କଖାରୁ ଡଙ୍ଗାରେ ଗିନିସ୍ ରେକର୍ଡ

ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ବ୍ୟକ୍ତି ଏକ ଅଜବ ଧରଣର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ନେବ୍ରାସ୍କାର ଡୁଏନ୍ ହାନ୍‌ସେନ୍‌ ନାମକ ଏହି ବ୍ୟକ୍ତି ଏକ ବିଶାଳ ଫମ୍ପା କଖାରୁ ଭିତରେ ବସି ମିସୌରି ନଦୀରେ ୩୮ ମାଇଲ୍ ବା ପ୍ରାୟ ୬୧ କିଲୋମିଟର୍‌ ଅତିକ୍ରମ କରିଛନ୍ତି। ଏହା ଦ୍ବାରା ସେ ଗିନିସ୍ ବୁକ୍ ଅଫ୍ ଵାର୍ଲଡ୍‌ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛନ୍ତି। ଡୁଏନ୍ ହେଉଛନ୍ତି ବେଲ୍‌ଭ୍ୟୁ ସହରର ୬୦ ବର୍ଷୀୟ ଅଧିବାସୀ। ଗତ ଅଗଷ୍ଟ ୨୭ରେ ନିଜର ୬୦ ତମ ଜନ୍ମଦିନ ଅବସରରେ ସେ ଏହି ରେକର୍ଡ ସ୍ଥାପନର ଉଦ୍ୟମ ଆରମ୍ଭ କରିଥିଲେ। ୩୮୪ କିଲୋଗ୍ରାମ ଓଜନର କଖାରୁ ତିଆରି ଉକ୍ତ ଡଙ୍ଗାର ନାମ ଦେଇଥିଲେ ‘ଏସ୍‌ଏସ୍‌ ବର୍ଟା’।

ସେଦିନ ସକାଳ ୭ଟା ୩୦ରେ ସେ ମିଜୌରି ନଦୀରେ ନିଜର କଖାରୁ ଡଙ୍ଗା ନେଇ ଯାତ୍ରା ଆରମ୍ଭ କରିଥିଲେ ଏବଂ ସନ୍ଧା ୬.୩୦ରେ ତାଙ୍କର ଯାତ୍ରା ସଂପୂର୍ଣ୍ଣ ହୋଇଥିଲା। ବେଲ୍‌ଭ୍ୟୁ ସହରର ଅଧିକାରୀମାନେ ଏହି କୀର୍ତ୍ତିମାନ ସ୍ଥାପନ ବେଳେ ସାକ୍ଷୀ ରୂପେ ଉପସ୍ଥିତ ଥିଲେ। ଡୁଏନ୍‌ଙ୍କ ସଉକ ହେଉଛି ବିଶାଳ କଖାରୁ, ଲାଉ ଓ ଅନ୍ୟାନ୍ୟ ପନିପରିବା ଚାଷ କରିବା। ପୂର୍ବରୁ ଜଣେ ବ୍ୟକ୍ତି କଖାରୁ ଡଙ୍ଗାରେ ଏଭଳି ଅଜବ ରେକର୍ଡ କରିଥିବା ଜାଣିବା ପରେ ଡୁଏନ୍ ଏହି ରେକର୍ଡ ଭାଙ୍ଗିବାର ଉଦ୍ୟମ କରି ନିଜର ୬୦ତମ ଜନ୍ମ ଦିନକୁ ସ୍ବତନ୍ତ୍ର ଭାବେ ପାଳିବାର ଯୋଜନା କରିଥିଲେ। ନର୍ଥ ଡାକୋଟାର ପୂର୍ବ ରେକର୍ଡଧାରୀ ଜଣକ ୨୦୧୮ରେ ପ୍ରାୟ ୪୧ କି.ମି. ଯାତ୍ରା କରି ଏହି ରେକର୍ଡ ସ୍ଥାପନ କରିଥିଲେ। ଡୁଏନ୍‌ଙ୍କ ନୂଆ ରେକର୍ଡକୁ କେହି କେହି ହାସ୍ୟାସ୍ପଦ ମନେକରୁଥିବା ବେଳେ ଆଉ କିଛି ଏହାକୁ ପ୍ରେରଣାଦାୟକ ଦୃଷ୍ଟିରେ ଦେଖୁଛନ୍ତି।

ସମ୍ବନ୍ଧିତ ଖବର