ଷ୍ଟେସନରେ ଫୋନ୍ ଛାଡ଼ି ଦେଲେ ବିଦେଶୀ, ଖୋଜି ଖୋଜି ଫେରାଇ‌ଲା ପୁଲିସ୍ ! ଖୁସିରେ କହିଲେ ‘ଧନ୍ୟବାଦ ଭାରତ’

ଲକ୍ଷ୍ନ‌ୌ: ବିଦେଶୀ ପର୍ଯ୍ୟଟକଙ୍କୁ ସାହାଯ୍ୟ କରି  ପ୍ରଶଂସାର ପାତ୍ର ପାଲଟିଲା ଉତ୍ତର ପ୍ରଦେଶ ପୁଲିସ୍ । ଉତ୍ତର ପ୍ରଦେଶର ସରକାରୀ ରେଲୱେ ପୋଲିସ୍ (ଜିଆରପି)  ସୋମବାର ରାତିରେ ଜଣେ ଆମେରିକୀୟ ନାଗରିକଙ୍କୁ ତାଙ୍କ ହଜିଯାଇଥିବା ମୋବାଇଲ୍ ଫୋନ୍ ଫେରସ୍ତ କରି ପ୍ରଶଂସା ସାଉଁଟିଛି ।  ହଜିଯାଇଥିବା ଫୋନଟିକୁ ପାଇ ପୁଲିସ୍ ଅଫିସରଙ୍କୁ ଧନ୍ୟବାଦ ଦେଇଥିଲେ  ବିଦେଶୀ ନାଗରିକ।

ପୁଲିସର କହିବା ମୁତାବକ, ପଣ୍ଡିତ ଦୀନଦୟାଲ୍ ଉପାଧ୍ୟାୟ ଜଙ୍କସନରେ ଏହି ଆମେରିକୀୟ ଯାତ୍ରୀ ପ୍ଲାଟଫର୍ମରେ ମୋବାଇଲ୍ ଚାର୍ଜିଙ୍ଗ୍ ପଏଣ୍ଟରେ ଫୋନ୍ ଲଗାଇ ଭୁଲିଯାଇଥିଲେ । ଜଣେ ଜିଆରପି କନଷ୍ଟେବଲଙ୍କ ନଜର ମୋବାଇଲ ଉପରେ ପଡିବା ପରେ ସେ ଯାଞ୍ଚ୍ କରିବା ପାଇଁ ଫୋନକୁ ଥାନାକୁ ନେଇ ଆସିଥିଲେ । ଫୋନଟି ଜଣେ ବିଦେଶୀ ନାଗରିକଙ୍କ ଜଣାପଡିବା ପରେ ପାଖାପାଖି ଅଧଘଣ୍ଟା ପର୍ଯ୍ୟନ୍ତ ପ୍ଲାଟଫର୍ମରେ ବିଦେଶୀ ଜଣଙ୍କୁ ଖୋଜିଥିଲା ପୁଲିସ୍।

ବହୁ ଖୋଜାଖୋଜି ପରେ ଜୋସେଫ୍ ମେଲ୍ଟଜର୍ ନାମକ ଏହି ବିଦେଶୀ ଯାତ୍ରୀଙ୍କୁ ପାଇବା ପରେ ପୋଲିସ୍ ତାଙ୍କୁ ଫୋନ୍ ହସ୍ତାନ୍ତର କରିଥିଲେ । ଫୋନ୍ ପାଇବା ପରେ ଜୋସେଫ୍ ପୁଲିସ୍ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇବା ସହ ‘ଧନ୍ୟବାଦ ଭାରତ’ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର