ନୂଆଦିଲ୍ଲୀ,: ପେଟ୍ରୋଲ୍ ଓ ଡିଜେଲ୍କୁ ଜିଏସ୍ଟିରେ ସାମିଲ କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ବେଳେ ନିତି ଆୟୋଗ ପକ୍ଷରୁ ଆଜି ଭିନ୍ନ ମତ ଦିଆଯାଇଛି। ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି ଯେ ତୈଳ ଉପରେ ଜିଏସ୍ଟି ଲଗାଇବା ଏକ ପ୍ରକାର ଅସମ୍ଭବ। କାରଣ ତେଲରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ୱ ଆୟ କରୁଛନ୍ତି ବୋଲି ସେ କହିଛନ୍ତି।
ସେ କହିଲେ, ବର୍ତ୍ତମାନ ଜିଏସ୍ଟିର ସର୍ବୋଚ୍ଚ ହାର ହେଉଛି ୨୮%। ଏହି ହାରରେ ଯଦି ତେଲ ଉପରେ ଜିଏସ୍ଟି ଲାଗୁ କରାଯିବ ତେବେ ଉଭୟ କେନ୍ଦ୍ର ଓ ରାଜ୍ୟର ବିପୁଳ ରାଜସ୍ୱ ହାନି ହେବ। ଏଭଳି କ୍ଷତିକୁ କେହି ମୁଣ୍ଡାଇବାକୁ ଚାହିଁବେନି। ପେଟ୍ରୋଲ୍ ଓ ଡିଜେଲ୍ରୁ ଆଦାୟ ହେଉଥିବା ଟିକସ ପରିମାଣ ବଜାୟ ରଖିବାକୁ ହେଲେ ଏକ ନୂଆ ସ୍ଲାବ୍ ସୃଷ୍ଟି କରିବାକୁ ପଡ଼ିବ। ଏହା ଏକ ଜଟିଳ କାମ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟର ସହମତି ଦରକାର ପଡ଼ିବ। ଶ୍ରୀ କୁମାର କହିଛନ୍ତି ଯେ, ସରକାରଙ୍କୁ ପ୍ରଥମ ପେଟ୍ରୋଲିୟମ୍ ସାମଗ୍ରୀ ଉପରୁ ଟିକସ ପରିମାଣ କମ୍ କରିବାକୁ ହେବ। ରାଜ୍ୟଗୁଡ଼ିକ ତେଲ ଉପରେ ଉଚ୍ଚ ହାରରେ ଭାଟ୍ ଲଗାଇଛନ୍ତି। ଯେତେବେଳେ ତେଲ ଦର ବଢ଼ୁଛି, ରାଜ୍ୟଗୁଡ଼ିକ ବିଶେଷ ଭାବେ ଲାଭବାନ ହେଉଛନ୍ତି। ରାଜ୍ୟଗୁଡ଼ିକ ଟିକସ ହାର କମ୍ କରିବା ଦରକାର ବୋଲି ସେ କହିଛନ୍ତି। ତାଙ୍କ ମତରେ କେନ୍ଦ୍ର ସରକାର ତେଲରୁ ଅଢ଼େଇ ଲକ୍ଷ କୋଟି ଟଙ୍କାର ଟିକସ ଆଦାୟ କରୁଛନ୍ତି, ଯେଉଁଥିରୁ ୨ ଲକ୍ଷ କୋଟି ଟଙ୍କା ରାଜ୍ୟଗୁଡ଼ିକୁ ଦିଆଯାଉଛି। ଉଚ୍ଚ ତେଲ ଦରକୁ ସେ ଅର୍ଥନୀତି ଉପରେ ବୋଝ ସହିତ ତୁଳନା କରିଛନ୍ତି। ତେଲ ଦର କମିଲେ ଅନ୍ୟାନ୍ୟ ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ିବ ବୋଲି ସେ କହିଛନ୍ତି।
ଗତବର୍ଷ ଜୁଲାଇ ପହିଲାରୁ ଦେଶରେ ଜିଏସ୍ଟି ଲାଗୁ କରାଯାଇଛି। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଅନେକ ଥର ପେଟ୍ରୋଲିୟମ୍ ସାମଗ୍ରୀ ଉପରେ ଜିଏସ୍ଟି ଲଗାଇବାକୁ ଦାବି ହେଉଛି। କେନ୍ଦ୍ର ସରକାରଙ୍କ ଅନେକ ବରିଷ୍ଠ ମନ୍ତ୍ରୀ ଏ ସଂକ୍ରାନ୍ତରେ ଦାବି ଉପସ୍ଥାପନ କରିସାରିଲେଣି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲିଙ୍କଠାରୁ ଆରମ୍ଭ କରି ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ପର୍ଯ୍ୟନ୍ତ ତେଲ ଉପରେ ଜିଏସ୍ଟି ଲଗାଇବା ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍ ମଧ୍ୟ ପେଟ୍ରୋଲିୟମ୍ ସାମଗ୍ରୀ ଉପରେ ଜିଏସ୍ଟି ଲଗାଇବା ଦାବିକୁ ସମର୍ଥନ କରିଛନ୍ତି। କିନ୍ତୁ ପରବର୍ତି ପଦକ୍ଷେପ ଗ୍ରହଣ କରିବା ପାଇଁ କେହି ଆଗେଇ ଆସୁନାହାନ୍ତି।
ସମ୍ବନ୍ଧିତ ଖବର