍କାର ଦିଆଯିବା ଲାଗି ନିଷ୍ପତ୍ତି ନିଆଯାଇଥିବା ବେଳେ ମନୋଜ-କିଶୋର ସାହିତ୍ୟ ପ୍ରତିଭା ପୁରସ୍କାର ଭାବେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଛି। ସାହିତ୍ୟ ଏକାଡେମି ତରଫରୁ ମ‌େନାଜ ଦାସଙ୍କ ପାଇଁ ସବୁବର୍ଷ ତାଙ୍କର ଜନ୍ମସ୍ଥାନ ଏବଂ ରାଜ୍ୟସ୍ତରରେ ମଧ୍ୟ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯିବ। ଏହାସହିତ ଭୋଗରାଇ ଶଙ୍ଖାରି ସ୍ଥିତ ତାଙ୍କ ଜନ୍ମପୀଠରେ ମନ୍ମଥ-ମନୋଜ ସ୍ମାରକୀ ପାଇଁ ପ୍ରକ୍ରିୟା ତ୍ବରାନ୍ବିତ କରି ଖୁବଶୀଘ୍ର କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା‌ରୁ ତାଙ୍କୁ କୃତଜ୍ଞତା ଜଣାଉଛି।

-ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମନ୍ତ୍ରୀ, ଓଡ଼ିଆ ଭାଷା‌ ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ, ଓଡ଼ିଶା ସରକାର

‘ସରକାରଙ୍କ ସହ ହାତ ମିଳାଇ କାମ କରିବୁ’

ମନୋଜ ଦାସ ଓ ମନ୍ମଥନାଥ ଦାସ ଓଡ଼ିଆ ଜାତିର ଗର୍ବ ଓ ଗୌରବ। ସେମା‌େ‌ନ ଆମ ଅସ୍ମିତାର ଅଂଶ ହୋଇଯାଇଛନ୍ତି। ଆମେ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ହେବ ମନ୍ମଥନାଥ ଦାସଙ୍କ ଜନ୍ମଦିବସ ଓ ଶ୍ରାଦ୍ଧଦିବସ ପାଳନ ସହ ମନୋଜ ଦାସଙ୍କ ଜନ୍ମଦିନ ପାଳନ କରିଆସିଛୁ, ଆଗକୁ ମଧ୍ୟ ପାଳନ କରିବୁ। ମନୋଜ ଦାସଙ୍କ ସୃଷ୍ଟି ସମୂହ ଆମ ପାଇଁ ଅମୂଲ୍ୟ। ସେଗୁଡ଼ିକର ସୁରକ୍ଷା ଦିଗରେ ସରକାରଙ୍କ ସହ ହାତ ମିଳାଇ କାମ କରିବୁ। ପାଠାଗାର ଓ ସଂଗ୍ରହାଳୟ ନିର୍ମାଣ ଏବଂ ପରିଚାଳନା ପାଇଁ ଆମେ ସଂପୂର୍ଣ୍ଣ ସମର୍ପିତ ରହିବୁ।

-ସୁଶାନ୍ତ ଚାନ୍ଦ, ପୂର୍ବତନ ବିଧାୟକ ତଥା ସଭାପତି, ମନ୍ମଥ-ମନୋଜ ଫାଉଣ୍ଡେସନ୍‌, ଭୋଗରାଇ

‘ଜମି ହସ୍ତାନ୍ତର ନେଇ ମୁଁ ବ୍ୟକ୍ତିଗତ ଭାବେ ଖୁସି’

ମନୋଜ ଦାସ ଓ ମନ୍ମଥନାଥ ଦାସଙ୍କ ପରି ପ୍ରଜ୍ଞାପୁରୁଷଙ୍କ ପାଇଁ କିଛି ବି କରିବା ଭାଗ୍ୟର କଥା। ସରକାରଙ୍କ ପଦକ୍ଷେପ ସ୍ବାଗତଯୋଗ୍ୟ।  ମନ୍ମଥ-ମନୋଜ ସ୍ମାରକୀ ସହ ଏକ ପାଠାଗାର ଓ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ  ଆଜି ସରକାରଙ୍କୁ ତାଙ୍କ ପରିବାର ପକ୍ଷରୁ ଯେଉଁ ଜମି ହସ୍ତାନ୍ତର ହୋଇଛି, ସେଥିପାଇଁ ମୁଁ ବ୍ୟକ୍ତିଗତ ଭାବେ ଖୁସି। ଜମି ହସ୍ତାନ୍ତର ନେଇ ଯାହା କିଛି ବି ଦ୍ବନ୍ଦ୍ବ ଥିଲା, ସେଗୁଡ଼ିକୁ ଦୂର କରିବା ପାଇଁ ମୁଁ ବ୍ୟକ୍ତିଗତ ଭାବେ ପ୍ରୟାସ କରିଛି। ଆଜି ଆମ ପ୍ରୟାସ ସଫଳ ହୋଇଛି। ମନୋଜ ଦାସଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜଣାଉଛି।

-କମଳାକାନ୍ତ ପଣ୍ଡା, ତହସିଲଦାର, ଭୋଗରାଇ

ସମ୍ବନ୍ଧିତ ଖବର