ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିବାହକୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଥାଏ। ନିକଟରେ ବି ଏକ ହୃଦୟସ୍ପର୍ଶୀ ବିବାହ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଦୃଶ୍ୟ ପ୍ରାୟତଃ ସିନେମା ନଚେତ ଧାରାବାହିକରେ ଦେଖିବାକୁ ମିଳିଥାଏ।
ଘଟଣାଟି ହେଉଛି ଏପରି, ଜିଓରଜିଆ ବାସିନ୍ଦା ପ୍ରେଷ୍ଟୋନ କୋବ୍ ପ୍ରେମିକା ତନିଶାଙ୍କୁ ଭଲ ପାଆନ୍ତି ବୋଲି ଗତ ସେପ୍ଟେମ୍ବରରେ ଜଣାଇଥିଲେ। କୋବଙ୍କ ପ୍ରେମ ପ୍ରସ୍ତାବକୁ ତନିଶା ଗ୍ରହଣ କରି ନେଇଥିଲେ। କାରଣ ସେ ବି କୋବଙ୍କୁ ମନେମନେ ବହୁତ ଭଲ ପାଉଥିଲେ।
ବର୍ଷେ ପାଖାପାଖି ହେବ ଦୁହେଁ ପ୍ରେମସମ୍ପର୍କରେ ରହିବା ପରେ ବିବାହ କରିବାକୁ ସ୍ଥିର କରିଥିଲେ। ତେବେ ବିଧିର ବିଧାନ ବି ବଡ଼ ବିଚିତ୍ର। ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଘଟିଥିଲା ବଡ଼ ଦୁର୍ଘଟଣା।
ବିବାହକୁ ଆଉ ମାତ୍ର ମାସେ ବାକିଥିବା ବେଳେ ପ୍ରେଷ୍ଟୋନ କାମ କରିବା ସମୟରେ ଏକ ରାସାୟନିକ ପଦାର୍ଥ ସଂସ୍ପର୍ଶରେ ଆସିବାରୁ ତାଙ୍କ ଶରୀର ୩୨ ପ୍ରତିଶତ ପୋଡ଼ିଯାଇଥିଲା। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା। ଜିଓରଜିଆରେ ଚିକିତ୍ସା ବେଳେ ତାଙ୍କ ୨ ହାତର ୯ ଆଙ୍ଗୁଳି କାଟିବାକୁ ପଡ଼ିଥିଲା। ନିଜର ଏଭଳି ଅବସ୍ଥା ଦେଖି ପ୍ରେଷ୍ଟୋନ ପ୍ରେମିକା ତନିଶାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ।
ଯାହାବି ହେଲେ ତନିଶା ତାଙ୍କ ଭଲ ପାଇବାକୁ ଛାଡ଼ି ପାରି ନଥିଲେ। କାରଣ ସେ ଜାଣିଥିଲେ ପ୍ରେଷ୍ଟୋନ ତାଙ୍କ ବିନା କଦାପି ରହି ପାରିବେ ନାହିଁ । ତନିଶା ଏହି ଘଟଣାକୁ ନେଇ କହିଥିଲେ, ‘ ବାସ ମୋତେ ଦୁଃଖ ଲାଗିବ ବୋଲି ସେ ଏହି ବିବାହକୁ ମନା କରି ଦେଇଥିଲେ। କିନ୍ତୁ ମୁଁ ସେପରି କିଛି ହେବାକୁ ଦେଲି ନାହିଁ। କାହିଁକି ନା ମୁଁ ଜାଣିଛି ପ୍ରେଷ୍ଟୋନଙ୍କ ଠାରେ ହଁ ମୋର ଖୁସି ଅଛି। ତାଙ୍କୁ ଛାଡ଼ି ସାରା ଜୀବନ ମୁଁ ହନ୍ତସନ୍ତ ହୋଇ କାଟି ପାରିବି ନାହିଁ। ତେଣୁ ନିର୍ଦ୍ଧାରିତ ତାରିଖ ଜୁଲାଇ ୨୨ରେ ହସ୍ପିଟାଲରେ ପହଞ୍ଚି ପ୍ରେଷ୍ଟୋନଙ୍କୁ ବିବାହ କରିଥିଲି।’