କନ୍ୟା ବେଶରେ ସଜେଇ ହୋଇ, ମଥାରେ ସିନ୍ଦୂର ନାଇ ନିଜକୁ ନିଜେ ବିବାହ କରିବେ ଏହି ଯୁବତୀ

ଗାନ୍ଧୀନଗର: ବିବାହକୁ ନେଇ ଯୁବତୀଙ୍କର ଅନେକ ସ୍ବପ୍ନ ରହିଥାଏ। କାହାର ଜୀବନସାଥୀକୁ ନେଇ ସ୍ବପ୍ନ ରହିଥାଏ ତ କାହାର ବିବାହର ସାଜସଜାକୁ ନେଇ ସ୍ବପ୍ନ ରହିଥାଏ। ମାତ୍ର ବିନା ବରରେ ବିବାହ ସ୍ବପ୍ନ ଦେଖୁଥିବା କେଉଁ ଯୁବତୀଙ୍କୁ ଆପଣ ଜାଣିଛନ୍ତି? ଗୁଜୁରାଟରେ ଜଣେ ଏପରି ଯୁବତୀ ଅଛନ୍ତି, ଯିଏକି କୌଣସି ବର ନୁହେଁ ବରଂ ନିଜେ ନିଜକୁ ବିବାହ କରିବାକୁ ଯାଉଛନ୍ତି।

ଯୁବତୀ ଜଣକ ହେଉଛନ୍ତି କ୍ଷମା ବିନ୍ଦୁ। ସେ ନିଜେ ନିଜକୁ ଜୁନ୍‌ ୧୧ ତାରିଖରେ ବିବାହ କରିବାକୁ ତାରିଖ ସ୍ଥିର କରିଛନ୍ତି। ବିବାହ ପାଇଁ ସେ ନିଜ ପାଇଁ ଲେହେଙ୍ଗାରୁ ନେଇ, ଅଳଙ୍କାର, ପାର୍ଲର ସବୁ କିଛି ବୁକିଂ କରିଛନ୍ତି। ମାତ୍ର ବିବାହରେ ଯାହା ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ, ତାହା ହିଁ ନାହିଁ।

କ୍ଷମା ସଂପୂର୍ଣ୍ଣ ରୀତିନୀତି ପାଳନ କରି ଏହି ବିବାହ କରିବେ। ସିନ୍ଦୂର ବି ଲଗାଇବେ। ମାତ୍ର ବିବାହରେ ନା ବର ଥିବ, ନା ଥିବେ ବରଯାତ୍ରୀ। ଗୁରୁରାଟର ଏହା ହେଉଛି ପ୍ରଥମ ସୋଲ ବିବାହ।

ଟାଇମ୍ସ ଅଫ୍‌ ଇଣ୍ଡିଆକୁ ନିଜର ମତାମତ ଦେଇ କ୍ଷମା କହିଛନ୍ତି ଯେ ସେ କେବେ ବି ବିବାହ କରିବାକୁ ଚାହୁଁନଥିଲେ। ମାତ୍ର କନ୍ୟା ବେଶରେ ସଜେଇ ହେବା ତାଙ୍କର ଏକ ସ୍ବପ୍ନ ଥିଲା। ଏହି କାରଣରୁ ସେ ନିଜକୁ ବିବାହ କରିବାର ନିଷ୍ପତ୍ତି ନେଲେ। କ୍ଷମା ଏକ ପ୍ରାଇଭେଟ୍‌ କମ୍ପାନିରେ ଚାକିରି କରନ୍ତି। ସେ ଦାବି କରିଛନ୍ତି କି ଦେଶରେ ତାଙ୍କ ପୂର୍ବରୁ ଏପରି ସୋଲୋ ବିବାହ କେହି କରିନାହାନ୍ତି। ସେ କହନ୍ତି କି କିଛି ଲୋକେ ଯାହାଙ୍କୁ ଭଲପାଆନ୍ତି ସେମାନଙ୍କୁ ବିବାହ କରନ୍ତି। ମୁଁ ନିଜକୁ ଖୁବ୍ ଭଲପାଏ। ସେଥିପାଇଁ ମୁଁ ନିଜକୁ ବିବାହ କରିବାର ନିଷ୍ପତ୍ତି ନେଲି।

ସମ୍ବନ୍ଧିତ ଖବର