ପରିସଂଖ୍ୟାନ ଅନୁଯାୟୀ ଭାରତରେ ପ୍ରାୟ ୧୦୦ ଦମ୍ପତିଙ୍କ ମଧ୍ୟରୁ ଗୋଟିଏ ଦମ୍ପତିର ଛାଡ଼ପତ୍ର ହୁଏ। ତେବେ ବିଗତ କିଛି ବର୍ଷ ହେଲା ଏଥିରେ ବୃଦ୍ଧି ପରିଲକ୍ଷିତ ହେଉଛି। ଏହାର ଏକ ପ୍ରମୁଖ କାରଣ ହେଲା ଶିକ୍ଷିତ ଉଚ୍ଚବିତ୍ତମାନଙ୍କ ମଧ୍ୟରେ ‘ଗ୍ରେ ଡିଭୋର୍ସ’ ପ୍ରତି ଆଗ୍ରହରେ ବୃଦ୍ଧି। ବଲିଉଡ୍ ତାରକା ହୁଅନ୍ତୁ ବା ପ୍ରତିଷ୍ଠିତ ଖେଳାଳି ସଭିଏଁ ନିଜ ଇଚ୍ଛାରେ ଜୀବନ ଜିଇଁବାକୁ ପସନ୍ଦ କରୁଛନ୍ତି। ସୋସିଆଲ୍ ମିଡିଆରୁ ନେଇ ଖବରକାଗଜ ପୃଷ୍ଠାରେ ପ୍ରାୟ ପ୍ରତିଦିନ ବଲିଉଡ୍ ଷ୍ଟାର ଗୋବିନ୍ଦା ଓ ପତ୍ନୀ ସୁନିତା, ଅମୀର ଖାନ୍ ଓ କିରଣ ରାଓ, କ୍ରିକେଟର ବୀରେନ୍ଦ୍ର ସେହୱାଗ୍ ଓ ପତ୍ନୀ ଆରତୀ, ଅରବାଜ୍ ଓ ମଲାଇକା, ନାଗା ଚୈତନ୍ୟ ଓ ସାମନ୍ଥା ପ୍ରଭୃତିଙ୍କ ବିବାହ ବିଚ୍ଛେଦ ଖବର ଶିରୋନାମା ପାଲଟୁଛି। ତେବେ ଏହି ପରିପ୍ରେକ୍ଷୀରେ ‘ଗ୍ରେ ଡିଭୋର୍ସ’ ପରି ନୂଆ ଶବ୍ଦଟିଏ ବାରମ୍ବାର ଶୁଣିବାକୁ ମିଳୁଛି। ଏହି ଶବ୍ଦଟି ଆମେରିକାରୁ ଆସିଛି।
ଜୀବନର ଅର୍ଦ୍ଧାଧିକ ସମୟ ଏକାଠି ବିତେଇ ସାରି, ଏକାଠି ସାଂସାରିକ ଦାୟିତ୍ବ ତୁଲେଇ, ପିଲାଛୁଆଙ୍କ ଲାଳନପାଳନ ଓ ପାଠପଢ଼ା ଦାୟିତ୍ବ ତୁଲେଇବା ସହ ଦମ୍ପତି ଅଲଗା ହୋଇ ନିଜ ଇଚ୍ଛାରେ ଜୀବନ ବିତେଇବାକୁ ଚାହଁୁଛନ୍ତି। ଯେତେବେଳେ ମଧ୍ୟବୟସ୍କ ହେତୁ ବାଳ ଧୂସର ହେବାକୁ ଆରମ୍ଭ ହୋଇଥାଏ ସେଇ ସମୟରେ ଏକ ନୂଆ ଜୀବନର ଆକାଂକ୍ଷାରେ ବିବାହ ବିଚ୍ଛେଦକୁ ‘ଗ୍ରେ ଡିଭୋର୍ସ’ର ଆଖ୍ୟା ଦିଆଯାଇଛି। ଆମେରିକାର ଏହି ଶବ୍ଦଟି ସାରା ବିଶ୍ବ ପରିକ୍ରମା କରି ସାରିଲାଣି। ଏକ ଗବେଷଣା ରିପୋର୍ଟ ଅନୁଯାୟୀ, ୧୯୯୦ ପରଠାରୁ ଗ୍ରେ ଡିଭୋର୍ସ ମାମଲା ଯଥେଷ୍ଟ ବୃଦ୍ଧି ପାଇଛି। ୨୦୩୦ ସୁଦ୍ଧା, ଗ୍ରେ ଡିଭୋର୍ସ ସଂଖ୍ୟା ତିନି ଗୁଣ ବୃଦ୍ଧି ପାଇପାରେ।