ବଲିଉଡ୍ କିମ୍ବଦନ୍ତୀ ଗୁଲଜାରଙ୍କ କଣ୍ଠରେ ପଦ୍ମଶ୍ରୀ ହଳଧର ନାଗଙ୍କ କବିତା : ୟୁଟ୍ୟୁବରେ ମନଜିଣୁଛି କ୍ଷୁଦ୍ରଫିଲ୍ମ ‘ଗୁଲଜାର ପ୍ରେଜେଣ୍ଟସ୍ ହଳଧର ନାଗ‘

ଭୁବନେଶ୍ବର: ସଂପ୍ରତି ୟୁଟ୍ୟୁବରେ ରିଲିଜ ହୋଇଛି ଭାରତବାଲା ପ୍ରଡକସନ୍ସ ପ୍ରସ୍ତୁତ କ୍ଷୁଦ୍ରଫିଲ୍ମ -‘ଗୁଲଜାର ପ୍ରେଜେଣ୍ଟସ୍ ହଳଧର ନାଗ‘। ଭର୍ଚୁଆଲ୍ ଭାରତ ସିରିଜର ଏହି କ୍ଷୁଦ୍ରଫିଲ୍ମରେ ବିଶିଷ୍ଟ କୋଶଳୀ କବି ପଦ୍ମଶ୍ରୀ ହଳଧର ନାଗଙ୍କ ସଂପର୍କରେ ଉପସ୍ଥାପନା ରହିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ଛବିରେ ହଳଧରଙ୍କୁ ଦର୍ଶକଙ୍କ ନିକଟରେ ପରିଚିତ କରାଉଛନ୍ତି ଦେଶର ବିଶିଷ୍ଟ ଗୀତିକାର ଓ କବି ଗୁଲଜାର।  ଗୁଲଜାର ହଳଧରଙ୍କୁ ମାଟିର କବି ଭାବେ ବର୍ଣ୍ଣନା କରି ସେ ହଳଧରଙ୍କ ଉଦ୍ଦେଶ୍ୟରେ ଚିଠିଟିଏ ଲେଖୁଛନ୍ତି ବୋଲି କହୁଛନ୍ତି। ଏଥିସହ ଗୁଲଜାର ହଳଧର ନାଗଙ୍କ ଏକ କବିତାର ପଂକ୍ତିକୁ ହିନ୍ଦୀରେ ଉପସ୍ଥାପିତ କରୁଛନ୍ତି।

ସେପଟେମ୍ବର ୨୨ରେ ରିଲିଜ ହୋଇଛି ସମ୍ବଲପୁରର ସନ୍ତାନ ତଥା ଓଡ଼ିଶାର ଗୌରବ ହଳଧରଙ୍କୁ ନେଇ କ୍ଷୁଦ୍ରଛବି। କୋଶଳୀ ଭାଷାକୁ ସଞ୍ଜିବନୀ ଦେଇଥିବା କବିପ୍ରାଣ ହଳଧରଙ୍କ କବିତା ଓ  ତାଙ୍କ ଜୀବନଶୈଳୀକୁ ନେଇ ୭ମିନିଟ ୪୯ ସେକେଣ୍ଡର ଏହି ଛବିକୁ ଭାରତବାଲା ପ୍ରସ୍ତୁତ କରିଛି। ଏଥିରେ ହଳଧର ନାଗଙ୍କ ଦୁଇ କାଳଜୟୀ କବିତା ‘ଚିଠି ଦେଉଛେଁର ହଲଧର’ ଓ ‘କବିର କଲମ ଗାଁରୁ’ ସ୍ଥାନ ପାଇଛି ।

ବରଗଡ଼ ଜିଲ୍ଲାରେ ଜନ୍ମିତ ଏହି କବି ୧୯୯୦ ମସିହାରୁ କବିତା ଲେଖିବା ଆରମ୍ଭ କରି ଏବେ ପର୍ଯ୍ୟନ୍ତ କବିତା ଲେଖା  ଜାରି ରଖିଛନ୍ତି ।  ଲୋକକବି ହଳଧର ନାଗଙ୍କ ଶିକ୍ଷାଗତ ଯୋଗ୍ୟତା ଖୁବ୍ କମ୍ । ତୃତୀୟ ଶ୍ରେଣୀ ପରେ ତାଙ୍କ ବହିବସ୍ତାନୀରେ ଡୋର ବନ୍ଧା ହୋଇଥିଲା । ପିଲାଟି ଦିନରୁ ଏହି କବିଙ୍କର ଆର୍ଥିକ ଅବସ୍ଥା ତାଙ୍କୁ ଆଗକୁ ପଢ଼ାଇବାରେ ବାଧକ ସାଜିଥିଲେ ବି ତାଙ୍କ କବିତା ଲେଖିବାର ପ୍ରବଳ ଇଚ୍ଛା ତାଙ୍କୁ ହରାଇପାରି ନଥିଲା । ୨୦୧୬ରେ ପଦ୍ମଶୀ ଉପାଧିରେ ଭୂଷିତ ହେବାପରେ ହଠାତ୍ ଜାତୀୟ ସ୍ତରରେ ଖୁବ ପରିଚିତି ଦେଇଥିଲା ।  ଦାରିଦ୍ର‌୍ୟର ଅସହ୍ୟ ତାଡନା ସତ୍ୱେ ସମାଜର ଅସମାନତା ବିରୋଧରେ ବିଦ୍ରୋହ ନକରି ହଳଧର ତାଙ୍କ କବିତାରେ ଯେଉଁ ବିଶ୍ୱ ଭାତୃତ୍ୱର ବାର୍ତ୍ତା ଦେଇଛନ୍ତି ତାକୁ ପ୍ରଶଂସା କରିଛନ୍ତି ଗୁଲଜାର । ଏହି ଛବିରେ ଗୁଲଜାର କହିଛନ୍ତି, ହଳଧର ଯେତେବେଳେ ନିଜ ଗାଁ ମାଟିରେ ଚାଲି ଚାଲି କବିତା ଆବୃତ୍ତି କରନ୍ତି ସେତେବେଳେ ସେ ଗ୍ଲୋବ ଉପରେ ଚାଲିବା ଭଳି ମନେହୁଅନ୍ତି।

ସମ୍ବନ୍ଧିତ ଖବର