ବେଙ୍ଗାଲୁରୁ: ଦୈନନ୍ଦିନ ଜୀବନରେ ଆପଣ ପ୍ଲାଷ୍ଟିକକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ବ୍ୟବହାର କରୁଛନ୍ତି | କିନ୍ତୁ କେବେ ଆପଣ ଜାଣିଛନ୍ତି କି ବେଳେବେଳେ ଆପଣ ପ୍ଲାଷ୍ଟିକ ବି ଖାଉଛନ୍ତି | କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | କାରଣ ଆପଣ ଖାଉଥିବା ଚୁଇଙ୍ଗମ୍ ପଲିଭିନାଇଲ ଏସିଟେଟରୁ ତିଆରି ହୋଇଥାଏ | ଏହି ପଲିଭିନାଇଲ ଏସିଟେଟ ନାମକ ପ୍ଲାଷ୍ଟିକ ଟାୟାର ଏବଂ ଅଠା ତିଆରିରେ ବ୍ୟବହୃତ ହୁଏ | ତେବେ ବଡ କଥା ଯେ ଆପଣ ଏହି ଚୁଇଙ୍ଗମ୍ ଖାଇବା ପରେ ଏହାକୁ ବାହାରେ ପକାଇବା ଦ୍ୱାରା ଏହା ମାଟିରେ ମିଶିଯାଉନାହିଁ।।

Advertisment

ଏସବୁକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁର ମାୟାଙ୍କ ନାଗୋରୀ ଏବେ ଏକ ବିକଳ୍ପ ପାଇଛନ୍ତି। ସେ ତାଙ୍କର ଷ୍ଟାର୍ଟଅପ୍ 'ଗୁଡ୍ ଗମ୍' ମାଧ୍ୟମରେ ଦେଶର ପ୍ରଥମ ପ୍ଲାଷ୍ଟିକ୍ ମୁକ୍ତ ଏବଂ ସଂପୂର୍ଣ୍ଣ ବାୟୋଡିଗ୍ରେଡେବଲ୍ ଚୁଇଙ୍ଗମ୍ ତିଆରି କରୁଛନ୍ତି | ୨୦୨୨ ମସିହାରେ ଏହି ଚୁଇଙ୍ଗମ୍ ତିଆରି ଆରମ୍ଭ ହୋଇଥିବାବେଳେ ୫ ଲକ୍ଷରୁ ଅଧିକ ଚୁଇଙ୍ଗମ୍ ବିକ୍ରି କରି ଏହା ପ୍ରାୟ ୭୦୦ କିଲୋଗ୍ରାମ ପ୍ଲାଷ୍ଟିକ ଚୁଇଙ୍ଗମକୁ ମାଟିରେ ମିଶିବାକୁ ବଞ୍ଚାଇ ଦେଇଛି | ମାୟାଙ୍କ ପିଲାଦିନେ ଥରେ ନିଜ ସ୍କୁଲ ଶିକ୍ଷକଙ୍କଠାରୁ ଜାଣିବାକୁ ପାଇଲେ ଯେ ଚୁଇଙ୍ଗମରେ ପ୍ଲାଷ୍ଟିକ ବ୍ୟବହାର କରାଯାଏ |

ଏହା ଜାଣିବା ପରେ ସେ ଏହାକୁ ଖାଇବା ବନ୍ଦ କରିଦେଲେ। ସେ ପିଲାଦିନରୁ ଚୁଇଙ୍ଗମର ଏକ ପରିବେଶ ଅନୁକୂଳ ବିକଳ୍ପ ଖୋଜିବା ପାଇଁ ନିଷ୍ପତ୍ତି ନେଇଥିଲେ। ଖାଦ୍ୟ ବିଜ୍ଞାନର ଛାତ୍ର ମାୟାଙ୍କ ଅଧ୍ୟୟନ ପରେ ଏକ ଚାକିରି କରୁଥିଲେ। ଏଥି ସହିତ, ନିଜ ସ୍ୱପ୍ନକୁ ପୂରଣ କରିବାର ଇଚ୍ଛା ସର୍ବଦା ତାଙ୍କ ମନରେ ଥିଲା | ସେ ଏକ ଛୋଟ ଅନୁସନ୍ଧାନରୁ ଏହି କାର୍ଯ୍ୟ ଆରମ୍ଭ କରିଥିଲେ, ଯେଉଁଥିରେ ସେ ବେଙ୍ଗାଲୁରୁର ଅନେକ ଲୋକଙ୍କୁ ପଚାରିଥିଲେ,ଯେ ଚୁଇଙ୍ଗମ୍ କିଭଳି ତିଆରି ହୋଇଛି? ଅଧିକାଂଶ ଲୋକ ଜାଣି ନଥିଲେ ଯେ ଏଥିରେ ପ୍ଲାଷ୍ଟିକ୍ ଅଛି |

ଏହି ଅନୁସନ୍ଧାନ ପରେ, ସେ ତାଙ୍କ ଭାଇ ଭୁବନଙ୍କ ସହ ମିଶି ଚୁଇଙ୍ଗମ୍ ପ୍ରସ୍ତୁତି ପାଇଁ ବିନା ପ୍ଲାଷ୍ଟିକର ବିକଳ୍ପ ଉପରେ ଅନୁସନ୍ଧାନ କରିବା ଆରମ୍ଭ କଲେ | ପରିଶେଷରେ, ସେମାନେ ଗଛରୁ ବାହାରୁଥିବା ଗମ(ଏକ ପ୍ରକାରର ଅଠା) ବିଷୟରେ ଜାଣିବାକୁ ପାଇଲେ | ଏହି ଗଛ ଆମେରିକାରେ ଥିବାବେଳେ ଏଥିରୁ ବାହାରୁଥିବା ଅଠା ପରିବେଶ ଅନୁକୂଳ ବୋଲି ଜାଣିବାକୁ ପାଇଥିଲେ | ଆମେରିକାରୁ ଏହି ଅଠା କଞ୍ଚାମାଲ ଆମଦାନୀ କରି ସେ ଦେଶର ପ୍ରଥମ ପ୍ଲାଷ୍ଟିକ ମୁକ୍ତ ଚୁଇଙ୍ଗମ ତିଆରି କରି ଗୁଡ-ଗମ୍ ନାମରେ ବଜାରରେ ଲଞ୍ଚ କରିଥିଲେ। ବିଭିନ୍ନ ଫ୍ଲେଭର ଦେଇ ସେ ଏହି ଚୁଇଙ୍ଗମ୍ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି |