ନୂଆଦିଲ୍ଲୀ: ଲୁଣ ଏକ ଏଭଳି ଜିନିଷ, ଯାହା ବିନା ଖାଦ୍ୟ ଫିକା ଲାଗେ। ପ୍ରତ୍ୟେକ ଖାଦ୍ୟରେ ଲୁଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ। ଅନ୍ୟ ଉପାଦାନ କିମ୍ବା ମସଲା କମ୍ ଥିଲେ ମଧ୍ୟ ଏହା ସବୁ ଫିକା ଲାଗୁଥିବା ଖାଦ୍ୟର ସ୍ୱାଦକୁ ବୃଦ୍ଧି କରିଥାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଲୁଣ ଉତ୍ପାଦନ କରୁଥିବା ଲୋକମାନେ କିଭଳି ଜୀବନ ବିତାନ୍ତି? ଏହି ଶ୍ରମିକମାନେ ଅତ୍ୟନ୍ତ କଷ୍ଟକର ପରିସ୍ଥିତିରେ ପରିଶ୍ରମ କରି ଲୁଣ ଉତ୍ପାଦନ କରନ୍ତି। ସବୁଠୁ ବଡ଼ କଥା ହେଲା ମୃତ୍ୟୁ ପରେ ବି ସେମାନଙ୍କ ସାଥ୍ ଛାଡ଼ିନଥାଏ ଲୁଣ।
ସାରା ଜୀବନ ଲୁଣ ତିଆରି କରିବା ପରେ ଯେତେବେଳେ ଶେଷ ସମୟ ଆସେ ସେତେବେଳେ ଶ୍ରମିକମାନଙ୍କ ଶରୀର ପୋଡ଼ିଯାଏ ସତ ହେଲେ ପାଦ ପୋଡେ ନାହିଁ। ଗୁଜରାଟରେ ଲୁଣ ତିଆରି କରୁଥିବା ଶ୍ରମିକମାନେ ଏଭଳି ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ଗୁଜୁରାଟର କଚ୍ଛରେ ଲୁଣ ଉତ୍ପାଦନ ହୁଏ। ଏଠାରେ ଲୁଣ ଶ୍ରମିକମାନଙ୍କୁ ଅଗାରିଆ କୁହାଯାଏ। ବର୍ଷ ବର୍ଷ ହେଲାଣି ସେମାନଙ୍କ ବିଭିନ୍ନ ପିଢ଼ି ଲୁଣ ତିଆରି କରିବା କାମ କରିଆସୁଛନ୍ତି। ଲୁଣ ଉତ୍ପାଦନ ତାଙ୍କୁ ଅନେକ ଶାରୀରିକ ସମସ୍ୟା ଦେଉଥିଲେ ବି ପାଖରେ ଅନ୍ୟ କୌଣସି କାମ ନଥିବାରୁ ସେଠାକାର ଲୋକେ ବାଧ୍ୟ ହୋଇ ଲୁଣ ଉତ୍ପାଦନ କରନ୍ତି। ଦୀର୍ଘ ଦିନ ଧରି ଏହି କାମରେ ନିୟୋଜିତ ଲୋକମାନେ ଜୀବନସାରା ଅଲସର, ଚର୍ମ କର୍କଟ, ଚକ୍ଷୁ ରୋଗ, ଫୋଟକା ଭଳି ସମସ୍ୟା ସହିତ ସଂଘର୍ଷ କରନ୍ତି।
ଲୁଣ ଉତ୍ପାଦନରେ ନିୟୋଜିତ ଜଣେ ଶ୍ରମିକ କହିଛନ୍ତି ଯେ, ମୋ ଜେଜେ, ମୋ ବାପା ଏହି କାମ କରୁଥିଲେ। ଏବେ ମୁଁ କରୁଛି। ପାଠ ପଢ଼ାଇବା ପାଇଁ ଯଥେଷ୍ଟ ଟଙ୍କା ଏହି କାମରୁ ମିଳୁନଥିବାରୁ ମୋ ପୁଅ ମଧ୍ୟ ପାଠ ପଢ଼ା ଛାଡ଼ି ମୋ ସହିତ କାମ କରିବାକୁ ଆସୁଛି। ବର୍ଷାଦିନ ଯିବା ପରେ ଆମେ ନିଜ ଘର ଛାଡ଼ି ଲୁଣ ଉତ୍ପାଦନରେ ଲାଗିପଡ଼ୁ। ଏହା ଆମ ଶରୀର ଉପରେ ଖରାପ ପ୍ରଭାବ ପକାଉଥିଲେ ବି ରୋଜଗାରର ଅନ୍ୟ କୌଣସି ମାଧ୍ୟମ ନଥିବାରୁ ଆମକୁ ଏହା କରିବାକୁ ପଡ଼ୁଛି। ଲୁଣ ଆମ ପାଦକୁ ନଷ୍ଟ କରିଦିଏ। ଆମେ ବୁଟ୍ କିମ୍ବା ଜୋତା ପିନ୍ଧୁ, କିନ୍ତୁ ସେଗୁଡ଼ିକ ଅଧିକ ସମୟ ପର୍ଯ୍ୟନ୍ତ ରହେ ନାହିଁ। ଲୁଣରେ କାମ କରିବା ଦ୍ୱାରା ଆମ ପାଦ ଚର୍ମ ଏତେ ମୋଟା ହୋଇଯାଏ ଯେ ମୃତ୍ୟୁ ପରେ ଏହା ଜଳେ ନାହିଁ। ପାଦ ଜଳୁନଥିବାରୁ ପୁଣି ଥରେ ଏକ ଗାତ ଖୋଳିବାକୁ ପଡ଼େ ଏବଂ ସେଥିରେ ଲୁଣ ଦେଇ ପାଦକୁ ପୋତିବାକୁ ପଡ଼େ। ଏହା ପୂର୍ବରୁ ବଞ୍ଚିଥିବା ବେଳେ ଆମକୁ ଜୀବନସାରା ଲୁଣ ଫୋଟକା ସହିତ ସଂଘର୍ଷ କରିବାକୁ ପଡ଼େ।
gujarat | agariya