ନୂଆଦିଲ୍ଲୀ: ୨୦୦କୋଟି ଦାନ କରି ଜୈନ ସନ୍ନ୍ୟାସୀ ହେଲେ କୋଟିପତି ଦମ୍ପତି। ଗୁଜୁରାଟର ବ୍ୟବସାୟୀ ଭାବେଶ ଭଣ୍ଡାରୀ ଏବଂ ତାଙ୍କ ପତ୍ନୀ ୨୦୦କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଦାନ କରି ଏବେ ସନ୍ନ୍ୟାସୀ ହେବାକୁ ସ୍ଥିର କରିଛନ୍ତି। ଏଥିପାଇଁ ଦୁହେଁ ନିଜର ଆଜୀବନ ରୋଜଗାର ଦାନ କରିଛନ୍ତି। ଫେବ୍ରୁଆରିରେ ଏକ ସମାରୋହରେ ଭାବେଶ ଭଣ୍ଡାରୀ ଏବଂ ତାଙ୍କ ପତ୍ନୀ ସେମାନଙ୍କର ସମସ୍ତ ସମ୍ପତ୍ତି ଦାନ କରିଥିଲେ ଏବଂ ଏହି ମାସ ଶେଷରେ ଦୁହେଁ ଆନୁଷ୍ଠାନିକ ଭାବରେ ସନ୍ନ୍ୟାସୀ ହେବେ।
ହିମତନଗରରେ ରହୁଥିବା ବ୍ୟବସାୟୀ ତାଙ୍କର ୧୯ବର୍ଷର ଝିଅ ଏବଂ ୧୬ବର୍ଷର ପୁଅଙ୍କ ପଥ ଅନୁସରଣ କରିଥିବା କୁହାଯାଉଛି। ଭାବେଶଙ୍କ ପୁଅ ଓ ଝିଅ ୨୦୨୨ରେ ସନ୍ନ୍ୟାସୀ ହୋଇଥିଲେ। ପିଲାମାନେ ସନ୍ନ୍ୟାସୀ ହେବା ପରେ ତାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଦମ୍ପତି ଏଭଳି ନିଷ୍ପତ୍ତି ନେଇଛନ୍ତି।
ଏପ୍ରିଲ୍ ୨୨ରେ ଶପଥ ଗ୍ରହଣ କରିବା ପରେ, ଦମ୍ପତିଙ୍କୁ ସମସ୍ତ ପାରିବାରିକ ସମ୍ପର୍କ ଭାଙ୍ଗିବାକୁ ହେବ ଏବଂ ସମସ୍ତ ପ୍ରକାରର ବସ୍ତୁକୁ ତ୍ୟାଗ କରିବାକୁ ହେବ। ଏହା ପରେ ସେ ସାରା ଭାରତ ଖାଲି ପାଦରେ ଯାତ୍ରା କରିବେ ଏବଂ କେବଳ ଲୋକଙ୍କ ଦାନରେ ଜୀବନ ବଞ୍ଚିବେ। ସେମାନଙ୍କୁ କେବଳ ଦୁଇଟି ଧଳା ପୋଷାକ, ଦାନ ପାଇଁ ଏକ ପାତ୍ର ଏବଂ “ରଜୋହରଣ” ରଖିବାକୁ ଅନୁମତି ଦିଆଯିବ। ରଜୋହରଣ ହେଉଛି ଏକ ଝାଡୁ ଯାହାକୁ ଜୈନ ସନ୍ନ୍ୟାସୀମାନେ ବସିବା ସ୍ଥାନ ସଫା କରିବା ପାଇଁ ବ୍ୟବହାର କରନ୍ତି। ଏହା ଅହିଂସା ମାର୍ଗର ପ୍ରତୀକ ଅଟେ ଏବଂ ଉଭୟ ଏହାକୁ ଅନୁସରଣ କରିବେ।
କୁହାଯାଉଛି ଯେ, ଫେବ୍ରୁଆରିରେ ଦମ୍ପତି ଏକ ପ୍ରସେସନ କରି ନିଜର ଫୋନ, ଟଙ୍କା, ଏସି ଭଳି ଅନେକ ମୂଲ୍ୟବାନ ଜିନିଷ ଦାନ କରିଥିଲେ।