ନୂଆଦିଲ୍ଲୀ: କେରଳର ଏକ ବୃଦ୍ଧାବସ୍ଥା ପ୍ରଥମ ଥର ପାଇଁ ଏକ ସ୍ବତନ୍ତ୍ର ବିବାହର ସାକ୍ଷୀ ହୋଇଥିଲା। ଯେଉଁଠାରେ ଜଣେ ବୃଦ୍ଧ ଦମ୍ପତି ୬୦ ବର୍ଷ ବୟସରେ ପ୍ରେମରେ ପଡିଥିଲେ। ସେମାନେ ୨୦୧୯ ଡିସେମ୍ବର ୨୮ ତାରିଖରେ ରାଜ୍ୟ ମନ୍ତ୍ରୀ ବିଏସ ସୁନୀଲ କୁମାରଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବୃଦ୍ଧା ମହିଳା ଲକ୍ଷ୍ମୀ ଅମ୍ମଲ ତାଙ୍କ ସ୍ୱାମୀଙ୍କ ସହାୟକ ଭାବରେ କାମ କରୁଥିବା ୬୫ବର୍ଷ  ବୃଦ୍ଧଙ୍କ ପ୍ରେମରେ ପଡ଼ିବେ ଓ ତାଙ୍କୁ ବିବାହ କରିବେ ତାହା କେବେ ଚିନ୍ତା କରି ନଥିଲେ।

Advertisment

ସମୟ ଗଡିବା ସହିତ ଲକ୍ଷ୍ମୀ ପୁନର୍ବାର ତ୍ରିସୁରର ରାମବର୍ମାପୁରମରେ ଥିବା ଏକ ସରକାରୀ ବୃଦ୍ଧାଶ୍ରମରେ ୬୫ବର୍ଷର କୋଚନିଆନ ମେନନଙ୍କୁ ଭେଟିଥିଲେ।  ଯିଏକି ବହୁବର୍ଷ ପୂର୍ବେ ଲକ୍ଷ୍ମୀଙ୍କ ସ୍ବାମୀଙ୍କ ସହାୟକ ଭାବେ କାମ କରୁଥିଲେ। ଏହି ସମୟରେ ଲକ୍ଷ୍ମୀ ତାଙ୍କ ସ୍ୱାମୀଙ୍କୁ ହରାଇ ସାରିଥଲେ, ଆଉ ବୃଦ୍ଧାଶ୍ରମରେ ରହୁଥିଲେ।

ତ୍ରିସୁରର ଇରିଞ୍ଜଲକୁଡାର ମୂଳ ବାସିନ୍ଦା କୋଚନିଆନ ମେନନଙ୍କୁ ମଧ୍ୟ ତାଙ୍କ ପରିବାରଲୋକ ପରିତ୍ୟାଗ କରି ବୃଦ୍ଧାବସ୍ଥାରେ  ବୃଦ୍ଧାଶ୍ରମରେ ଆଶ୍ରୟ ନେବାକୁ ବାଧ୍ୟ କରିଥିଲେ। ଏଭଳି ପରିଣତ ବୟସରେ ବୃଦ୍ଧାଶ୍ରମରେ ଲକ୍ଷ୍ମୀ ଓ କୋଚନିଆନଙ୍କ ଭେଟ ହୋଇଥିଲା।

ଖୁବ୍ ଶୀଘ୍ର ଦୁହେଁ ବୃଦ୍ଧାଶ୍ରମରେ ବନ୍ଧୁ ହୋଇଯାଇଥିଲେ। ଆଉ ଜୀବନରେ ସାମ୍ନା କରିଥିବା ଦୁଃଖସୁଖ ବାଣ୍ଟିଥିଲେ। ସୁଖଦୁଃଖ ବାଣ୍ଟୁବାଣ୍ଟୁ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ, ଆଉ ବ‌ିବାହ କରି ବାକି ଥିବା ଜୀବନ ସାଥୀ ହୋଇ କାଟିବା ପାଇଁ ସ୍ଥିର କରିଥିଲେ।

ଏହାପରେ ଏହି ନିଷ୍ପତ୍ତିକୁ ବୃଦ୍ଧାଶ୍ରମରେ ଥିବା ଅନ୍ୟମାନଙ୍କ ସହିତ ଉଭୟ ଆଲୋଚନା କରିଥି‌ଲେ। ଉଭୟଙ୍କ ଏହି ବିବାହ ନିଷ୍ପତ୍ତିରେ ସମସ୍ତେ ଖୁସି ହୋଇ ଲକ୍ଷ୍ମୀ ଓ କୋଚନିଆନଙ୍କ ବିବାହର ଆୟୋଜନ କରିଥିଲେ। ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ଦୁହିଁଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା। ଦୁହିଁଙ୍କ ଏହି ପ୍ରେମ କାହାଣୀ ବେଶ ଚର୍ଚ୍ଚାରେ ଥିବା ସହିତ ବିବାହ ସମୟ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।