ଉପକୂଳ ଅଞ୍ଚଳର ଭୂତଳ ଜଳଉତ୍ସରେ ସମୁଦ୍ରର ଲୁଣାପାଣି ଅନୁପ୍ରବେଶ ଯୋଗୁଁ ତାହା ଲୁଣି ହୋଇଯିବ। ଫଳରେ ଆଉ ସମୁଦ୍ର ଉପକୂଳ ଅଞ୍ଚଳରେ ପାନୀୟ ଉପଯୋଗୀ ଜଳ ମିଳିବନି ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ‘ଜେଟ୍‌ ପ୍ରପଲ୍‌ସନ୍‌ ଲାବୋରେଟୋରି(ଜେପିଏଲ୍‌)’ର ଗବେଷକମାନେ ସତର୍କବାଣୀ କରାଇଛନ୍ତି। ଚଳିତ ଶତାବ୍ଦୀର ଶେଷ ବେଳକୁ ଉପକୂଳବର୍ତ୍ତୀ ଅଞ୍ଚଳସ୍ଥ ଭୂତଳ ଜଳଭଣ୍ଡାରର ପ୍ରାୟ ୭୭ ପ୍ରତିଶତ ପରିମାଣ ଏହି ଲୁଣାପାଣି ଦ୍ବାରା ପ୍ରଭାବିତ ହେବ, ଯଦ୍ଦ୍ବାରା ଜଳରାଶି ପାନୀୟ ଅନୁପଯୋଗୀ ହେବା ସହ ପର୍ଯ୍ୟାବରଣ ପ୍ରଣାଳୀକୁ ନଷ୍ଟ କରିଦେବ ଏବଂ କୋଠାବାଡ଼ି ଭିତ୍ତିଭୂମିଗୁଡ଼ିକ କ୍ଷୟପ୍ରାପ୍ତ ହେବ ବୋଲି ଗବେଷକମାନେ ଚିନ୍ତାପ୍ରକଟ କରିଛନ୍ତି।

Advertisment

ସମୁଦ୍ର ପତ୍ତନରେ ବୃଦ୍ଧି ଯୋଗୁଁ ଉପକୂଳ ଅଞ୍ଚଳକୁ ସମୁଦ୍ର ଜଳର  ଅନୁପ୍ରବେଶ ତୀବ୍ର ହେବ। ସେହିପରି ବୃଷ୍ଟିପାତ ହ୍ରାସ ଯୋଗୁଁ ଭୂତଳ ଜଳର ଚାପ କମିଯିବା କାରଣରୁ ମଧୁରଜଳର ସ୍ରୋତ କମିଆସିବ। ବିଶ୍ବବ୍ୟାପୀ ପ୍ରାୟ ୬୦,୦୦୦ ଉପକୂଳବର୍ତ୍ତୀ ଜଳଭଣ୍ଡାରର ସ୍ଥିତିକୁ ଅନୁଧ୍ୟାନ କରି ଗବେଷକମାନେ ଏପରି ଭବିଷ୍ୟବାଣୀ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସମୁଦ୍ର ଜଳ ସ୍ଥଳଭାଗ ଉପରେ ପକାଉଥିବା ପାର୍ଶ୍ବଚାପ ଏବଂ ବର୍ଷା ଦ୍ବାରା ହେଉଥିବା ମଧୁରଜଳର ପରିପୂର୍ଣ୍ଣତା ମଧ୍ୟରେ ଅସନ୍ତୁଳନ ଯୋଗୁଁ ସମୁଦ୍ରଜଳର ଏଭଳି ଭୂତଳ ମଧୁରଜଳ ଉପରେ ଅନୁପ୍ରବେଶ ଘଟିଥାଏ। ଏଣେ ପାଣିପାଗ ପରିବର୍ତ୍ତନ ଯୋଗୁଁ ଏହି ସନ୍ତୁଳନରେ ଚରମ ବିଭ୍ରାଟ ଘଟିବ। ବୈଶ୍ବିକ ତାପମାତ୍ରା ଜନିତ ସମୁଦ୍ର ପତ୍ତନରେ ବୃଦ୍ଧି ଯୋଗୁଁ ସମୁଦ୍ର ଜଳର ଏହି ଅନୁପ୍ରବେଶ ତୀବ୍ର ହେବ। ସେହିପରି ବୃଷ୍ଟିପାତ ହ୍ରାସ ଯୋଗୁଁ ଭୂତଳ ଜଳର ଚାପ ମଧ୍ୟ କମିଯିବା କାରଣରୁ ମଧୁରଜଳର ସ୍ରୋତ କମିଆସିବ। ବିଶ୍ବବ୍ୟାପୀ ପ୍ରାୟ ୬୦,୦୦୦ ଉପକୂଳବର୍ତ୍ତୀ ଜଳଭଣ୍ଡାରର ସ୍ଥିତିକୁ ଅନୁଧ୍ୟାନ କରି ଗବେଷକମାନେ ଏପରି ଭବିଷ୍ୟବାଣୀ କରିଛନ୍ତି। ବିଶେଷ କରି ଆରବୀୟ ଉପଦ୍ବୀପାଞ୍ଚଳ, ପଶ୍ଚିମ ଅଷ୍ଟ୍ରେଲିଆ ଓ ମେକ୍ସିକୋ ଉପସାଗର ଅଞ୍ଚଳ ଏଭଳି ପ୍ରକ୍ରିୟାର ଶିକାର ହେବେ ବୋଲି କୁହାଯାଇଛି। ଉପକୂଳ ଅଞ୍ଚଳର ପାନୀୟ ଜଳ ଉପରେ ପାଣିପାଗ ପରିବର୍ତ୍ତନର ପ୍ରଭାବ ଏଭଳି ନକାରାତ୍ମକ ପରିଣତି ଆଣି ଚାଲିଥିବା ବେଳେ ମଧୁର ଜଳ ଉତ୍ସର ସୁରକ୍ଷା ପାଇଁ ସଂପୃକ୍ତ ରାଷ୍ଟ୍ରମାନେ ସ୍ଥାୟୀ ପରିଚାଳନା ରଣନୀତି ଆପଣେଇବା ଉପରେ ଗବେଷକମାନେ ଗୁରୁତ୍ବାରୋପ କରିଛନ୍ତି।