ହିମାଳୟ କୋଳର ଦୁର୍ଗମ ଗଁା ହାପତ୍ନାର। କାଶ୍ମୀର ମାନଚିତ୍ରର ଏହି ଅଖ୍ୟାତ ପଲ୍ଲୀ ଆଜି ହଠାତ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ହାପତ୍ନାର ଗାଁର ସାହସୀ ସନ୍ତାନ ୨୮ ବର୍ଷୀୟ ସୈୟଦ ଆଦିଲ୍ ହୁସେନ୍ ଶାହାଙ୍କ କାର୍ଯ୍ୟ ପାଇଁ ଅଞ୍ଚଳବାସୀ ନିଜକୁ ଗର୍ବିତ ମନେକରୁଛନ୍ତି। ଆଦିଲ୍ ପହଲଗାମ୍ ନିକଟସ୍ଥ ବୈସରନ୍ରେ ଆତଙ୍କବାଦୀଙ୍କ ନରସଂହାର ସମୟରେ ଜୀବନକୁ ବାଜି ଲଗାଇ ପର୍ଯ୍ୟଟକଙ୍କୁ ବଞ୍ଚାଇବାର ପ୍ରୟାସ କରି ଅପୂର୍ବ ବୀରତ୍ବର ପରିଚୟ ଦେଇଛନ୍ତି। ମିନି ସ୍ବିଜରଲ୍ୟାଣ୍ଡ୍ ଭାବେ ଜଣାଶୁଣା ୭ କି.ମି. ପରିବ୍ୟାପ୍ତ ବୈସରନ୍ ତୃଣଭୂମି ହିଁ ଥିଲା ଆଦିଲ୍ଙ୍କ ଭାତହାଣ୍ଡି। ଭାଇ ଟ୍ୟାକ୍ସି ଚାଳକ ନୌସାଦ୍ ପର୍ଯ୍ୟଟକମାନଙ୍କୁ ଆଣି ଆଦିଲ୍ଙ୍କ ନିକଟରେ ପହଞ୍ଚାନ୍ତି ଏବଂ ଆଦିଲ୍ ସେମାନଙ୍କୁ ଘୋଡ଼ାରେ ବସାଇ ବୈସରନ୍ ଭ୍ରମଣ କରାନ୍ତି। ଏଥିରୁ ମିଳୁଥିବା ଅର୍ଥରେ ପରିବାର ପ୍ରତିପୋଷଣ କରନ୍ତି ଆଦିଲ୍। ଏଣୁ ସକାଳୁ ହେଲେ ଦୁଇ ଭାଇ ଘୋଡ଼ା ଓ କାର୍ ନେଇ ଘରୁ ବାହାରିଯାଆନ୍ତି।
ସବୁଦିନ ପରି ସେଦିନ ସକାଳୁ ମଧ୍ୟ ଆଦିଲ୍ ଓ ନୌସାଦ୍ ଘରୁ ବାହାରିଗଲେ ପହଲଗାମ୍। ନୌସାଦ୍ଙ୍କ କାର୍ରେ ଆସିଥିଲେ ବଲାଙ୍ଗୀରର ଦିନେଶ ଅଗ୍ରୱାଲଙ୍କ ସମେତ ଅନ୍ୟ କେତେକ ପର୍ଯ୍ୟଟକ। ନିଜର ସାଥୀ ଘୋଡ଼ା ଚାଳକଙ୍କ ସହିତ ଦିନେଶ ଅଗ୍ରୱାଲଙ୍କୁ ନେଇ ବାହାରିଗଲେ ଆଦିଲ୍। ମୃତ୍ୟୁ ଯେ ସେମାନଙ୍କୁ ଅପେକ୍ଷା କରି ରହିଛି, ତାହାର ସାମାନ୍ୟତମ ସୂଚନା ସେମାନଙ୍କ ପାଖେ ନଥିଲା। ବୈସରନ୍ରେ ପହଞ୍ଚିବାର ଅଳ୍ପ ସମୟ ଭିତରେ ଆତଙ୍କବାଦୀମାନେ ଆରମ୍ଭ କରିଦେଲେ ନରସଂହାର। ଦିନେଶ ଅଗ୍ରୱାଲ ଓ ଅନ୍ୟ ପର୍ଯ୍ୟଟକମାନଙ୍କୁ ଗୁଳି କରିବା ବେଳେ ଆଦିଲ୍ ଡେଇଁପଡ଼ି ଆତଙ୍କବାଦୀର ବନ୍ଧୁକ ଛଡ଼ାଇବାକୁ ଉଦ୍ୟମ କଲେ। କିନ୍ତୁ ପରିଶେଷରେ ପର୍ଯ୍ୟଟକମାନଙ୍କୁ ବଞ୍ଚାଇବାକୁ ଯାଇ ସେ ଆତଙ୍କବାଦୀଙ୍କ ଗୁଳିରେ ଟଳି ପଡ଼ିଲେ।
ପହଲଗାମ୍ରେ ‘ରବିବାର ସମ୍ବାଦ’
ସେ ସମୟର ଘଟଣା ବଖାଣି ନୌସାଦ୍ କହନ୍ତି, ‘‘ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ମାରୁଛନ୍ତି ବୋଲି ଖବର ପାଇ ମୁଁ ଦୌଡ଼ିଲି। ସେଠାରେ ପହଞ୍ଚିବା ପରେ ମୋତେ ରଫିକ୍ କହିଲା, ଭାଇକୁ ସେମାନେ ଗୁଳି ମାରିଛନ୍ତି। ଘଟଣାସ୍ଥଳରେ ପହଞ୍ଚି ଦେଖିଲି, ମୁଁ ସଙ୍ଗରେ ଆଣିଥିବା ପର୍ଯ୍ୟଟକ ସେଠାରେ ଗୁଳିବିଦ୍ଧ ଅବସ୍ଥାରେ ପଡ଼ିଛନ୍ତି। ଆଦିଲ୍ ଛଟପଟ ହେଉଛି। ଆଦିଲ୍କୁ ଉଠାଇ ଘୋଡ଼ା ଉପରକୁ ଆଣିବା ବେଳକୁ ତା’ର ପ୍ରାଣବାୟୁ ଉଡ଼ିଗଲା।’’
ଆଦିଲ୍ଙ୍କ ମୃତ୍ୟୁର ପ୍ରତ୍ୟକ୍ଷଦର୍ଶୀ ତଥା ସାଥୀ ଘୋଡ଼ାଚାଳକ ରଫିକ୍ କହନ୍ତି, ‘‘ଯେତେବେଳେ ଆଦିଲ୍ଙ୍କ ସାଥିରେ ଥିବା ପର୍ଯ୍ୟଟକଙ୍କ ନିକଟକୁ ଜଣେ ଆତଙ୍କବାଦୀ ମାଡ଼ିଆସି ଗୁଳି ଚଳାଇବା ଆରମ୍ଭ କଲା, ସେତିକିବେଳେ ଆଦିଲ୍ ‘ତୁମେ ସେମାନଙ୍କୁ ମାରିପାରିବ ନାହିଁ’ ବୋଲି ଚିତ୍କାର କରି ତାଙ୍କ ଆଡ଼କୁ ମାଡ଼ିଗଲା। ତାଙ୍କ ବନ୍ଧୁକ ଛଡ଼ାଇବାକୁ ଉଦ୍ୟମ କଲା। ଏହି ସମୟରେ ଅନ୍ୟ ଜଣେ ଆତଙ୍କବାଦୀ ଆଦିଲ୍କୁ ଗୁଳି କରିଦେଲା।’’ ‘‘ମୋ ସ୍ବାମୀ ପର୍ଯ୍ୟଟକମାନଙ୍କ ଜୀବନ ବଞ୍ଚାଇବାକୁ ଆତଙ୍କବାଦୀଙ୍କ ସହିତ ଲଢ଼େଇ କରି ସହିଦ ହୋଇଛନ୍ତି। ତାଙ୍କର ବୀରତ୍ବ ପାଇଁ ମୁଁ ନିଜକୁ ଧନ୍ୟ ମନେକରୁଛି। ପର୍ଯ୍ୟଟକ ହେଉଛନ୍ତି ଆମ ପରିବାରର ଜଣେ ଜଣେ ସଦସ୍ୟ। ସେହିମାନେ ହିଁ ଆମର ଜୀବନଜୀବିକାର ମାଧ୍ୟମ। ତାଙ୍କୁ ସୁରକ୍ଷା ଦେବା ଆମର ଦାୟିତ୍ବ ଓ କର୍ତ୍ତବ୍ୟ’’ ବୋଲି କାନ୍ଦି କାନ୍ଦି କହିଥିଲେ ଆଦିଲ୍ଙ୍କ ପତ୍ନୀ ସଲୁମା। ଆଦିଲ୍ଙ୍କ ବୀରତ୍ବ ଓ ସାହାସିକତା ପାଇଁ ସରକାର ତାଙ୍କୁ ସମ୍ମାନିତ କରିବା ଉଚିତ ବୋଲି କହିଥିଲେ ଆଦିଲ୍ଙ୍କ ବାପା ହାଇଦର ଶାହା, ମା’ ବେନିଜାନ୍ ଓ ଭଉଣୀ ରୁବିନା।
ଆଦିଲ୍ଙ୍କ ମା’ବାପା ଓ ଭଉଣୀ ଆତଙ୍କବାଦୀଙ୍କୁ ଧରାଯାଇ ମୃତ୍ୟୁଦଣ୍ଡ ଦେବାକୁ ଦୃଢ଼ ସ୍ବରରେ ଦାବି ଜଣାନ୍ତି। ଆଦିଲ୍ର ମୃତ୍ୟୁ ଜନିତ କ୍ଷତିକୁ ସରକାରୀ ସାହାଯ୍ୟ ପୂରଣ କରିପାରିବ ନାହିଁ। କିନ୍ତୁ ଆତଙ୍କବାଦୀଙ୍କୁ ଧରି ସେମାନଙ୍କୁ ଏଇଭଳି ମୃତ୍ୟୁ ଦିଆଗଲେ ଆଦିଲ୍ର ଆତ୍ମା ଶାନ୍ତି ପାଇବ ବୋଲି ଭଉଣୀ ରୁବିନା ଓ ମା’ ବେନିଜାନ୍ କହିଛନ୍ତି। ଆଦିଲ୍ ଓ ନୌସାଦ୍ ପରିବାରର ରୋଜଗାରିଆ ସଦସ୍ୟ ଥିଲେ। ୧୦ ଜଣଙ୍କ ପେଟପାଟଣାର ବୋଝକୁ ସମ୍ଭାଳୁଥିଲେ। ବର୍ତ୍ତମାନ ଆଦିଲ୍ଙ୍କ ଅନୁପସ୍ଥିତିରେ ପରିବାରର ବୋଝ କିଏ ଉଠାଇବ? ଏହି ଚିନ୍ତାରେ ଏବେ ମ୍ରିୟମାଣ ହୋଇପଡ଼ିଛନ୍ତି ନୌସାଦ୍।